- ଜିଲ୍ଲାର ୧୦ଟି ସ୍ଥାନରୁ ଆସିଥିବା ମଶାଲକୁ ବିଭିନ୍ନ ସ୍ଥାନରେ ସ୍ୱାଗତ
କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଲୋକଗୀତ, ଲୋକନୃତ୍ୟ, ଲୋକକ୍ରୀଡ଼ାର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଛି । ଜାନୁଆରୀ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଭବାନୀପାଟଣା ସ୍ଥିତ ଲାଳବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ବେଳେ ଏଥିପାଇଁ ଜିଲ୍ଲାର ୧୦ଟି ଐତିହାସିକ ଓ ପବିତ୍ର ତୀର୍ଥସ୍ଥଳରୁ ୧୦ଟି ମଶାଲ ଭବାନୀପାଟଣାରେ ପହଞ୍ଚିଛି । ବେଲଖଣ୍ଡି ଶିବ ମନ୍ଦିର, ଉର୍ଲାଦାନୀ ସହିଦ ରେଣ୍ଡୋମାଝୀ ପୀଠ, ମ. ରାମପୁର ଡୋକରୀ ଦେବୀ, ଲାଞ୍ଜିଗଡ଼ ଭୈରବ ପୀଠ, ତାଳଗୁଡ଼ ଡୋକରୀ ଦେବୀ, ଥୁଆମୂଳ ରାମପୁର ମାଣିକେଶ୍ୱରୀ, ଆମପାଣି ବୁଢାରଜା, ଜୁନାଗଡ଼ ଲଙ୍କେଶ୍ୱରୀ, ଧର୍ମଗଡ଼ ଭଣ୍ଡାରଘରଣୀ, ସାପସିଲେଟ ଶିବ ମନ୍ଦିର ଭଳି ୧୦ ଗୋଟି ପବିତ୍ର ତୀର୍ଥସ୍ଥଳରୁ ଭବାନୀପାଟଣା ସହରରେ ପହଞ୍ଚିବା ପରେ ସହରର ବିଭିନ୍ନ ଛକରେ ଭବ୍ୟ ସ୍ୱାଗତ କରାଯାଇଥିଲା । କଳାହାଣ୍ଡି ଉତ୍ସବ ମଶାଲ ସବ୍ କମିଟିର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟ ସଦସ୍ୟା, ନୋଡାଲ ଅଫିସର ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା, ନେହେରୁ ଯୁବକେନ୍ଦ୍ରର ସଂଯୋଜକ ପ୍ରସନ୍ନ ମେହେର, ଦ୍ୱିତୀୟା ବନଛୋର୍, ବିଭିନ୍ନ ବ୍ଲକର ସ୍ୱେଚ୍ଛାସେବୀମାନେ ମଶାଲଗୁଡ଼ିକୁ ଘୁମୁରା, ବଜାଶାଲ୍ ସହିତ ଏକ ଶୋଭାଯାତ୍ରାରେ ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ରହଣୀସ୍ଥଳକୁ ପାଛୋଟି ନେଇଥିଲେ । ସହରର ବିଭିନ୍ନ ଛକରେ ରାଜନେତା, ପ୍ରଶାସନିକ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏଥିରେ ସାମିଲ ହୋଇଥିଲେ ।