pakka

ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌

ଗୋପାଳପୁର : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଇନ୍ଦ୍ରାକ୍ଷୀ ପଞ୍ଚାୟତର ଜିଆର୍‌ଏସ୍‌ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଥିବା ଜଣାପଡିଛି । ଜିଆର୍‌ଏସ୍‌ ସି.ଏଚ. ଚାନ୍ଦ୍ରେୟା ଏକ ପୋଖରୀ କାମର ବିଲ୍‌ ପାସ୍‌ କରାଇବା ପାଇଁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛନ୍ତି । ସୂଚନା ଅନୁସାରେ, ଇନ୍ଦ୍ରାକ୍ଷୀ ପଞ୍ଚାୟତ ହନ୍ତଳୁ ଗ୍ରାମର ଏକ ପୋଖରୀ ପୁନରୁଦ୍ଧାର ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସରେ ମାଟି କାମ ନିମନ୍ତେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ପ୍ରଥମ କିସ୍ତିରେ ୪୭ ଶ୍ରମିକଙ୍କ ପାଇଁ ୨ଲକ୍ଷ ୩୨ ହଜାର ୯୨୦ ଟଙ୍କାର ବିଲ୍‌ ହୋଇଥିଲା । ଏହି ବିଲ୍‌ ପାସ କରିବା ନିମନ୍ତେ ହନ୍ତଳୁ ଗ୍ରାମର ଋଷି ରେଡ୍ଡୀଙ୍କୁ ଜିଆର୍‌ଏସ୍‌ ଚାନ୍ଦ୍ରେୟା ୨୭ ହଜାର ଟଙ୍କା ଦାବୀ କରିଥିଲେ । ଏନେଇ ଋଷି ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଯୋଜନା ପ୍ରକାରେ ପୂର୍ବାହ୍ନରେ ଋଷି ବ୍ଲକ କାର୍ଯ୍ୟାଳୟକୁ ଆସି ଚାନ୍ଦ୍ରେୟାଙ୍କୁ ଦାବୀ ମୁତାବକ ଟଙ୍କା ଦେଇଥିଲେ । ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ଚାନ୍ଦ୍ରେୟାଙ୍କୁ କାବୁ କରିବା ସହ ଉକ୍ତ ଟଙ୍କା ଜବତ କରିଥିଲେ । ପରେ ଇନ୍ଦ୍ରାକ୍ଷୀ ପଞ୍ଚାୟତ କାର୍ଯ୍ୟାଳୟରେ ଯାଞ୍ଚ କରିଥିଲେ । ଏନେଇ ଭିଜିଲାନ୍ସ ନଂ.୨୦/୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

Leave A Reply

Your email address will not be published.

five × five =