ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ସକମା ପଂଚାୟତ ସକମା ଠାରେ ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ କମ୍ୟୁନିଟି ସେଣ୍ଟର ସହ ଜଗନ୍ନାଥ ମଣ୍ଡପର ମଧ୍ୟ ଉଦ୍ଘାଟନ କରିଛନ୍ତି । ତାଙ୍କ ବିଧାୟକ ଥିବା ସମୟରେ ବିଧାୟକ ପାଣ୍ଠି ଅନୁଦାନରେ ଏହି ଉଭୟ ପ୍ରକଳ୍ପ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ରାଶି ପ୍ରଦାନ କରାଯାଇଥିଲା । ଉଦ୍ଘାଟନ ପରବର୍ତ୍ତୀ ସଭାରେ ଶ୍ରୀ ମିଶ୍ର କହିଥିଲେ ଯେ, ସେ କ୍ଷମତାରେ ଥାଆନ୍ତୁ ନ ଥାନ୍ତୁ ଲୋକଙ୍କ ସେବା କରିବା ତାଙ୍କର କର୍ତ୍ତବ୍ୟ ଅଟେ । ଆଲୋଚନା ବେଳେ ସକମାରେ ଥିବା ମନ୍ଦିର ପରିଚାଳନା ପାଇଁ ଦରକାର ହେଉଥିବା ଅର୍ଥ ରାଶି ହେଉ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ହେଉ ତାହା କିପରି ଉପଲବ୍ଧ ହୋଇପାରିବ ସେ ଉପରେ ଗ୍ରାମବାସୀମାନେ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପାନୀୟ ଜଳ, ରାସ୍ତା ଓ ବିଜୁଳି ସମସ୍ୟା ଉପରେ ମଧ୍ୟ ଗାଁ ଲୋକେ ଶ୍ରୀ ମିଶ୍ରଙ୍କ ସହ ଆଲୋଚନା କରି ତାହା ଯେପରି ଲୋକଙ୍କ ପାଇଁ ନିରବିଚ୍ଛନ୍ନ ଭାବେ ଉପଲବ୍ଧ ହେବ ତଥା ରାସ୍ତା ମରାମତି ଶିଘ୍ର ହୋଇ ପାରିବ ସେ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସରପଂଚ ଉଗ୍ରସେନ ବରାଡ ଓ ସମିତି ସଭ୍ୟ ଗାଁ ଲୋକଙ୍କ ପାଇଁ ଏକ ଗ୍ରାମ୍ୟ ଉଦ୍ୟାନର ପ୍ରସ୍ତାବ ଗ୍ରାମସଭାରୁ ପାରିତ ହୋଇ ବିଭାଗକୁ ପଠାଯାଇଛି ବୋଲି ଶ୍ରୀ ମିଶ୍ରଙ୍କ ପ୍ରଶ୍ନରେ ଉତ୍ତର ଦେଇଥିଲେ । ଉଭୟ ସରପଂଚ ଓ ସମିତି ସଭ୍ୟ ସମ୍ବେଦନଶୀଳତା ହୋଇ ଗାଁ ଲୋକଙ୍କ ସେବା କରନ୍ତୁ ବୋଲି ସେ ନିର୍ଦ୍ଦେଶ ଦେବା ସହ ଗାଁ ର ଯାହା କିଛି ବି ସାମୁହିକ ସମସ୍ୟା ଅଛି ଗାଁ ଲୋକେ ତାଙ୍କୁ ଜଣାନ୍ତୁ ତାର ପ୍ରତିକାର ପାଇଁ ନିଶ୍ଚୟ ପଦକ୍ଷେପ ନିଆଯିବ ବୋଲି ନରସିଂହ ମିଶ୍ର ପ୍ରତିଶୃତି ଦେଇଥିଲେ । ଆଜିର ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରଘୁମଣି ସ୍ୱାଇଁ, ଗଜେନ୍ଦ୍ର ପ୍ରଧାନ, ସନ୍ତୋଷ ସାହୁ, ଦେବେନ୍ଦ୍ର ସ୍ୱାଇଁ, ମହାଦେବ ବିଶ୍ୱାଲ, ଭଗବାନ ବିଶ୍ୱାଲ, ଶୁକଦେବ, ରାଜେନ୍ଦ୍ର, ଅରୁଣ, ସାନନ୍ଦ, ବିଦ୍ୟାଧର ସାହୁ, ନିଳାଂଚଳ ସିଂ, ସୁଶୀଲ ମହାକୁର, କାହ୍ନୁଚରଣ ପଟେଲ ଓ ବାଗଦଲ ସୁନାଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।