ଭିଜିଲାନ୍ସ ଜାଲରେ କୁବେର କନିଷ୍ଠ ଯନ୍ତ୍ରୀ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ । ଆଜି ତାଙ୍କ ବାସଭବନ ସମେତ ୪ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି ଭିଜିଲାନ୍ସ । ବିରଞ୍ଚିଙ୍କ କୁମଣ୍ଡ ସ୍ଥିତ ବାସଭବନରେ, ଅମ୍ବାପାଳ ସ୍ଥିତ ଘରେ, ତାଳଚେର ବ୍ଲକ୍ ଅଫିସରେ, ମେରାମୁଣ୍ଡଳୀ ସ୍ଥିତ ଶ୍ୱଶୁର ଘରେ, ତାଳଚେର ବିଡିଓ ଅଫିସର ତାଙ୍କ ଚାମ୍ବରରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍‌ । ସୂଚନା ଅନୁସାରେ ଅନୁଗୋଳ ସହ କଟକ, କେନ୍ଦ୍ରାପଡା, ଜଗତସିଂହପୁରର ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ତେବେ ଏହି ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ଟିମ୍‌ ହାତରେ ଲାଗିଥିବା ଆଲୋଚନା ହେଉଛି । ୨୦୧୦ରେ ବିରଞ୍ଚି ଚୁକ୍ତିଭିତ୍ତିକ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ । ୨୦୧୫ ଯାଏ ଚୁକ୍ତିଭିତ୍ତିକ ଆଧାରରେ ସେ ମାସିକ ୧୨,୫୦୦ ଟଙ୍କା ପାଉଥିଲେ । ଆଉ ଏହା ପରେ ସେ ନିୟମିତ ନିଯୁକ୍ତି ପାଇଥିଲେ । ନିଜର ଚାକିରି କାଳ ଭିତରେ ତାଙ୍କର ଆୟ ୩୯ ଲକ୍ଷ ଟଙ୍କା ହୋଇଛି । ପ୍ରାଥମିକ ଆକଳନରୁ ତାଙ୍କର ଅଲଗା ଅଲଗା ଆକାଉଣ୍ଟରେ ଏଫଡି ଓ ଅନ୍ୟ ଡିପୋଜିଟ୍ ଆକାରରେ ମୋଟ ୯୬,୯୦,୧୯୩ ଟଙ୍କା ଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୪୬ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା, ୫୦ ଲକ୍ଷରୁ ଅଧିକ ଟଙ୍କାର ସଞ୍ଚୟ ଜମା ଥିବା ଜଣାପଡିଛି । ଏହାସହ ଗୋଟିଏ ୨ ମହଲା କୋଠା, ଅନ୍ୟ ଏକ ବିଲ୍ଡିଂ, ଗୋଟିଏ କାର ଏବଂ ୫ଟି ବାଇକ୍ ଥିବା ଜଣାପଡିଛି । ଭିଜିଲାନ୍ସ ୨୬୧ ଗ୍ରାମର ସୁନାଗହଣା ତାଙ୍କ ଘରୁ ଜବତ କରିଥିବା ବେଳେ ଏ ନେଇ ପରବର୍ତ୍ତୀ ସମୟରେ ସୂଚନା ଦେବାକୁ କହିଛନ୍ତି ଭିଜିଲାନ୍ସ ଟିମର ବରିଷ୍ଠ ଅଧିକାରୀ । ଏବେ ବି ଚଢ଼ାଉ ଜାରି ରହିଛି ।

Leave A Reply

Your email address will not be published.

15 + 9 =