om academy

ଉଦ୍ଦେଶ୍ୟ ସାଧନ ପାଇଁ ସାମର୍ଥ୍ୟ ହରାଇଛି ପଶ୍ଚିମ ଓଡିଶା ବିକାଶ ପରିଷଦ : ପରିଷଦର ପୁନର୍ଜୀବନ ଅପେକ୍ଷାରେ ଅଞ୍ଚଳବାସୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟ ନେଇ ଗଠନ କରାଯାଇଥିଲା ପଶ୍ଚିମ ଓଡିଶା ବିକାଶ ପରିଷଦ । ଏହି ମହତ ଉଦ୍ଦେଶ୍ୟ ସାଧନ ପାଇଁ ସାମର୍ଥ୍ୟ ହରାଇଛି ବିକାଶ ପରିଷଦ ବୋଲି ଖୋଦ୍‌ ରାଜ୍ୟର କଂଟ୍ରୋଲର ଓ ଅଡିଟର ଜେନେରାଲ ତାଙ୍କ ରିପୋର୍ଟରେ ଦର୍ଶାଇଥିବା ଜଣାଯାଇଛି । ୨୦୧୫ ମସିହାରୁ ୨୦୧୮ ମସିହା ସମୟ ପର୍ୟ୍ୟନ୍ତ ବିକାଶ ପରିଷଦର କାର୍ୟ୍ୟକୁ ସମୀକ୍ଷା କରି ପ୍ରସ୍ତୁତ କରାଯାଇଥିବା ରିପୋର୍ଟର ନକଲକୁ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ରାଜ୍ୟ କଂଟ୍ରୋଲର ଓ ଅଡିଟର ଜେନେରାଲଙ୍କ କାର୍ୟ୍ୟାଳୟକୁ ମାଗିଥିଲେ । ସୂଚନା କର୍ମୀ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ପଛୁଆ ଅଞ୍ଚଳ ଭାବେ ପରିଗଣିତ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ଓ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବ ଡିଭିଜନର ସମୂଦାୟ ୮୯ଗୋଟି ବ୍ଲକ ଅଞ୍ଚଳର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ଶିକ୍ଷା କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶର ଉଦ୍ଦେଶ୍ୟ ନେଇ ୧୯୯୮ ମସିହାରେ ଗଠନ କରାଯାଇଥିଲା ବିକାଶ ପରିଷଦ । କିନ୍ତୁ ଗୁରୁତର ପରିଚାଳନା ଗତ ତ୍ରୁଟି, ଲକ୍ଷ୍ୟହୀନ ଯୋଜନା ଓ ଠିକାଦାର ପୋଷା ନୀତି ଯୋଗୁଁ ବିକାଶ ପରିଷଦ ମୂଳ ଲକ୍ଷ୍ୟରୁ ଦୂରେଇ ଯାଇଥିବା କଥା ସମୀକ୍ଷା ରିପୋର୍ଟରୁ ଜଣାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ପରିଷଦ ଅଞ୍ଚଳ ମଧ୍ୟରେ ରହିଥିବା ଅତି ପଛୁଆ ଓ ପଛୁଆ ବ୍ଲକ ଗୁଡିକ ଅପେକ୍ଷା ବିକାଶଶୀଳ ଓ ବିକଶିତ ବ୍ଲକ ଗୁଡିକରେ ଅଧିକ ଅର୍ଥ ବିନିଯୋଗ କରାଯିବା ଫଳରେ ଅଞ୍ଚଳ ମଧ୍ୟରେ ବିକାଶର ସମାନତା ଆସିନାହିଁ । ରାଜ୍ୟ ସରକାର ପରିଷଦ ଅଞ୍ଚଳର ପଛୁଆ ଓ ଅତି ପଛୁଆ ବ୍ଲକ ଗୁଡିକୁ ଅôଗାଧିକାର ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ କାର୍ୟ୍ୟକାରୀ କରାଯାଇନାହିଁ । ୨୦୧୫ରୁ ୨୦୧୮ ମଧ୍ୟରେ ଖର୍ଚ୍ଚ କରାଯାଇଥିବା ସମୂଦାୟ ୪୦୯ କୋଟି ୭୨ ଲକ୍ଷ ଟଙ୍କାରୁ ୧୮୩ କୋଟି ୪୧ ଲକ୍ଷ ଟଙ୍କା ବିକାଶଶୀଳ ଓ ବିକଶିତ ବ୍ଲକମାନଙ୍କୁ ଆବଣ୍ଟନ କରାଯାଇଥିବା ବେଳେ ୯୭ କୋଟି ୫୨ ଲକ୍ଷ ଟଙ୍କା ପଛୁଆ ବ୍ଲକ ପାଇଁ ଓ ୧୨୯ କୋଟି ୭୯ ଲକ୍ଷ ଟଙ୍କା ଅତି ପଛୁଆ ବ୍ଲକକୁ ଆବଣ୍ଟନ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପଛୁଆ ଓ ଅତି ପଛୁଆ ବ୍ଲକ ସଂଖ୍ୟା ଅଧିକ ଥିଲେ ମଧ୍ୟ ଏହି ଅଞ୍ଚଳରେ କମ ଅର୍ଥ ଖର୍ଚ୍ଚ କରାଯାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା କୁ ବଖାତିର କରାଯାଇଥିବା ଉଲ୍ଲେଖ ରହିଛି । ବର୍ଷ ବର୍ଷ ଧରି ଖାଲି ପଡିଥିବା ସଦସ୍ୟ ପଦ ପୂରଣ କରାଯାଉ ନାହିଁ ଫଳରେ ବିଭିନ୍ନ ଅଞ୍ଚଳର ବିକାଶ ପାଇଁ ପ୍ରସ୍ତାବ ଅସୁନାହିଁ । ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଥିବା ଲୋକଙ୍କୁ ପରିଷଦର ସଦସ୍ୟ ଭାବେ ମନୋନୀତ କରିବା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା କରାଯାଉନାହିଁ । ସଦସ୍ୟ ମନୋନୟନରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଅଯାଇଛି । ମୁଣ୍ଡ ପିଛା ଯଥେଷ୍ଟ ପିଇବା ପାଣି ଉପଲବ୍ଧ ହେଉଥିବା ଅଞ୍ଚଳରେ ନଳକୂପ ଖୋଳା ଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ଆଇନର ଉଲଂଘନ କରାଯାଇ ବେସରକାରୀ ସ୍କୁଲ ମାନଙ୍କୁ ପାଣ୍ଠି ଯୋଗାଇ ଦିଅଯାଇଥିବା କଥା ମଧ୍ୟ ଉଲ୍ଲେଖ ରହିଛି । ଠିକାଦାର ମାନଙ୍କ ଠାରୁ ଅର୍ଥ ଦଣ୍ଡ ଅସୁଲି କରାନଯାଇ ପରିଷଦର କ୍ଷତି କରାଯାଉଥିବା ସଙ୍ଗେ ବିନା ଟେଣ୍ଡରରେ ଅନେକ କାର୍ୟ୍ୟ କରାଯାଉଥିବା କଥା ରିପୋର୍ଟରେ ସ୍ଥାନ ପାଇଛି । ଜଳସେଚନକୁ ଆଦୌ ଗରୁତ୍ୱ ଦିଅଯାଇନଥିବା ଜଣାଯାଇଛି । ପରିଷଦ ପକ୍ଷରୁ ପ୍ରସ୍ତାବିତ ତିନୋଟି ମେଡିକାଲ କଲେଜ ଯଥା ବଲାଙ୍ଗିର, କଳାହାଣ୍ଡି ଓ ରାଉରକେଲା ମେଡିକାଲ କଲେଜ ବିଫଳତା ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ଏହା ମଧ୍ୟରୁ ବଲଙ୍ଗିରରେ କାର୍ୟ୍ୟ ଆରମ୍ଭ ନ ହୋଇ ବନ୍ଦ ହୋଇଯାଇଥିବା ବେଳେ ରାଉରକେଲା ଓ କଳାହାଣ୍ଡିରେ ଏମସିଆଇ ର ମାର୍ଗଦର୍ଶିକା ପରିପୂରଣ କରିନଥିବା ଉଲ୍ଲେଖ ରହିଛି । ଅଭିଜ୍ଞତା ନଥିବା ସଂସ୍ଥା ମାନଙ୍କୁ ଏଭଳି ଦାୟୀତ୍ୱ ଦିଅଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି । ମୋଟ ଉପରେ ସମସ୍ତ କ୍ଷେତ୍ରରେ ପରିଷଦ ବିଫଳ ହୋଇଥିବା ସମୀ୩ା ରିପୋର୍ଟରୁ ଜଣାଯାଇଛି ବୋଲି ପଣ୍ଡା କହିଛନ୍ତି । ଦୀର୍ଘ ଦିନ ଧରି ଅଧ୍ୟକ୍ଷ ପଦ ଖାଲି ରହିବା ପରେ ବର୍ତ୍ତମାନ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଅସୀତ ତିପାଠୀଙ୍କୁ ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି । ପଶ୍ଚିମ ଓଡିଶା ବାସୀଙ୍କ ସାମୂହିକ ବିକାଶ ଉଦ୍ଦେଶ୍ୟ ନେଇ ଗଠିତ ହୋଇଥିବା ବିକାଶ ପରିଷଦ କିଛି ନେତାଙ୍କ ପାଇଁ ଦୁହାଳିଆ ଗାଇ ଭାବେ ବ୍ୟବହୃତ ହୋଇଛି ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ପ୍ରଶାସକ ରୁ ଅଧ୍ୟକ୍ଷ ହୋଇଥିବା ତ୍ରିପାଠି ଏହି ପରିଷଦକୁ ପୁନର୍ଜିବନ ଦେବେ ବୋଲି ଶ୍ରୀ ପଣ୍ଡା ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.