ଟିଟିଲାଗଡ଼ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ପୌରପରିଷଦର ନିଦ ଭଙ୍ଗୁନାହିଁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ ହେଉଛି ବଲାଙ୍ଗିର ଜିଲ୍ଲାର ଏକ ବଡ଼ ସହର ତଥା ଏକ ବଡ଼ ସବ୍‌ ଡିଭିଜନ୍‌ । ଟିଟିଲାଗଡ ରେଳ ଜଂକ୍ସନ୍ ବି ବେଶ୍ ଜଣାଶୁଣା । ଏଠାକାର ଜନସଂଖ୍ୟା ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ । କିନ୍ତୁ ପରିମଳ ବ୍ୟବସ୍ଥା ଠପ୍ ।

ସହରର ବିଭିନ୍ନ ରାସ୍ତା ଉପରେ ଅଳ୍ପ ବର୍ଷାରେ ପାଣି ଜମି ରହୁଛି । ଅନେକ ଅଭିଯୋଗ ପରେ ଟ୍ରାଫିକ ସମସ୍ୟାକୁ କେନ୍ଦ୍ର କରି ଠିକାଦାରପଡାରୁ ଝାଁକରପଡା ପର୍ୟ୍ୟନ୍ତ ଏକ ରେଳବାଇ ଭୂତଳ ପୋଲ ନିର୍ମାଣ କରାଯାଇଛି । କିନ୍ତୁ କହିବାକୁ ଗଲେ କେବଳ ନାମକୁ ମାତ୍ର ତିଆରି କରାଯାଇଛି । ନିମ୍ନମାନର କାମ ହୋଇଥିବାରୁ ଦୁଇ ବର୍ଷ ନ ପୂରୁଣୁ ଛୋଟ ଛୋଟ ପୋଖରୀ ସୃଷ୍ଟି ହେଲାଣି ବୋଲି ସହରବାସୀ କହନ୍ତି ।

ଅଳ୍ପ ବର୍ଷାରେ ଆଣ୍ଠୁଏ ପାଣି ଜମି ରହୁଛି । ଯାନବାହାନର ଗମନାଗମନ ବାଧାପ୍ରାପ୍ତ ହୋଇଥିବାରୁ ସହରବାସୀ ହନ୍ତସନ୍ତ ହେଉଥିବା କହନ୍ତି । କେବଳ ଏତିକି ନାହିଁ ସହରର ମୁଖ୍ୟ ରାସ୍ତାଗୁଡ଼ିକ ମଧ୍ୟ ଅଳିଆ ଆବର୍ଜ୍ଜନାରେ ପରିପୂର୍ଣ ରହିଛି । ଯେଉଁଆଡେ ଦେଖିଲେ କେବଳ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା । ନାଳନର୍ଦ୍ଦମାର ପାଣି ରାସ୍ତା ଉପରେ । ଦୁର୍ଗନ୍ଧରେ ଭଣ ଭଣ ପୂରା ସହର । ହାଟପଦାପଡା, ଠିକାଦାରପଡା, ହିନ୍ଦୀ ସ୍କୁଲ ଛକ, କୋର୍ଟ କାର୍ୟ୍ୟାଳୟ ପରିସର ନିକଟ ଅଞ୍ଚଳ, ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ, ଧନୀମାନଙ୍କ ପଡାରେ ଜଣାଶୁଣା ନୀଳଚକ୍ରନଗର, ଏପରି ବିଭିନ୍ନ ଅଞ୍ଚଳରେ ଅଳିଆ ଆବର୍ଜ୍ଜନା ପଡିରହିଛି ।

ପୌରପରିଷଦର ସଫେଇ କର୍ମଚାରୀମାନେ ଧାରଣାରେ ଅଛନ୍ତି ଆଜିକୁ ୨୨ଦିନ ହେଲା । କିନ୍ତୁ ପୌରପରିଷଦ ଅଧିକାରୀ ତାଙ୍କ ଦାବୀର ସମାଧାନ କରି ପାରିନାହାନ୍ତି । ପୌରପରିଷଦ ଅଧିକାରୀ ତାଙ୍କ ଜିଦ୍ ଧରି ସେ ବସିଛନ୍ତି ଓ ପୌରପରିଷଦ ସଫେଇ କର୍ମଚାରୀ ସେମାନେ ତାଙ୍କ ଦାବୀରେ ସେମାନେ ଜିଦ୍ ଧରି ବସିଛନ୍ତି ଓ ଏହାର ଦୁଃଖ ସହୁଛନ୍ତି ସହରବାସୀ ।

Leave A Reply

Your email address will not be published.