୨୬ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ : ଧୂଳିରୁ ରକ୍ଷା ପାଇବାକୁ ହେଲମେଟ୍ ବ୍ୟବହାର କରୁଛନ୍ତି ଯାତ୍ରୀ

ଦେଓଗାଁ, (ମନିଷ କୁମାର ସାହୁ) : ବରଗଡ଼-ବୋରିଗୁମା ଜାତୀୟ ରାଜପଥରେ ଯମପୁରକୁ ରାସ୍ତା ଦେଖାଉଛି ବଲାଙ୍ଗୀର-ଦେଓଗାଁ ରାସ୍ତା । ମାତ୍ର ୨୦ କିମି ରାସ୍ତାରେ ଅଗଣିତ ଖାଲ । ଜୀବନକୁ ପାଣି ଛଡ଼ାଇ ଲୋକେ ଯାତାୟାତ କରୁଛନ୍ତି । ବଲାଙ୍ଗୀରରୁ ବାହାରିଲେ ଶିଳ୍ପାଞ୍ଚଳରୁ ଆରମ୍ଭ ହୋଇଛି ରାସ୍ତାର ଦୁରବସ୍ଥା । ଆଗକୁ ଖାଲ ସଂଖ୍ୟା ବଢ଼ି ବଢ଼ି ସୋନଗଡ଼ ନଦୀ ପୋଲରେ ଶେଷ ହୋଇଛି । ସାମାନ୍ୟ ବର୍ଷା ହେଲେ ସବୁ ଧୋଇ ଯାଇ ରାସ୍ତା ପୂର୍ବ ଅବସ୍ଥାକୁ ଫେରିଆସୁଛି । ପୁଣି ଶୁଖିଲା ପାଗରେ ଏହି ପଥରଗୁଣ୍ଡ ବାଇକ୍ ଚାଳକଙ୍କ ପାଇଁ କାଳ ହେଉଛି । ଭାରି କିମ୍ବା ହାଲୁକା ଯାନ ଅତିକ୍ରମ କରିବା ପରେ ସଂପୂର୍ଣ୍ଣ ରାସ୍ତା ପଥରଗୁଣ୍ଡ ଧୂଳିରେ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି । ପଥର ଗୁଣ୍ଡ ଲୋକଙ୍କ ଆଖିକୁ ପଶୁଛି । ଖାଲ ଯୋଗୁଁ ଏଠି ନିୟମିତ ଭାବେ ଗାଡି ଦୁର୍ଘଟଣା ହେଉଛି, ହେଲେ ଥଥାପି ଚେତା ପଶୁନି ଏନଏଚ ବିଭାଗର । ଏହି ରାସ୍ତାରେ ପ୍ରତିଦିନ ମନ୍ତ୍ରୀ, ଜିଲ୍ଲା ମୁଖିଆମାନେ ଯାଉଥିଲେ ବି କୌଣସି ପଦକ୍ଷେପ ନେଉ ନଥିବାରୁ ଯାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଇଛି ।
ଦୁର୍ଘଟଣାରେ ଦୁଇଚକିଆ ଗାଡ଼ି ଚାଳକଙ୍କ ସୁରକ୍ଷା ପାଇଁ ସରକାର ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ହେଲେ ଏହାକୁ ଅଧିକାଂଶ ବାଇକ୍ ଆରୋହୀ ମାନି ନଥାନ୍ତି । ଏବେ କିନ୍ତୁ ଦେଓଗାଁ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ବାଇକ୍ ଆରୋହୀଙ୍କ ହେଲମେଟ ବ୍ୟବହାର ବଢ଼ିଥିବା ଦେଖିବାକୁ ମିଳିଛି । ଏହାର ମୁଖ୍ୟ କାରଣ ହେଉଛି ରାସ୍ତା ଉପରେ ଥିବା ଅଧିକ ପରିମାଣର ଧୂଳି । ଏହି ରାସ୍ତା ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି । ବାଇକ୍‌ରେ ଯାଉଥିବା ସମୟରେ ଆଖିରେ ଧୂଳି ପଶି କିଛି ଦିଶୁନାହିଁ । ବର୍ଷା ସମୟରେ ରାସ୍ତା ଖାଲଢିପ ହୋଇ ନଷ୍ଟ ହେଉଛି । ପରେ ସେହି ସ୍ଥାନକୁ ପଥର ଗୁଣ୍ଡ ଦେଇ ମରାମତି କରାଯାଉଛି । ବର୍ଷା ଛାଡ଼ି ଖରା ହେଲେ ପଥର ଗୁଣ୍ଡ ଉଡ଼ୁଥିବାରୁ ଏପରି ସ୍ଥିତି ହେଉଛି ବିଜାଖମନଠାରୁ ପ୍ରାୟ ସଇଁନ୍ତଲା ପର୍ୟ୍ୟନ୍ତ ରାସ୍ତା ଅନେକ ସ୍ଥାନରେ ନଷ୍ଟ ହୋଇଛି । ପ୍ରତିଦିନ ହଜାର ହଜାର ଭାରି ଯାନ ଏହି ରାସ୍ତାରେ ଯାତାୟାତ କରୁଛି । ଏଥିରୁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ପାଉଛନ୍ତି । ହେଲେ ଠିକ୍ ଭାବେ ରାସ୍ତା ନିର୍ମାଣ କରୁ ନାହାନ୍ତି । ତେଣୁ ଠିକ୍ ଭାବେ ରାସ୍ତା ମରାମତି ନକଲେ ଆଗାମୀ ଦିନରେ ବଡ଼ ଧରଣର ରାସ୍ତାରୋକ ଆନ୍ଦୋଳନ ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.