pakka

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଉଦ୍‌ଯାପିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଗୁରୁବାର ଗୋଧୂଳି ଲଗ୍ନରେ ପାରମ୍ପରିକ ନୀତି ଅନୁଯାୟୀ ହରିହର ଭେଟ ପାରସ୍ପରିକ ଫଗୁ ବିନିମୟରେ ଉଦ୍‌ଯାପିତ ହୋଇଯାଇଛି । ୧୨ ତାରିଖ ମଧ୍ୟରାତ୍ରରୁ ଆକର୍ଷଣୀୟ ଆତସବାଜୀ ବାଣ ପ୍ରଦର୍ଶନୀ ମଧ୍ୟରେ ସ୍ଥାନାଧିପତି ପଶ୍ଚିମ ଶମ୍ଭୁ ସୋମନାଥ ଦେବଙ୍କ ସହ ଆଖପାଖ ଗ୍ରାମର ୮୪ ଠାକୁରଙ୍କ ବିମାନର ଜମାଣ ଉତ୍ସବ ସମ୍ପନ୍ନ ହୋଇଯାଇଛି । ମେଲଣର ଚତୁର୍ଥ ଦିବସରେ ରାଜ୍ୟସ୍ତରୀୟ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ପରିଷଦ ଓ ହରିରାଜପୁର ପଞ୍ଚଦୋଳ ମେଲଣ ପରିଚାଳନା କମିଟି ସହଯୋଗରେ ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ବଲାଙ୍ଗିର ଆଦି ଜିଲ୍ଲାର ୬୦୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳାଙ୍କ ସଂକୀର୍ତ୍ତନ ମଣ୍ଡଳୀ ଆଧାତ୍ମିକ ପରିବେଶକୁ ରୁନ୍ଧିମନ୍ତ କରିଥିଲା । ୬ ହଜାରରୁ ଉର୍ଦ୍ଧ୍ୱ ପୁରୁଷ ମହିଳା ଖୋଳ ଝାଞ୍ଜ, ଗିନି, ଝୁମୁକା, ନଦିଆ ଆଦି ବାଦ୍ୟଯନ୍ତ୍ର ତାଳେ ତାଳେ ନାଚି ନାଚି ଶ୍ରୀ ଶ୍ରୀ ସୋମନାଥ ଦେବ ମନ୍ଦିର ବେଢାରୁ ବାହାରି ୨ କିମି ଦୂର ମେଲଣ ପଡିଆ ମଣ୍ଡପରେ ପହଂଚି ୮୪ ଠାକୁରଙ୍କ ମଣ୍ଡପ ପରିକ୍ରମା କରିଥିଲେ । ସନ୍ଧ୍ୟାରେ ବିଭିନ୍ନ ଦେବାଦେବୀଙ୍କ ବେଶରେ ଶିଶୁମାନଙ୍କ ସାମୁହିକ ଆଳତି ଚିତ୍ତାକର୍ଷକ ହୋଇଥିଲା । ମେଲଣ ଦ୍ଵିତୀୟ ଓ ଚତୁର୍ଥ ଦିବସରେ ନିମାଇଁ ସାହିତ୍ୟ ସଂସଦ ପକ୍ଷରୁ ସ୍ୱରଚିତ ଆଧ୍ୟାତ୍ମିକ କବିତା ଆସରର ଆୟୋଜନ କରାଯାଇଥିଲା । ହରିରାଜପୁର ଓଡ଼ିଆ ଅନୁଷ୍ଠାନ ଆନୁକୂଲ୍ୟରେ ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ମହୋତ୍ସବ ଓ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ହାଇଟେକ ହସ୍ପିଟାଲ ଓ ମେଡିକାଲ କଲେଜ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଥିଲା । ବିଭିନ୍ନ ବିଭାଗୀୟ ଡାକ୍ତରଙ୍କ ଦ୍ୱାରା ରୋଗୀମାନଙ୍କୁ ମାଗଣା ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ ବ୍ୟବସ୍ଥା କରାଯାଇଥିଲା । ଏଥି ସହିତ ହରିରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ତ୍ରୟମ୍ବକମ୍‌ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ପକ୍ଷରୁ ଚିକିତ୍ସା ସହାୟତା କେନ୍ଦ୍ର ଖୋଲା ଯାଇଥିଲା । ୩ ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ମେଲଣ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା । ୫ ଦିନ ଧରି ସମଗ୍ର ମେଲଣ ପଡିଆ ଅଞ୍ଚଳରେ ଜନ ସୁନାମି ପରିବେଶ ସୃଷ୍ଟି ହୋଇଥିଲା । ଗୁରୁବାର ମେଲଣ ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂ, ସମାଜସେବୀ ଜାଗୃତି ପଣ୍ଡା ମହାରଥୀ, ହୀରାଲାଲ ଶର୍ମା, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ପିପିଲି ଆତ୍ମା ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଧଳ, ମେଲଣ ପରିଚାଳନା କମିଟି ସଂଯୋଜକ ପ୍ରସନ୍ନ ମହାରଥୀ ପ୍ରମୁଖ ଯୋଗଦେଇ ମେଲଣ ଐତିହ୍ୟ, ପରମ୍ପରା, ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ । ମେଲଣ ସମ୍ବାଦ ପରିବେଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ସମେତ ୪୦ରୁ ଉର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ପ୍ରଶଂସା ପତ୍ର ଦେଇ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲା । ସମାଜସେବୀ ମହାଦେବ ରାଉତରାୟ, ଓଡ଼ିଆ ଅନୁଷ୍ଠାନର ସଭାପତି ତାପସ ମହାରଥୀ, ବିଷ୍ଣୁ ପ୍ରସାଦ ଜେନା ଓ ମେଲଣ ପରିଚାଳନା କମିଟିର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ । ରାତି ତମାମ ମେଲୋଡି, ନୃତ୍ୟ, ସଂଗୀତ, ଭଜନ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥିଲା ।

Leave A Reply

Your email address will not be published.

5 × two =