
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ମାଲଗୋଦାମପଡ଼ାରେ ରେଳ ବିଭାଗର ଜଣେ ଚିଫ୍ ଲୋକୋ ପାଇଲଟଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏକ ଭଡ଼ା ଘର ଭିତରୁ ପ୍ରଭାତ କୁମାର ମଜୁମଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପହଞ୍ଚି ଟିଟିଲାଗଡ଼ ପୋଲିସ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଘରର ମୁଖ୍ୟ ଦ୍ୱାର ଖୋଲା ରହିଥିବାରୁ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି । ଘଟଣା ସମ୍ପର୍କରେ ମୃତକଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ପ୍ରଭାତ କୁମାର ମଜୁମଦାର ଦୀର୍ଘ ପ୍ରାୟ ୮ ବର୍ଷ ଧରି ମାଲଗୋଦାମପଡ଼ାର ଏହି ଭଡ଼ା ଘରେ ରହୁଥିଲେ । ତାଙ୍କ ଚାକିରି କାଳ ଆହୁରି ପ୍ରାୟ ୪ ବର୍ଷ ବାକି ଥିବା ବେଳେ ଗତ କିଛି ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଛୁଟିରେ ଥିଲେ । ତାଙ୍କ ସ୍ତ୍ରୀ ଓ ଝିଅ କୋଲକାତାରେ ରହୁଥିବା ଜଣାପଡ଼ିଛି । ଝିଅ ସେଠାରେ ରହି ପାଠପଢ଼ୁଥିବା ବେଳେ ପ୍ରଭାତ କୁମାର ଏକାକୀ ଟିଟିଲାଗଡ଼ରେ ରହୁଥିଲେ । ବୁଧବାର ଅପରାହ୍ନରେ ଘର ଭିତରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା । ତେବେ ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟତା ଆସିନାହିଁ । ଘଟଣାର ତଦନ୍ତ ପାଇଁ ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଆବଶ୍ୟକ ପ୍ରମାଣ ସଂଗ୍ରହ କରାଯିବ । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ । ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ହିଁ ପ୍ରକୃତ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସେପଟେ ସହକର୍ମୀମାନେ ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ତାଙ୍କ ମୋବାଇଲରେ ଥିବା କୌଣସି ତଥ୍ୟ ଘଟଣାର କାରଣ ଜାଣିବାରେ ସହାୟକ ହୋଇପାରେ ବୋଲି ଆଲୋଚନା ହେଉଛି । ତେବେ ଏହି ସନ୍ଦେହଜନକ ମୃତ୍ୟୁ ପଛର ସତ କଣ ? ପୋଲିସ ତଦନ୍ତ, ସାଇଣ୍ଟିଫିକ୍ ଟିମର ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣା ଉପରୁ ପ୍ରକୃତ ପରଦା ହଟିବ ।