ସୁବର୍ଣ୍ଣପୁରରେ ଜାତୀୟ ଟୀକାକରଣ ଦିବସ ନିମନ୍ତେ ସାମ୍ବାଦିକ ସମ୍ମିଳନୀ : ଶତ ପ୍ରତିଶତ ଟୀକାକରଣ ନିମନ୍ତେ ଗୁରୁତ୍ୱ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ୱାସ୍ଥ୍ୟ ବିଭାଗର ପ୍ରଶିକ୍ଷଣ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୩ ମାର୍ଚ୍ଚ ୨୦୨୪ ରବିବାର ଦିନ ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ଟୀକାକରଣ ଦିବସ (ପଲ୍ସ ପୋଲିଓ) ଯେପରି ସମସ୍ତଙ୍କ ସହଯୋଗରେ ଜିଲ୍ଲାରେ ସଫଳତାର ସହ ପାଳନ କରାଯିବ ସେହି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ନେଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପତି ସୂଚନା ଦେବା ସହ ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ପୋଲିଓ ବୁନ୍ଦା ଖାଇବେ । ଯେଉଁମାନେ ୩ ମାର୍ଚ୍ଚ ଦିନ ପୋଲିଓ ବୁନ୍ଦା ଖାଇବାରୁ ବଞ୍ଚିତ ହୋଇଥିବେ ସେମାନଙ୍କୁ ୪ ଓ ୫ ମାର୍ଚ୍ଚ ୨୦୨୪ ଦିନ ଆଶା ଦିଦିମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ଖୁଆଇବେ । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ୫୨,୪୦୧ ଶିଶୁ ପଲ୍ସ ପୋଲିଓ ଖାଇବେ । ଏଥିପାଇଁ ୧୨୮୦ ଜଣ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ରହିବେ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ମଞ୍ଜୁରାଣୀ ସିଂ ଉପସ୍ଥିତ ରହି କହିଥିଲେ ଏହି ଟୀକା ସମ୍ପୂର୍ଣ୍ଣ ନିରାପଦ ଅଟେ ଓ ପୋଲିଓ ମୁକ୍ତ ସୁବର୍ଣ୍ଣପୁର ପାଇଁ ସମସ୍ତ ଅବିଭାବକ, ଜନସାଧାରଣ ତଥା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସହଯୋଗ କରିବାପାଇଁ ସେ ଆହ୍ୱାନ ଦେଇଥିଲେ । ଏଡିପିଏଚ୍‌ଓ ବୃନ୍ଦାବନ ସାହୁ ଓ ଡେପ୍ୟୁଟି ମେନେଜର ଆରସିଏଚ୍‌ ସୁଧାଂଶୁ ଶେଖର ନାୟକ ଏହି ସମ୍ମିଳନୀକୁ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ସାହୁ, ସଞ୍ଜୟ ପଣ୍ଡା, ପ୍ରମୋଦ ସାହୁ ଓ କ୍ଷୀରୋଦ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × four =