ଡୁଡ଼କିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁଡକିବାହାଲର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ବହୁ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଡୁଡକିବାହାଲ ସ୍କୁଲର ପ୍ରଧାନ ଶିକ୍ଷକ ସୁଦର୍ଶନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଯୋଜନା ଓ ସମ୍ମନ୍ଵୟ ବିକାଶ ଓଡ଼ିଶା ସରକାର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବରେ ବିଜେଡି ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ୱୋଧର ନିଆଲ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀ, ସମିତି ସଭ୍ୟା ମିନାକ୍ଷି ମାଝୀ, ସ୍ଥାନୀୟ ସରପଞ୍ଚ ମଙ୍ଗଳ ସିଂ ମାଝୀ, କର୍ଲାକୋଟ ସିଆର୍‌ସିସି ସଞ୍ଜୟ କୁମାର ଯୋଶୀ, ଖଇରା ସିଆର୍‌ସିସି ନବବସନ୍ତ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥି ମାନଙ୍କୁ ଆସନ, ପରିଚୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପରେ ପରେ ଦୀପ ପ୍ରଜ୍ଵଳନ ଓ ଶୁଭ ଉଦ୍‌ଘାଟନ କରାଯାଇଥିଲା । ଅନୁଷ୍ଠିତ ସମାରୋହରେ ପ୍ରଧାନ ଶିକ୍ଷକ ସୁଦର୍ଶନ ପଣ୍ଡା ସ୍ଵାଗତ ସଂଭାଷଣ ଓ ବାର୍ଷିକ ବିବରଣୀ ପଠନ କରିଥିଲେ । ସ୍ଵତନ୍ତ୍ର ଅତିଥି ଶ୍ରୀମାନ ଅଧୀରାଜ୍ ମୋହନ ପାଣିଗ୍ରାହୀ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ସୁବର୍ଣ୍ଣ ଜୟନ୍ତୀର ଆୟୋଜକ କମିଟିକୁ ଆନ୍ତରିକ ଶୁଭେଚ୍ଛା, ଶୁଭକାମନା ଓ ପ୍ରଶଂସା କରିବା ସହ ଆୟୋଜିତ ସଭାରେ ଶିକ୍ଷା ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ନ ଥିବାରୁ ବିଭାଗୀୟ ଅଧିକାରୀଙ୍କ ଉପରେ ଜୋର୍ ବର୍ଷି ଥିଲେ ଓ ଘୋର ନିନ୍ଦା କରି ଉପସ୍ଥିତ ସାମ୍ବାଦିକ ମାନଙ୍କ ପାଖରେ ମତ ରଖିଥିଲେ । ଉକ୍ତ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଉପସ୍ଥିତ ସମସ୍ତ ଅତିଥି କୃତି ପ୍ରତିଯୋଗୀ, ପ୍ରଧାନ ଶିକ୍ଷକ ଓ ପୁରାତନ ଶିକ୍ଷକମାନଙ୍କୁ ମାନପତ୍ର ସହ ସମ୍ନାନିତ କରାଯାଇଥିଲା । ରାଷ୍ଟ୍ର ବନ୍ଦନା ପରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ପୁରାତନ ଓ ନୂତନ ତଥା କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଏହି ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ସହ ଶିକ୍ଷକ ହରପ୍ରସାଦ ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଚିତୃ ହରିଜନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.