
ଲୋଇସିଂହା, (ବିମଳେନ୍ଦୁ ସାହୁ) : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ୮୫ ଜଣ ଶାରୀରିକ ଭିନ୍ନକ୍ଷମ, ୬୪ ଜଣ ଶ୍ରବଣ ବାଧିତ, ୭ ଜଣ ମାନସିକ ଭିନ୍ନକ୍ଷମ ତଥା ୧୮ ଜଣ ଦୃଷ୍ଟିବାଧିତ ଯୋଗ ଦେଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭବେଶ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଦୁ, ତହସିଲଦାର ଟିକୁନୁ ପୁଟା, ଏବିଡିଓ ବିଜୟ ନାୟକ, ମନ୍ତ୍ରୀ ପ୍ରତିନିଧି ଗୌରାଙ୍ଗ ନାଏକ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସାମୁହିକ ଉଦ୍ୟମ ତଥା ପ୍ରଚେଷ୍ଟା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଡ଼ା. ମୁକେଶ କୁମାର ମିରି, ମାନସ ରଞ୍ଜନ ମିଶ୍ର, ଅଭିଳାଷ ନାଏକ, ଅନିଲ କୁମାର ନାୟକ, ଡ଼ା. ସୁନିତା ହୋତା ପ୍ରମୁଖ ଏହି ଶିବିରରେ ଯୋଗଦେଇ ଉପସ୍ଥିତ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ତଥା ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।