
ନୟାଗଡ଼, (କେପିଏନ୍ଏସ୍): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରର ମଧୁବନ ମିନି ଷ୍ଟାଡିୟମ ପରିସରରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହେନ୍ଦ୍ର ସ୍ୱାଇଁ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ସକ୍ଷମ ଓଡ଼ିଶା ପକ୍ଷରୁ ଆୟୋଜିତ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀସ୍ତରୀୟ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ ଜିଲ୍ଲାପାଳ ମଧୁମିତା ରଥ, ସକ୍ଷମ ଭାରତର କେନ୍ଦ୍ରୀୟ ଉପାଧ୍ୟକ୍ଷ କମଳାକାନ୍ତ ପାଣ୍ଡେ, ସାଧାରଣ ସଂପାଦକ ଉମେଶ ଅନ୍ଧାରେ, କଟକ, ଓଲଟପୁରସ୍ଥିତ ନିରତାରର ବରିଷ୍ଠ ଚିକିତ୍ସକ ଡାକ୍ତର ପି.ପି ମହାନ୍ତି, ବିଡିଓ ଅଙ୍କୁର ଅଭିଳାଷ, କଟକ ଲୋକସଭା ସାଂସଦଙ୍କ ବ୍ଲକ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାର ସିଂ, ସକ୍ଷମ ଓଡ଼ିଶାର ନୟାଗଡ଼ ଜିଲ୍ଲା ସଭାପତି ଅଖିଳ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ମନୋଜ ଦାଶ ବେଦ ପାଠ କରିଥିବା ବେଳେ ସକ୍ଷମ ଓଡ଼ିଶାର ସଂପାଦିକା ମନସ୍ମିତା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ରାଜଶ୍ରୀର ସଂପାଦକ ଆଶୁକବି ହେମନ୍ତ ଜେନାଙ୍କ ତତ୍ୱାବଧାନରେ ଓ ଆଲିମକୋ ସହାୟତାରେ ଖଣ୍ଡପଡ଼ା ସହରାଞ୍ଚଳ ସମେତ ଖଣ୍ଡପଡ଼ା ଓ ଭାପୁର ବ୍ଲକ ଅଞ୍ଚଳର ୫୨୧ ଜଣ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ହୁଇଲ ଚେୟାର, ହୁଇଲ ଚେୟାର, ଆଶାବାଡ଼ି, ଶ୍ରବଣ ଯନ୍ତ୍ର, ଅଣ୍ଟା ଓ ପିଠି ଯନ୍ତ୍ରଣା ଉପଶମ ନିମନ୍ତେ ବେଲ୍ଟ ବଣ୍ଟନ କରାଯାଇଥିଲା । କଣ୍ଠଶିଳ୍ପୀ ବିଜୟ କୁମାର ପ୍ରଧାନ ଓ ସାଥୀ ଭଜନ ପରିବେଷଣ କରିଥିଲେ ।