ଠକ କମ୍ପାନୀ ବ୍ୟବସାୟିକ ଲୋଭ ଦେଖାଇ ମହିଳାମାନଙ୍କଠାରୁ ଏକ କୋଟିରୁ ଅଧିକ ଟଙ୍କା ନେଇ ଫେରାର୍

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସାରା ରାଜ୍ୟରେ ପ୍ରତିଦିନ କୋଉଠୁ ନା କୋଉଠୁ ଠକ କମ୍ପାନୀମାନେ ବିଭିନ୍ନ ଢଙ୍ଗରେ ଲୁଟ୍ କରିବା କିଛି ନୁଆ କଥା ନୁହେଁ । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ନଜରକୁ ଆସିଛି ଏଭଳି ଏକ ଘଟଣା । ଏଠି ଏକ ଠକ କମ୍ପାନୀ ବିଭିନ୍ନ ବ୍ୟବସାୟିକ ଲୋଭ ଦେଖାଇ ମହିଳାମାନଙ୍କଠାରୁ ଏକ କୋଟିରୁ ଅଧିକ ଟଙ୍କା ନେଇ ଫେରାର୍ ମାରିଛି । ଏବେ ସତ ଜଣା ପଡିବା ପରେ ପ୍ରଶାସନ ଓ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଠକାମୀର ଶିକାର ହୋଇଥିବା ମହିଳାମାନେ ।
ରଶ୍ମୀ ଇଣ୍ଡଷ୍ଟ୍ରିଜ୍ ଏଣ୍ଡ କନସଲ୍‌ଟେନସି କମ୍ପାନୀ ସୋନପୁର ସହରର ପଟାଭାଡିରେ ଖୋଲିଥିଲେ ତାଙ୍କର କାର୍ୟ୍ୟାଳୟ । ହେଲେ ଏବେ କେବଳ ଗୋଟିଏ ଚୌକି, ଟେବୁଲ ଓ ଆଲମିରାକୁ ଛାଡିଦେଲେ ସେଠି ଆଉ କିଛି ନାହିଁ । ମହିଳାମାନଙ୍କୁ ଅତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବାର ଲୋଭ, ପେପର ପ୍ଲେଟ ମେସିନ୍, ଧୂପକାଠି ତିଆରି ମେସିନ୍, ହଳଦୀ ଓ ଫୁଡ ପ୍ରସେସିଂଗ ମେସିନ୍ ସହିତ କଂଚାମାଲ ଦେଇ ମାର୍କେଟିଂ କରିବାର ଲୋଭ ଦେଖାଇଥିଲା ରଶ୍ମୀ ଇଣ୍ଡଷ୍ଟ୍ରିଜ ଏଣ୍ଡ କନସଲଟେନସି କମ୍ପାନୀ । ଏଥିନେଇ କମ୍ପାନୀ ପକ୍ଷରୁ ବିଜ୍ଞାପନ ଛପା ଯାଇଥିଲା । କମ୍ପାନୀ ପକ୍ଷରୁ ୫ ହଜାର ଟଙ୍କାର ଦରମା ସହ ଅନ୍ୟାନ୍ୟ ସୁବିଧା ଦେବାର ପ୍ରତିଶୃତି ଦିଆଯାଇଥିଲା । ସିକ୍ୟୁରିଟି ବାବଦଜୁ ୬ଟି ବ୍ଲକର ୨୦୦ ମହିଳାଙ୍କଠାରୁ ଜଣ ପିଛା ୧୦ ରୁ ୨୦ ହଜାର ଟଙ୍କା ଅସୁଲ୍ କରିଥିଲେ କମ୍ପାନି ଏମ.ଡି. ବିନୋଦ ଜେନା । ହେଲେ ଆଜି ଏକମାସରୁ ଅଧିକ ସମୟ ହୋଇଗଲା କମ୍ପାନୀର କାର୍ୟ୍ୟାଳୟରେ ଝୁଲୁିଛି ତାଲା । ୧ କୋଟିରୁ ଅଧିକ ଟଙ୍କା ଧରି ଏବେ ଚମ୍ପଟ ମାରିଛନ୍ତି କମ୍ପାନୀର ଏମ.ଡି. ବିନୋଦ ଜେନା । ତାଙ୍କର କୌଣସି ଖୋଜ୍ ଖବର୍ ନପାଇ ଏବେ ହତାସ ଠକାମୀର ଶିକାର ହୋଇଥିବା ମହିଳାମାନେ ।
ଲକ୍ ଡାଉନ ସମୟରେ ସମସ୍ତେ ରୋଜଗାର ହରାଇ ହାତବାନ୍ଧି ବସିଥିବାବେଳେ କମ୍ପାନୀର ଏଭଳି ପ୍ରତିଶୃତିକୁ ସହଜରେ ବିଶ୍ୱାସ କରିନେଇଥିଲେ ମହିଳାମାନେ । କିଛି ରୋଜଗାର କରି ନିଜର ଅଆର୍ଥିକ ସ୍ଥିତିକୁ ସୁଧାରିବା ଲକ୍ଷରେ ସିକ୍ୟୁରିଟି ଦେଇ କମ୍ପାନୀରେ ଯୋଗଦେଇଥିଲେ । କେବଳ ୬ଟି ବ୍ଲକ ନୁହେଁ ଜିଲ୍ଲା ସଦର ମହକୁମାରର କିଛି ମହିଳା ମଧ୍ୟ ଏହି ଠକାମୀର ଶିକାର ହୋଇଛନ୍ତି । ହେଲେ ଏବେ ଏମଡି ବିନୋଦ ଜେନାର ଖୋଜ ଖବର ନାହିଁ । ଫୋନ୍ କଲେ ଫୋନ୍ ବି ଲାଗୁନାହିଁ । ଏଣୁ ଏବେ ନ୍ୟାୟ ଆଶାରେ କ୍ଷତିଗ୍ରସ୍ତ ମହିଳାମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବାବେଳେ ଏମ.ଡି. ବିନୋଦ ଜେନାଙ୍କ ନାଁରେ ସୋନପୁର ଥାନାରେ ଏକ ଅପରାଧିକ ମାମଲା ଦାୟର କରିଛନ୍ତି । ଠକ ବିନୋଦ ଜେନାକୁ ଗିରଫ ସହ ଟଙ୍କା ଫେରାଇ ଆଣିବାକୁ ମହିଳାମାନେ ଦାବୀ ଜଣାଇଛନ୍ତି । ଅପରପକ୍ଷରେ ଏ ନେଇ ପୋଲିସର ତଦନ୍ତ ଜାରି ରହିଥିବାବେଳେ ଲୋକମାନେ ସଚେତନ ହେବା ଜରୁରୀବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ତୁରନ୍ତ ଏହି ଠକ ବିନୋଦ ଜେନାକୁ ଗିରଫ ସହ ଟଙ୍କା ଫେରେଇ ଆଣିବାକୁ ମହିଳା ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.