କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ସ୍ୱର୍ଗତ ପ୍ରେମରାମ ଦୁବେଙ୍କ ଜନ୍ମତିଥିରେ କୋଶଳ ଏକତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଳ ରାଜ୍ୟ ସମନ୍ୱୟ ସମିତିର ପୂର୍ବ ଘୋଷିତ କାର୍ୟ୍ୟକ୍ରମ ଅନୁଯାୟୀ ଆଜି ବଲାଙ୍ଗିର ସ୍ଥିତ କୋଶଳ ଫାଉଣ୍ଡେସନ କାର୍ୟ୍ୟଳୟ ପ୍ରାଙ୍ଗଣରେ ଏକ ନିଆରା ଢ଼ଙ୍ଗରେ କୋଶଳ ଏକତା ଦିବସ ପାଳିତ ହୋଇଯାଇଛି । ସାମାଜିକ ଦୂରତ୍ୱ ଓ କୋଭିଡ଼ କଟକଣାକୁ ଆଖି ଆଗରେ ରଖି ଖୁବ୍‌ ଅଳ୍ପ ଲୋକଙ୍କୁ ନେଇ ଏହି କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରିୟ ଉପାଧ୍ୟକ୍ଷ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରିୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭିତରେ ସମନ୍ୱୟ ସମିତିର କେନ୍ଦ୍ରିୟ ସାଧାରଣ ସମ୍ପାଦକ ବିଭୁଦତ୍ତ ମିଶ୍ର ଓ ବଲାଙ୍ଗିର ଜୋନ୍‌ ସଂଯୋଜକ ଶରତ ହୋତା ଉସ୍‌ôବରେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ । ଉପସ୍ଥିତ ପ୍ରତିନିଧି ମାନଙ୍କୁ ଉଦ୍‌ବୋଧନ ଦେଇ ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମିଶ୍ର ଏ ଅଂଚଳର ଦୁଇ କୋଟି ଲୋକଙ୍କ ସର୍ବାଙ୍ଗିନ ଉନ୍ନତି ପାଇଁ କୋଶଳ ରାଜ୍ୟ ନିହାତି ଆବଶ୍ୟକ ଏବଂ ରାଜ୍ୟ ଗଠନ ପାଇଁ ଏକ ବିଶାଳ ଆନ୍ଦୋଳନର ଆବଶ୍ୟକତା ରହିଛି ତଥା ଆନ୍ଦୋଳନକୁ ଯୋରଦାର କରିବା ପାଇଁ କୋଶଳାଞ୍ଚଳର ସବୁ ଜିଲ୍ଲା, ସଂଗଠନ ଓ ବ୍ୟକ୍ତି ବିଶେଷ ତଥା ରାଜନୈତିକ ଦଳ ମାନଙ୍କ ଏକତାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଭାଷାର ନାମ କ’ଣ ହେବ, ହାଇକୋର୍ଟର ବେଂଚ କେଉଁ ଯାଗାରେ ହେବ, ପ୍ରସ୍ତାବିତ ରାଜ୍ୟର ରାଜଧାନୀ କେଉଁ ଯାଗାରେ ହେବ, ଏଭଳି ପ୍ରସଙ୍ଗ ମାନଙ୍କରେ ନିଜ ନିଜ ମଧ୍ୟରେ ଟଣାଟଣି ନ ହୋଇ ଯଦି ସ୍ୱତନ୍ତ୍ର କୋଶଳ ରାଜ୍ୟ ଲାଗି ଲଢେ଼ଇ କରିବା ତେବେ ଏ ଅଂଚଳର ଚାଷୀ, ଶ୍ରମିକ, କର୍ମଚାରୀ, ଯୁବଛାତ୍ର, ମହିଳା, ଶିଶୁ, ଆଇନଜୀବୀ, ବୁଦ୍ଧିଜୀବୀ ସମସ୍ତଙ୍କର ଦାବୀ ପୂରଣ ହୋଇ ପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ଏହାଛଡ଼ା ସୋସିଆଲ ମିଡ଼ିଆରେ କୋଶଳ ଆନ୍ଦୋଳନର କର୍ମକର୍ତ୍ତା ଓ କୋଶଳ ଆନ୍ଦୋଳନକୁ ଜୀବନର ସର୍ବସ୍ୱ ଦେଇ ବଂଚେଇ ରଖିଥିବା ସାଥିମାନଙ୍କ ବିରୁଦ୍ଧରେ ବ୍ୟବହାର କରିବା ପରିବର୍ତ୍ତେ ଯେଉଁମାନେ ବାସ୍ତବରେ କୋଶଳ ଚହୁଁଛନ୍ତି ସେହି ଯୁବ ବନ୍ଧୁ ମାନେ କୋଶଳ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସୋସିଆଲ ମିଡ଼ିଆକୁ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଥିଲେ । କୋଶଳ ରାଜ୍ୟ ସମନ୍ୱୟ ସମିତି ଖୋଲା ହୃଦୟରେ ସମସ୍ତଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ରହିଛି ଓ ଯଦି କୋଅଳ ଆନ୍ଦୋଳନ ସମ୍ପର୍କିତ କୌଣସି ପ୍ରସଙ୍ଗରେ କେହି କିଛି ଚର୍ଚ୍ଚା କରିବାକୁ ଚାହୁଁଛନ୍ତି ସେ ସମସ୍ତଙ୍କୁ ସ୍ୱାଗତ କରୁଛି ବୋଲି ଶ୍ରୀ ମିଶ୍ର ମନ୍ତବ୍ୟ ଦେଇଥିଲେ ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କୋଶଳ ଯୁବ ସମନ୍ୱୟ ସମିତିର କେନ୍ଦ୍ରିୟ ଆବାହକ ରିଲୁ ରଥ, ବଲାଙ୍ଗିର ପାର୍ଲ୍ୟାମେଣ୍ଟ ଜୋନ୍‌ର ସଂଯୋଜକ ବିନୋଦ କାଲସାଏ, କୋଶଳ ବରିଷ୍ଠ ନାଗରିକ ସଂଘର ଆବାହକ ମନୋରଞ୍ଜନ ମିଶ୍ର, ବିଶିଷ୍ଠ କର୍ମଚାରୀ ନେତା ରମେଶ ନାଏକ,ଜ୍ୟୋତିରଞ୍ଜନ ମହାନ୍ତି, ବରିଷ୍ଠ ସଂଗଠକ ଭରତ ଚନ୍ଦ୍ର ପୃଷ୍ଟି, ପ୍ରଭାସ ମିଶ୍ର, ସ୍ୱାଧୀନ ମିଶ୍ର, ଡ଼ ସୁଶାନ୍ତ ଚାନ୍ଦ, ଅନ୍ତର୍ୟ୍ୟାମି ସାହୁ, ନାରୀ ସଂଗଠିକା ମଞ୍ଜୁଲତା କୁଅଁର ପ୍ରଭୃତି ସ୍ୱର୍ଗତ ପ୍ରେମରାମ ଦୁବେଙ୍କ ସ୍ମୃତିଚାରଣ କରିବା ସହ କୋଶଳ ଏକତା ପାଇଁ ସମସ୍ତେ ଏକତ୍ରିତ ହେବକୁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.