pakka

ଦୀର୍ଘଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ପ୍ରତିବାଦରେ ଗ୍ରାମବାସୀ ଗୋଇମୁଣ୍ଡ ପଞ୍ଚାୟତ ମୁଖ୍ୟାଳୟକୁ ଘେରିଲେ : କାର୍ଯ୍ୟାଳୟରେ ସରପଞ୍ଚ, ପିଇଓ, ନାଏବ ସରପଞ୍ଚଙ୍କୁ ତାଲା

bbehera
  • ପ୍ରଶାସନର ପ୍ରତିଶୃତି, ୨ ଘଣ୍ଟା ପରେ ପୁଲିସ ଦ୍ଵାରା ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଗୋଇମୁଣ୍ଡ ପଞ୍ଚାୟତ ପ୍ରଶାସନର ମନୋମୁଖୀ ଓ ଖାମଖିଆଲି ମନୋଭାବ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ପାଣ୍ଠି,ଏବଂ ଅନ୍ୟାନ୍ୟ ସରକାରୀ ସୁବିଧାରେ ପାତର ଅନ୍ତର ମନୋଭାବ ଏବଂ ବାରମ୍ବାର ଗୁହାରି ପରେ ମଧ୍ୟ ମାସାଧିକ କାଳ ପଞ୍ଚାୟତ ମୁଖ୍ୟାଳୟକୁ ପାନୀୟ ଜଳ ଯୋଗାଣ ବନ୍ଦ ପ୍ରତିବାଦରେ ଗୋଇମୁଣ୍ଡ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ, ପିଇଓ, ନାଏବ ସରପଞ୍ଚଙ୍କୁ କାର୍ଯ୍ୟାଳୟରେ ତାଲା ମାରିଦେଇ ପ୍ରତିବାଦ କରିଥିଲେ । ମୁରିବାହାଲ ବ୍ଲକର ଗୋଇମୁଣ୍ଡ ପଞ୍ଚାୟତ ମୁଖ୍ୟାଳୟ ପ୍ରତି ପଞ୍ଚାୟତ ପ୍ରଶାସନର ଅଣଦେଖା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗୋଇମୁଣ୍ଡ ଗ୍ରାମରେ ଜଳ ଯୋଗାଣ ଦୀର୍ଘ ଏକ ମାସରୁ ଅଧିକ ହେବ ବନ୍ଦ ରହିଛି । ଖରାଦିନ ଆସୁଥିବାରୁ ଏବେଠୁ ଜଳକଷ୍ଟ ଉତ୍କଟ ହେବାରେ ଲାଗିଛି । ବାରମ୍ବାର ପଞ୍ଚାୟତ ପ୍ରଶାସନ, ବ୍ଲକ୍‌ ପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଜଳ ଯୋଗାଣ ବନ୍ଦ ଥିବା ନେଇ ଜଣାଇଥିଲେ ମଧ୍ୟ ପ୍ରଶାସନ କୌଣସି ଦୃଷ୍ଟି ଦେଇନଥିଲା । ଲୋକେ ପାଣି ପାଇଁ ବହୁ ହାରି ଗୁହାରି କରିଥିଲେ ମଧ୍ୟ ପ୍ରଶାସନ କୌଣସି କଥା ନଶୁଣିବାରୁ ଗୁରୁବାର ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ, ପିଇଓ ଓ ନାଏବ ସରପଞ୍ଚଙ୍କୁ ତାଲା ମାରିଦେଇଥିଲେ । ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ସରିବା ପରେ ଲୋକେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଜଣାଇ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ବନ୍ଦ କରିଥିଲେ । ପଞ୍ଚାୟତର ସରପଞ୍ଚ କାଳିଆ ସରାଫ, ପିଇଓ ଗଙ୍ଗାଧର ଛତର, ନାଏବ ସରପଞ୍ଚ, ୱାର୍ଡ ସଭ୍ୟଙ୍କୁ ତାଲା ପକାଇ ଦିଆଯିବାରୁ ସମସ୍ତେ ଦୀର୍ଘ ୨ଘଣ୍ଟା ଧରି ଭିତରେ ଥିଲେ । ତାଲା ବନ୍ଦ କରାଯିବାରୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଲୋକଙ୍କ କଥା ଶୁଣୁନଥିବା ପଞ୍ଚାୟତ ପ୍ରଶାସନର ଚେତା ପଶିଥିଲା । ମୁରିବାହାଲ ପୋଲିସ ମଧ୍ୟ ଘଟଣା ସ୍ଥଳକୁ ପହଞ୍ଚିଥିଲା । ମୁରିବାହାଲ ଭାରପ୍ରାପ୍ତ ଓଆଇସି ଦନାର୍ଦନ ଓରାମ୍‌ ପହଞ୍ଚି ପଞ୍ଚାୟତ ପ୍ରଶାସନ ଏବଂ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ । ପରେ ଆସନ୍ତା କାଲି ଶୁକ୍ରବାର ସୁଦ୍ଧା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେବା ସହ ଲୋକଙ୍କୁ ବୁଝାସୁଝା ପରେ ତାଲା ଖୋଲାଯାଇଥିଲା । ପ୍ରାୟ ୨ ଘଣ୍ଟା ସମୟ ପର୍ଯ୍ୟନ୍ତ ତାଲା ବନ୍ଦ କରାଯାଇଥିଲା । ଆଗାମୀ ଦିନରେ ପଞ୍ଚାୟତ ମୁଖ୍ୟାଳୟ ପ୍ରତି ଅଣଦେଖା, ପାତର ଅନ୍ତର ମନୋଭାବ ପ୍ରଦର୍ଶନ କଲେ ତୀବ୍ରତର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏ ସମ୍ପର୍କରେ ସରପଞ୍ଚ କାଳିଆ ସରାଫ ଓ ପିଇଓ ଗଙ୍ଗାଧର ଛତରଙ୍କୁ ପଚାରିବାରୁ ଆମ ପଞ୍ଚାୟତ ଜିପିଡିପି ପାଣ୍ଠିରେ ଆବଶ୍ୟକ ଅର୍ଥ ନାହିଁ । ଏଥିରେ ଥିବା ୫୦ହଜାର ଟଙ୍କା ଜମା କରାଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ବିଦ୍ୟୁତ ବିଚ୍ଛିନ୍ନ କରିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ଶୀଘ୍ର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରି ସମସ୍ୟାର ସମାଧାନ କରାଯିବ ବୋଲି ଉଭୟ ପ୍ରତିଶୃତି ଦେଇଛନ୍ତି । ବିଡ଼ିଓ ପୂର୍ଣାନନ୍ଦ ପଟେଲ ମଧ୍ୟ ପାନୀୟ ଜଳ ଯୋଗାଣ ସମସ୍ୟାର ଅତିଶୀଘ୍ର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି । ଗ୍ରାମର ବରିଷ୍ଠ ସମାଜସେବୀ ଅଶୋକ ନାରାୟଣ ଭୋଇ, ଅକ୍ଷୟ କୁମାର ସାହୁ, ସନ୍ତୋଷ ସାହୁ, ରମେଶ ସାହୁ, ସଂକୀର୍ତ୍ତନ୍ୟ ସାହୁ, ଅମର ସାହୁ, କୈଳାସ ସାହୁ, ଜଳଧର ଭୋଇ, ଗିରି ସାହୁ ପ୍ରମୁଖଙ୍କ ସହ ଶତାଧିକ ଏସ୍‌ଏଚ୍‌ଜି ମହିଳା ଏହି ତାଲାବନ୍ଦରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

three + nineteen =