pakka

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ : ଅସମାନ ଦୁନିଆଁରେ ମାନସିକ ସ୍ୱାସ୍ଥ୍ୟ

bbehera
  • ପ୍ରଫେସର ଡା. ଅଶୀର୍ବାଦ ଶତପଥି

ଆଜି ବିଶ୍ୱ ସାନସିକ ସ୍ୱାସ୍ଥ୍ୟ ଦିବସ । ୧୦ ଅକ୍ଟୋବରକୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ରୂପେ ସାରା ବିଶ୍ୱ ପାଳନ କରେ । ‘ଅସମାନ ଦୁନିଆଁରେ ମାନସିକ ସ୍ୱାସ୍ଥ୍ୟ’ ଏଥର ବିଷୟ ବସ୍ତୁ ରହିଛି । ମାନସିକ ସ୍ୱାସ୍ଥ୍ୟ ଓ ଏହାର ପ୍ରଭାବର ଇତିହାସ ବହୁ ପୁରୁଣା । ଏହାକୁ ନେଇ ବିଭିନ୍ନ ଧର୍ମ ପୁରାଣରେ ମଧ୍ୟ ଅନେକ ଘଟଣା ବର୍ଣ୍ଣିତ ରହିଛି । ବିଭିନ୍ନ ଚରିତ୍ର ମାନସିକ ରୋଗର ଶିକାର ହୋଇ ଅଯଥା ହଇରାଣ ହୋଇଛନ୍ତି । ବର୍ତ୍ତମାନ ସମାଜର ଅବସ୍ଥା ଚିନ୍ତା କଲେ ଉଭୟ ଅର୍ଥନୈତିକ, ସାମାଜିକ ଦୃଷ୍ଟିକୋଣରୁ ଜନ ସାଧାରଣଙ୍କ ମଧ୍ୟରେ ଅସମାନତା ବଢିଛି । ତା’ ସଙ୍ଗେ ସଙ୍ଗେ ବଢିଛି ମାନସିକ ଦୁଶ୍ଚିନ୍ତା ଓ ମାନସିକ ରୋଗ ।

ଆଜିର ଦୁନିଆଁ ଦିନକୁ ଦିନ ଆହୁରି ଧୃବୀକରଣ ହେବାକୁ ବସିଛି । ଧନୀ ଅଧିକ ଧନୀ ହେଉଥିବା ବେଳେ ଗରିବ ଆହୁରି ଗରିବ ହେଉଛନ୍ତି । ସେହିପରି ଜାତି ବର୍ଗ ଭାବନାକୁ ନେଇ ମଧ୍ୟ ଲୋକଙ୍କ ମନରେ ଅସାମଞ୍ଜସ୍ୟ ବଢୁଥିବା ଦେଖା ଦେଉଛି । ତୃତୀୟ ଦୁନିଆଁର ଦେଶ ଗୁଡିକର କଥା ଦୂରେ ଥାଉ, ଆମେରିକାର ବହୁ ଚର୍ଚ୍ଚିତ ଡେଭିଡ ଲଏଡ ଘଟଣା ଏହାର ଜ୍ୱଳନ୍ତ ଉଦାହରଣ । ଏହି ଅସାମଞ୍ଜସ୍ୟ ପାଇଁ ଲୋକଙ୍କ ମନରେ ଉଦ୍‌ବେଗ ବଢିବାରେ ଲାଗିଛି, ଯାହା ମାନସିକ ଦୁଶ୍ଚିନ୍ତା ଓ ରୋଗକୁ ଆହୁରି ପ୍ରସାରିତ କରୁଛି ।

ବିଜ୍ଞାନ ଯୁଗର ଏହି ସ୍ୱାସ୍ଥ୍ୟ ସର୍ବସ୍ୱ ସମୟରେ ମଧ୍ୟ ଅନେକ କ୍ଷେତ୍ରରେ ସଚେତନତାର ଅଭାବ ପରିଲକ୍ଷିତ ହେଉଛି । ମାନସିକ ସ୍ୱାସ୍ଥ୍ୟ ଦିଗରେ ଏହାର ହାର ଅଧିକ । ଅକାରଣେ ଜଣକ ବ୍ୟବହାରରେ ପରିବର୍ତ୍ତନ, ଚିଡିଚିଡା ଅନୁଭବ କରିବା, ଭୟ କରିବା, ସନ୍ଦେହ କରିବା ମାନସିକ ଅବସାଦର ସାଧାରଣ ଲକ୍ଷଣ । ଅନେକ ଘଟଣାରେ ପରିବାର, ବନ୍ଧୁବର୍ଗ ଏହାକୁ ଅନୁଭବ କରିବା ପରେ ଏହା ଦୂରାତ୍ମା ବା ଗୁଣୀ ଗାରିଡିର ପ୍ରଭାବ ବୋଲି ମନେ କରି ଗୁଣିଆଙ୍କ ସାହାଯ୍ୟ ଲୋଡନ୍ତି । ଏପରି ଅବସ୍ଥାରେ ସେମାନେ ସଚେତନ ହେବା କଥା ଯେ, ଏହା ଏକ ରୋଗର ଲକ୍ଷଣ, ଯାହା ଚିକିତ୍ସା ସାପେକ୍ଷ ।

