
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଏକମାତ୍ର ଅଗ୍ରଣୀ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ଏହି ନିର୍ଭର ଯୋଗ୍ୟ ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ବିଭିନ୍ନ ସମୟରେ ପିଲାମାନଙ୍କ ଉଦ୍ଦେଶ୍ୟରେ ବହୁ ରୁଚିପୂର୍ଣ୍ଣ କାର୍ଯ୍ୟକ୍ରମମାନ ଆୟୋଜନ ହୋଇ ଖୁବ୍ ନିଆରା ପ୍ରଶଂସନୀୟ କାର୍ଯ୍ୟ କରି ଆସୁଛି । ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ରଙ୍ଗମଞ୍ଚରେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା । ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇ ଖୁବ୍ ଉତ୍ସବ ମୁଖର ହୋଇଉଠିଥିଲା । ମୁଖ୍ୟଅତିଥୀ ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ସୁଚିତ୍ରା ପାଣିଗ୍ରାହୀ, ଜାତୀୟସ୍ତରର କ୍ରୀଡ଼ାବିତ୍ ସିମାଞ୍ଚଳ ବାରିକ୍ ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଅନେକ ପରାମର୍ଶ ପ୍ରଦାନ କରିଥିଲେ । ପ୍ରତିଭା ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ ସଭାରେ ଅଧ୍ୟକ୍ଷତା କରିଥିଲେ ।