jayashree

ଆଭାଷୀ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲେ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରେକ୍ଷାଳୟରେ ଆଭାଷୀ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା (CMAY) ର ଶୁଭାରମ୍ଭ ହେଲା । ଏହି ଅବସରରେ ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ମାଧବ ସାଏ, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ତରିଣୀ ସୁନା ଓ ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୋଜନା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (NFSA-PMGKAY) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅନ୍ତର୍ଗତ ସମସ୍ତ ଯୋଗ୍ୟ ରେଶନ କାର୍ଡଧାରୀଙ୍କୁ ସେମାନଙ୍କ ନିୟମିତ ପ୍ରାପ୍ୟ ବ୍ୟତିତ, ପ୍ରତି ହିତାଧିକାରୀ ପିଛା ମାସିକ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ବିନା ମୂଲ୍ୟରେ ବଣ୍ଟନ କରାଯିବ । ଏହି ଯୋଜନା ଅପ୍ରିଲ ୨୦୨୬ ଠାରୁ ଲାଗୁ ହେବ । ହିତାଧିକାରୀମାନେ ଏକକାଳୀନ ଭାବରେ ଅପ୍ରିଲ, ମଇ ଓ ଜୁନ ୨୦୨୬ -ଏହି ତିନି ମାସର କୋଟା, ପ୍ରତି ହିତାଧିକାରୀ ପିଛା ମାସିକ ୫ କିଲୋଗ୍ରାମ ହିସାବରେ ୧୫ କିଲୋଗ୍ରାମ ଚାଉଳ, ନିକଟସ୍ଥ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରୁ ପାଇପାରିବେ । ଏହି ଯୋଜନାରେ ଲାଭାର୍ଥୀଙ୍କୁ ସ୍ଵତନ୍ତ୍ର ରେଶନ କାର୍ଡ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଜିଲ୍ଲାରେ ସର୍ବମୋଟ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର (Fair Price Shop) ସଂଖ୍ୟା ୩୪୨ ରହିଛି । ରେଶନ କାର୍ଡଧାରୀଙ୍କ ସଂଖ୍ୟା ୪,୭୩,୪୩୨ ଓ ହିତାଧିକାରୀଙ୍କ ସଂଖ୍ୟା ୧୩,୯୯,୩୯୮ । ମାସିକ ଚାଉଳ କୋଟା (କୁଇଣ୍ଟାଲରେ) ୬୯,୯୬୯.୯୦ ରହିଛି । ମାସିକ ଆନୁମାନିକ ଖର୍ଚ୍ଚ ଅଟକଳ ଟଙ୍କା ୩୦,୧୧,୫୪,୬୪୮ ଏବଂ ବାର୍ଷିକ ଆନୁମାନିକ ଖର୍ଚ୍ଚ ଅଟକଳ ଟଙ୍କା ୩,୬୧,୩୮,୫୫,୭୭୬ ରହିଛି । ଏହି ଅବସରରେ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନୱାଡି କର୍ମୀଙ୍କୁ ସ୍ମାର୍ଟଫୋନ ବଣ୍ଟନ କରାଗଲା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି, ବଲାଙ୍ଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷୀକେଶ ଗଣ୍ଡ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ଵାଳ, ସହାୟକ ଯୋଗାଣ ଅଧିକାରୀ (ସଦର ମହକୁମା) ପୀତବାସ ମଲ୍ଲିକ, ଶରତ କୁମାର ରାଉତ, ଜିଲ୍ଲାସ୍ତରୀୟ ଅଧିକାରୀ ସହିତ ଜିଲ୍ଲା ଯୋଗାଣ ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.