କେତେକ କ୍ଷେତ୍ରରେ ଲୋକେ ସଚେତନ ଥିଲେ ମଧ୍ୟ ମାନସିକତା ଅଭାବରୁ ଚିିକିତ୍ସାରୁ ବଞ୍ଚିତ ରହୁଛନ୍ତି । ସମୁଦ୍ରରେ ବରଫ ପାହାଡ ଯେପରି କେବଳ ୧୦ ପ୍ରତିଶତ ଉପରକୁ ଦେଖା ଯାଉଥାଏ କିନ୍ତୁ ତାହାର ପ୍ରକୃତ ଆକାରର ୯୦ ପ୍ରତିଶତ ପାଣି ଭିତରେ ଥାଏ, ସେହିପରି ସମାଜରେ ପ୍ରକୃତ ମାନସିକ ରୋଗୀଙ୍କ ମଧ୍ୟରୁ ସାମାନ୍ୟ କିଛି ରୋଗୀ ମାତ୍ର ଚିକିତ୍ସା ପାଇଁ ଡାକ୍ତର ପାଖକୁ ଆସିଥାନ୍ତି । ଏଭଳି କ୍ଷେତ୍ରରେ ସାମାଜିକ ସଚେତନତା ହିଁ ରୋଗରୁ ଦୂରେଇ ରହିବାର ଏକମାତ୍ର ଉପାୟ । ସାମଜିକ ଘୃଣାଭାବ, ରୋଗରେ ପ୍ରସାର ଓ ଚିକିତ୍ସାର ଅବହେଳା ଏହାର ଅନ୍ୟତମ ପ୍ରମୁଖ କାରଣ । ରୋଗାକ୍ରନ୍ତ ଜାଣିଶୁଣି ଲୋକଲଜ୍ଜ୍ୟାରୁ ବଞ୍ଚିବା ପାଇଁ ଡାକ୍ତର ପାଖକୁ ଯିବାକୁ କୁଣ୍ଠାବୋଧ କରନ୍ତି ଲୋକେ । ଏପରିକି ରୋଗାକ୍ରାନ୍ତ ଥିବା ଜଣାପଡିଲେ, ପୁଅ ଝିଅର ବାହାଘର ଠିକ୍‌ ହେବା ମଧ୍ୟ କଷ୍ଟକର ହୋଇପଡେ । ଲୋକେ ଭୁଲି ଯାଆନ୍ତି ଯେ, ଶାରୀରିକ ରୋଗ ଭଳି ମାନସିକ ରୋଗ ମଧ୍ୟ ଚିକିତ୍ସା ସାପେକ୍ଷ । ଆବଶ୍ୟକୀୟ ଚିକିତ୍ସା କରା ନଗଲେ ଆତ୍ମହତ୍ୟା ପ୍ରବଣତା ଏହାର ଭୀଷଣ ପରିଣତ ହୋଇପାରେ । ଚିକିତ୍ସାରେ ଅବହେଳା ଯୋଗୁଁ ଏହି ସମସ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ବ୍ୟବସାୟରେ ବଡ ବିଫଳତା, ଅର୍ଥ ଚିନ୍ତା, ପଢା ପଢି ଚିନ୍ତା, ସଂପର୍କରେ ଫାଟ, ଅବସାଦଗ୍ରସ୍ତ ହୋଇ ରହିବା, ସ୍କୁଲ କଲେଜରେ ସାଙ୍ଗସାଥୀମାନେ ମାତ୍ରାଧିକ ଭାବେ ଚିଡାଇବା ଆତ୍ମହତ୍ୟାର ମୁଖ୍ୟ କାରଣ । ରୋଗାଗ୍ରସ୍ତ ବ୍ୟକ୍ତି ସମସ୍ୟାର ନିରାକରଣ ପାଇଁ ନିଜ ସମସ୍ୟାକୁ ପରିବାର, ବନ୍ଧୁବର୍ଗ ପାଖରେ ଖୋଲାଖୋଲି ଭାବେ ରଖିବା ଗୁରୁତ୍ୱପୁର୍ଣ୍ଣ । ଏହା ସହ ସମସ୍ୟା ଜାଣିବା ପରେ ପରିବାରବର୍ଗ ରୋଗୀଙ୍କୁ ଡାକ୍ତରଙ୍କୁ ଦେଖାଇ ତାର ଚିକିତ୍ସା କରାଇବା ସହିତ ରୋଗୀଙ୍କୁ ଉତ୍ସାହିତ କରି ରଖିବା ଆବଶ୍ୟକ । ତେବେ ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ କରିବାର ୫ଟି ମୂଖ୍ୟ ପଦକ୍ଷେପ ରହିଛି । ସେଗୁଡିକ ହେଲା – ରୋଗୀମାନେ ବନ୍ଧୁ ପରିବାର, ପ୍ରିୟଜନଙ୍କ ସଂପର୍କରେ ସର୍ବଦା ରହିବା, ପ୍ରତିଦିନ କିଛି ବ୍ୟାୟାମ, ଯୋଗ ବା ଅଧ୍ୟାତ୍ମିକ କାର୍ଯ୍ୟରେ ଲିପ୍ତ ରହିବା, ନୂଆ ନୂଆ କିଛି ଶିଖିବା, ଜାଣିବା ପାଇଁ ପ୍ରୟାସ କରିବା, ଅନ୍ୟମାନଙ୍କ ପ୍ରତି ଦୟାବାନ ହେବା ତଥା ନିଜର ଚିନ୍ତନ ପ୍ରକ୍ରିୟା ପ୍ରତି ଯତ୍ନବାନ ହେବା । ଏସବୁ ପ୍ରଚେଷ୍ଟା କଲେ ହୁଏତ ଆମେ ସମସ୍ତେ ନିହାତି ମାନସିକ ରୋଗରୁ ଦୂରେଇ ରହି ପାରିବା ବୋଲି ବିଶ୍ୱାସ ।

Leave A Reply

Your email address will not be published.

seven − six =