
ଢେଙ୍କାନାଳ : ସନ୍ଦେହଜନକ ଭାବେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସ୍ୱାମୀ ଓ ଶାଶୁ ଘର ଲୋକେ ଫେରାର । ଢେଙ୍କାନାଳ ଗୋବିନ୍ଦପୁର ଦଲକ ଗ୍ରାମରେ ଏଭଳି ଘଟଣା ଘଟିଛି । ହତ୍ୟା ସନ୍ଦେହ କରାଯାଉଛି । ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଦଲକ ଗ୍ରାମର ସମୀର ବେହେରା ୩ ବର୍ଷ ପୂର୍ବେ ସୁନିତା ବେହେରା (୨୫ ବର୍ଷ)ଙ୍କୁ ବିବାହ କରିଥିଲେ । ତାଙ୍କର ଏକ ଦେଢ଼ ବର୍ଷର ଝିଅ ଅଛି । ସମୀର କାମଧନ୍ଦା ନକରି ପତ୍ନୀର ଗହଣାଗାଣ୍ଠି ବିକ୍ରି କରି ସାଙ୍ଗମାନଙ୍କ ସହ ଉଡାଉଥିଲେ । ଏହାକୁ ବିରୋଧ କରିବାରୁ ସୁନିତାଙ୍କୁ ମାରପିଟ୍ କରୁଥିଲେ । ଏପରିକି ଶ୍ଵଶୁର ଘରୁ ଟଙ୍କା ମାଗି ଆଣୁଥିଲେ । ଶୁକ୍ରବାର ସୁନିତାଙ୍କୁ ମଧ୍ୟ ମାରପିଟ୍ କରିଥିଲେ । ଏନେଇ ସେ ବାପଘରକୁ ଫୋନ କରି ଜଣାଇଥିଲେ । ରାତିରେ ବାପଘର ଲୋକେ ସୁନିତାଙ୍କ ଶାଶୁଘରେ ପହଞ୍ଚିଥିଲେ । ମାତ୍ର ଘରେ କେହି ନଥିଲେ । ଘର ବାରଣ୍ଡାରେ ସୁନିତାଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ । ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସୁନିତାଙ୍କ ବାପଘର ଲୋକେ ସଦର ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୁଲିସ ଦଲକ ଗ୍ରାମରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ଛାନଭିନ୍ କରୁଛି ।