ନେତାଜୀଙ୍କ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ ସମ୍ପର୍କରେ ତଥ୍ୟ ଦେବ ଗୃହ ବିଭାଗ : ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରଣୀ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଦ୍ଧାନ ହେବା ଘଟଣାକୁ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଅଜି ବି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସେ ଅମର ହୋଇ ରହିଛନ୍ତି । ନେତାଜୀଙ୍କ ନିଖୋଜକୁ ନେଇ ବିଭିନ୍ନ ସମୟରେ ଭାରତ ସରକାର ସାହାନୱାଜ କମିଶନ, ଖୋସଲା କମିଶନ ଏବଂ ମୁଖାର୍ଜୀ କମିଶନଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ସାହାନୱାଜ ଓ ଖୋସଲା କମିଶନ ରିପୋର୍ଟରେ ନେତାଜୀଙ୍କ ମୃତ୍ୟୁ ବିମାନ ଦୁର୍ଘଟଣାରେ ହୋଇଥିବା କଥା ଦର୍ଶାଯାଇଥିବା ବେଳେ ମୁଖାର୍ଜୀ କମିଶନ ରିପୋର୍ଟରେ ନେତାଜୀଙ୍କ ମୃତ୍ୟୁ ବିମାନ ଦୁର୍ଘଟଣା ଜନିତ ନୁହେଁ ବୋଲି ଦର୍ଶାଯାଇଥିଲା । ଭାରତ ସରକାର ସାହାନୱାଜ କମିଶନ ଓ ଖୋସଲା କମିଶନ ରିପୋର୍ଟକୁ ଗ୍ରହଣ କରିଥିବା ବେଳେ ମୁଖାର୍ଜୀ କମିଶନ ରିପୋର୍ଟକୁ ଅଗ୍ରାହ୍ୟ କରି ଦେଇଥିଲେ । ବଲାଙ୍ଗିରର ବିଶିଷ୍ଟ ସୂବନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଏହାକୁ ନେଇ ୨୦୧୬ ମସିହା ଡିସେମ୍ବର ମାସରେ ତତ୍କାଳିନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଏକ ଦାବୀପତ୍ର ଦେଇଥିଲେ । ଏହି ଦାବୀପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ, ଭାରତ ସରକାର ସାହାନୱାଜ କମିଶନ ଓ ଖୋସଲା କମିଶନ ରିପୋର୍ଟକୁ ଗ୍ରହଣ କରିଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ ନେତାଜୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି ରାଷ୍ଟ୍ରୀୟ ଶୋକ ଘୋଷଣା କରିନାହାନ୍ତି । ସରକାର ତୁରନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରିବାକୁ ରାଷ୍ଟ୍ରପତି ହସ୍ତକ୍ଷେପ କରନ୍ତୁ, ନଚେତ ଗ୍ରହଣ କରିଥିବା ଦୁଇ କମିଶନ ରିପୋର୍ଟକୁ ଅଗ୍ରାହ୍ୟ କରନ୍ତୁ ବୋଲି ପଣ୍ଡା ଉକ୍ତ ପତ୍ରରେ ଉଲ୍ଲେଖ କରିଥିଲେ । ଏହି ଦାବୀପତ୍ରକୁ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଗୃହ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏହା ଜାଣିବା ପାଇଁ ପଣ୍ଡା ସୂଚନା ଅଧିକାର ଅଇନ ବଳରେ କେନ୍ଦ୍ର ଗୁହ ବିଭାଗକୁ କାର୍ଯ୍ୟାନୁଷ୍ଠାନ ନିଅଯାଇଥିବା ତଥ୍ୟ ମାଗିଥିଲେ । କିନ୍ତୁ କେନ୍ଦ୍ର ଗୃହ ବିଭାଗ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ ନକରି ଅନ୍ୟ କାର୍ଯ୍ୟାଳୟକୁ ଅନାବଶ୍ୟକ ଭାବେ ହସ୍ତାନ୍ତରିତ କରିଥିଲେ । ଏହାକୁ ନେଇ ପଣ୍ଡା ଉପଯୁକ୍ତ ଫୋରମରେ ଅବେଦନ କରିଥିଲେ । ଶେଷରେ ଜାତୀୟ ସୂଚନା ଅୟୁକ୍ତ ୟଶବର୍ଦ୍ଧନ କୁମାର ସିହ୍ନା ପଣ୍ଡାଙ୍କ ଅବେଦନର ଶୁଣାଣି କରି ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ଶୁଣାଣି ସମୟରେ ଉପସ୍ଥିତ ଥିବା ଗୃହ ବିଭାଗର ନିର୍ଦ୍ଦେଶକ(ସୁରକ୍ଷା) ରାକେଶ କୁମାର ପାଣ୍ଡେ ଏବଂ ଉପସଚିବ ଏସ୍‌.କେ.ଝା ଙ୍କୁ ଗତ ୧୬ ତାରିଖ ଦିନ ଦ୍ୱିତୀୟ ଅବେଦନ ନଂ. ସିଆଇସି/ଏମଏଚଓଏମଇ/ଏ/୨୦୧୮/ ୧୬୫୯୫୯ରେ ନିର୍ଦ୍ଦେଶ ଜାରି କରିଛନ୍ତି । ସୂଚନା ଅଧିକାର କର୍ମୀ ପଣ୍ଡାଙ୍କ ଅବେଦନକୁ ଅନାବଶ୍ୟକ ଭାବେ ସ୍ଥାନାନ୍ତରିତ କରିଥିବାରୁ ଗୃହ ବିଭାଗ ଉପସଚିବ ଏସ.କେ.ଝା କମିଶନଙ୍କ ଠାରେ ଦୁଃଖ ପ୍ରକାଶ କରିଥିଲେ । ଜାତୀୟ ସୂଚନା ଆୟୁକ୍ତଙ୍କ ନିର୍ଦ୍ଦେଶକୁ ସୂଚନା ଅଧିକାର କର୍ମୀ ଶ୍ରୀ ପଣ୍ଡା ସ୍ୱାଗତ କରିଥିବା କହିଛନ୍ତି ।

Leave A Reply

Your email address will not be published.