- ବିଭୁତି ପଣ୍ଡା
ମୁଁ ଯେଉଁ ଅନୁଷ୍ଠାନରେ ପାଠ ପଢୁଥିଲି ସେହି ଗଙ୍ଗାଧର ମେହେର ମହାବିଦ୍ୟାଳୟ ଏବେ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇସାରିଛି । ସ୍ୱଭାବ କବିଙ୍କ ନାମରେ ନାମିତ ସେହି ଅନୁଷ୍ଠାନରେ କବି ଭୀମଭୋଇ ଚେୟାର ସ୍ଥାପନ କରାଯାଇ ସେହି ମାନବବାଦୀ କବିଙ୍କ ସୃଷ୍ଟିର ମହନୀୟତା ପ୍ରକ୍ଷାପନ ପାଇଁ ପ୍ରଚେଷ୍ଟା ଚାଲିଛି । ବିଗତ ସତର ତାରିଖ ସେହି ଅନୁଷ୍ଠାନରେ କବି ଭୀମଭୋଇ ଜୟନ୍ତୀ ପାଳନ ଅବସରରେ ମୁଁ ମୁଖ୍ୟବକ୍ତା ଭାବେ ଯୋଗ ଦେବାର ସୁଯୋଗ ପାଇଥିଲି । ଜଣେ ଲେଖକ ଭାବରେ ମୋତେ ଗଢିତୋଳିବାରେ ସେଇ ଅନୁଷ୍ଠାନର ଅବଦାନ ଅନେକ ତେଣୁ ସେହି ପବିତ୍ର ମାଟିରେ କବି ଭୀମଭୋଇଙ୍କ ଜୀବନ ଆଧାରିତ ଚରିତ ଉପନ୍ୟାସ “ଭୂମାନ୍ୱେଷୀ” ତଥା କବିଙ୍କ ସମ୍ପର୍କରେ ସମାଲୋଚନାର ଧାରାକୁ ନେଇ ଆଲୋଚନା ପୁସ୍ତକ “ଭୀମଭୋଇ : ଭୂମି ଓ ବିଭା” ପାଠକାର୍ପଣ ହେଲା ସମୟରେ ମୁଁ ଉଲ୍ଲସିତ ହୋଇ ଉଠିଥିଲି । ସେ ଉଭୟ ପୁସ୍ତକ ପଶ୍ଚିମା ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ଓ ଏବେ ଆମାଜନରେ ଉପଲବ୍ଧ । କବି ଭୀମଭୋଇଙ୍କ ସମ୍ପର୍କରେ ଅନେକ ନୂତନ ତଥ୍ୟ ପାଠକ ତହିଁଁରୁ ପାଇ ପାରିବେ ବୋଲି ଆଶା ।