
ବଲାଙ୍ଗିର ବ୍ଲକ୍ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି ତାଲିମ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବ୍ଲକ୍ ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ଆୟୋଜନ କ୍ରମେ ବ୍ଲକ୍ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ଯୋଜନାର ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଠିତ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ଵାଗତ ଜଣାଇ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ଦାୟିତ୍ୱ, କର୍ତ୍ତବ୍ୟ, ଭୂମିକା ଉପରେ ଜଣାଇଥିଲେ । କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର ଆଇନ୍ ତଥା ବାଲ୍ୟବିବାହ ନିରୋଧ ଆଇନ, ପୋକ୍ସୋ ଆଇନ୍, ଶିଶୁ ଶ୍ରମିକ ନିରୋଧ ଆଇନ, ପିସିପି ଏନ୍ଡିଟି ଆଇନ୍ ଉପରେ ଜଣାଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ବ୍ଲକ୍ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆନନ୍ଦ ଚରଣ ମିଶ୍ର ଉପସ୍ଥିତ ରହି ଶିଶୁମାନଙ୍କ ପାଇଁ ଥିବା ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ୫% ଯୋଜନା ରଖି ଶିଶୁଙ୍କ ପାଇଁ ଖର୍ଚ୍ଚ କରିବା ତାଲିମରେ ଜଣାଇଥିଲେ । ତାଲିମରେ ଜିପିଡିଓ ପ୍ରକାଶ କୁମାର ପନିକ ଉପସ୍ଥିତ ରହି ତାଲିମ୍ ନେଇ ଶିକ୍ଷା ଲାଭ କରି କାମରେ ଲଗାଇବା ପାଇଁ ସମସ୍ତ ସରପଞ୍ଚ ଓଇଓମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିବା ସହ ସରପଞ୍ଚ ଓଇଓମାନଙ୍କର ଭୂମିକା, ଦାୟିତ୍ଵ ଉପରେ ଜଣାଇଥିଲେ । ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ଅନ୍ ଟାଏଡ୍ ପାଣ୍ଠିର ୫ % ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କୁ ଚିହ୍ନଟ କରି ପଞ୍ଚାୟତ ସ୍ତରୀୟ ଶିଶୁସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଠୀ ଭିତ୍ତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ପ୍ରସ୍ତୁତି କରିବା ପାଇଁ ଏକ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ପ୍ରଦାନ ପୂର୍ବରୁ ଏବଂ ତାଲିମ ପରବର୍ତ୍ତୀ ପର୍ଯ୍ୟାୟରେ ୧୦ଟି ପ୍ରଶ୍ନ ପ୍ରସ୍ତୁତି କରି ସମସ୍ତ ସରପଞ୍ଚ ଓପିଇଓଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବ୍ଲକ୍ର ୨୩ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ଇଓ ଉପସ୍ଥିତ ଥିଲେ । ଏହି ଅବସରରେ ସିଡିପିଓ ଶୁବାଷିନୀ ଦାସ ଉପସ୍ଥିତ ରହି ବାଲ୍ୟ ବିବାହ ଉପରେ ସଚେତନତା କାର୍ଯ୍ୟକ୍ରମ ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଲାଇନର କେସ ୱାର୍କର ସୁଦନ ଖମାରି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସାମାଜିକ କର୍ମୀ ହରିବନ୍ଧୁ ରାଉତ୍ ଜୁନ୍ ଓ ଜୁଲାଇ ମାସରେ ୨୩ଟି ଗ୍ରାମ ପଞ୍ଚାୟତରେ ଶିଶୁ ସୁରକ୍ଷା ଯୋଜନା କରିବାକୁ କହିଥିଲେ । ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ତାଲିମକୁ ଶେଷ କରିଥିଲେ ।