csstore

କବିତା : ପାପର ମୃଦୁହସ

ସୌଭାଗ୍ୟବନ୍ତ ମହାରଣା

କଳାରକ୍ତର ଉର୍ବରତାରେ
ଗଜୁରୁଥିବା ଧର୍ମାନ୍ଧତାର ବୀଜ
ପାଆଁଲି ଯାଏ ପାପଗ୍ରନ୍ଥିରେ
କଙ୍କାଳ ମାନଙ୍କୁ ଗଭୀର ନିଦରୁ ଉଠେଇ
ନିକୃଷ୍ଟ ପୁଣ୍ୟର ବଶମ୍ବଦ ହେବାକୁ।
ମୃଦୁ ହସରେ ପାପର ପ୍ରଲେପ
ଅବିଶ୍ବାସର ସନ୍ଧିରେ ସନ୍ଦେହର ଦୀର୍ଘଶ୍ବାସ।

ଅଜ୍ଞତା, ଅହଙ୍କାର,ଆସ୍ଫାଳନକୁ
ଅମୂଲ୍ୟ ଅଳଙ୍କାର ମଣୁଥିବା
ସେ ଅବତାରୀ ଅସୁର ଏବେ ପାଗଳ
ମୃତ ଈଶ୍ବରଙ୍କୁ ଜୀବନ୍ୟାସ ଦେବାକୁ।
ପାପର  କାରୁକାର୍ଯ୍ୟରେ ଚିତ୍ରିତ
ଭଙ୍ଗାଗଢା ଦେହର କାନଭାସ
ମିଛ ସୁଖର ନାଭିମଣ୍ଡଳରେ
ଅଧର୍ମର ଗଳିତ ଆତ୍ମୀୟତା ଖୋଜିବାକୁ।

ରକ୍ତର ଲୁଣିଆ ଗନ୍ଧରେ
ନଷ୍ଟ ଯୌବନର କଳଙ୍କିତ ନିଃଶ୍ବାସ
ଜୀବନକୁ ଭଲ ପାଇବା ଶିଖୁ ଶିଖୁ
ଦେହ ସନ୍ଧିରୁ ଖସିଯାଏ ଅବେଳରେ
ଅବିବେକୀ ସମୟର ଅନ୍ତର୍ବାସ।
ଧର୍ମର ଆଖିଠାରରେ ପାପର ମୃଦୁହସ
ଅରୂପରେ ରୂପ ଖୋଜିବାକୁ
ବିଦେହରେ ଦେହ ଭୋଗିବାକୁ
ଉଲଗ୍ନ ପାଶବିକତା ଲୁଚିଥାଏ ସତେ କି
ମିଛ ସଭ୍ୟତାର ଦୂଷିତ ରକ୍ତରେ
ଦି’ପହରେ ଅନ୍ଧାରର ସଂତ୍ରାସ ସୃଜିବାକୁ !
 

ଭାରତୀ ଭବନ, ଶିବମ୍ କଲୋନୀ, ଆୟକର ଭବନ ପଛ, ସମ୍ବଲପୁର-୭୬୮୦୦୪
ମୋବାଇଲ-୯୪୩୭୪୫୭୭୩୬

jayashree
Leave A Reply

Your email address will not be published.