ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର କ୍ରୀଡ଼ାବିତଙ୍କ ବହୁ ଦିନର ସ୍ୱପ୍ନ ଆଜି ସାର୍ଥକ ହୋଇଛି । କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଯଥା ରୀତିନୀତି ଅନୁସାରେ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ବାଲିଗୁଡ଼ା ନଗର ବିଜେପି ପକ୍ଷରୁ କର୍ମୀଙ୍କ ଗହଣରେ ଏକ ବିରାଟ ପଟୁଆରରେ ଆସି ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚି ଥିଲେ । ବାଲିଗୁଡା ଆଇଟିଡିଏ ଦ୍ୱାରା ୫୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମରାମତି କର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଇ ପୁନଃ ଉଦଘାଟନ କରାଯାଇଥିଲା । ଦୀର୍ଘଦିନ ଧରି ମରାମତି କାର୍ଯ୍ୟ ଚାଲୁ ଥିବାରୁ ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଖେଳାଳିମାନେ ଅଭ୍ୟାସ କରିବାରୁ ବଞ୍ଚିତ ହୋଇ ରହିଥିଲେ । ଆଜି କିନ୍ତୁ କ୍ରୀଡାବିତ୍ ଓ କ୍ରୀଡ଼ା ପ୍ରଶାସକଙ୍କ ମନରେ ଖୁସିର ଲହରି ଖେଳିଯାଇଛି । ଆଜିର ଏହି ଉଦଘାଟନ ସମାରୋହରେ ଆଇଟିଡିଏ ବାଲିଗୁଡ଼ାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଉପଖଣ୍ଡ କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଡ଼ଃ. ସୁଶାନ୍ତ କୁମାର ଦାଶ, ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ ସାହୁ, ବାଲିଗୁଡ଼ା ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ କାର୍ୟକ୍ରମକୁ ସଫଳ କରିଥିଲେ ।
Prev Post