
ଭୁବନେଶ୍ୱର : ଦୁର୍ଗାପୂଜା ମଣ୍ଡପରେ ଲୁଟେରାଙ୍କ ଉତ୍ପାତ । ପୁଲିସର କଡ଼ା ସୁରକ୍ଷା ଓ ସିସିଟିଭି ନଜର ସତ୍ତ୍ୱେ ରାଜଧାନୀ ଭୁବନେଶ୍ୱରରେ ଲୁଟ୍ପାଟ କରିଛନ୍ତି ଲୁଟେରା ଗ୍ୟାଙ୍ଗ୍ । ଭିଡ଼ର ସୁଯୋଗ ନେଇ ବିଭିନ୍ନ ପୂଜାମଣ୍ଡପରୁ ୧୯୦ଟି ମୋବାଇଲ୍ ଫୋନ୍ ଓ ୧୫ରୁ ଅଧିକ ସୁନାଚେନ୍ ଲୁଟ୍ ହୋଇଥିବା ସୂଚନା ମିଳିଛି । ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ସାଦା ପୋଷାକରେ ପ୍ରାୟ ୧୦୦ ଜଣ ପୁଲିସ କର୍ମଚାରୀ ମୁତୟନ ହୋଇଥିଲେ । ସିସିଟିଭି ଫୁଟେଜ୍ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ୫ ନାବାଳକଙ୍କ ସମେତ ୧୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୨୨ଟି ମୋବାଇଲ୍, ଗୋଟିଏ ସୁନାଚେନ୍ ଓ ଏକ ଦାମୀ ଟାବଲେଟ୍ ଜବତ ହୋଇଛି । ପୁଲିସର ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ସେମାନେ ଲୁଟ୍ପାଟ ଉଦ୍ଦେଶ୍ୟରେ ରାଜଧାନୀର ବିଭିନ୍ନ ସ୍ଥାନରେ ରହୁଥିଲେ । ଏହି ଗ୍ୟାଙ୍ଗ୍ ବିରୋଧରେ ନୟାପଲ୍ଲୀ, ଖଣ୍ଡଗିରି, ମଞ୍ଚେଶ୍ୱର, ସହିଦନଗର, ଶ୍ରୀଲିଙ୍ଗରାଜ ଓ ଲକ୍ଷ୍ମୀସାଗର ଥାନାରେ ରୁଜୁ ୬ଟି ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଅନ୍ୟପଟେ, ୧୭ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି । ଚୋରି, ପକେଟମାର ଓ ଚେନ୍ ଲୁଟ୍ ରୋକିବା ପାଇଁ ସହରରେ ପାଟ୍ରୋଲିଂ ଜୋରଦାର କରାଯାଇଥିଲା । ପୁଲିସର ସ୍ୱତନ୍ତ୍ର ଅଭିଯାନ ଯୋଗୁଁ ସମ୍ପତ୍ତିଜନିତ ଅପରାଧ ନିୟନ୍ତ୍ରଣରେ ରହିଥିବା କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ।