jayashree

ଯୁଥ୍ ରେଡ୍‌କ୍ରସ୍ ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଠାରେ ଇଣ୍ଡିଆନ୍ ରେଡ୍‌କ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ନାରୀ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୫ ଗୋଟି କଲେଜର ୧୨୦ ଜଣ ଛାତ୍ରୀ ଓ ବିଭିନ୍ନ ସମାଜସେବୀଙ୍କୁ ନେଇ ଅନୁଷ୍ଠିତ ଏହି ଶିବିରରେ ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ, ଡାକ୍ତର ଦେବୀ ପ୍ରସାଦ ମହାପାତ୍ର, ଡାକ୍ତର ପୂଜାଶ୍ରୀ ମିଶ୍ର ଓ ଡାକ୍ତର ପ୍ରତିଭା ମେହେର ଯୋଗ ଦେଇ ନାରୀ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରି ଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାପାଳ ଦେବାଶିଷ୍ ସିଂ ଓ ଅନ୍ୟ ଅତିଥିମାନେ ସମସ୍ତ ଡାକ୍ତରମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ସିଂ କହିଥିଲେ, ମାନସିକ ଓ ଶାରୀରିକ ସ୍ତରରେ ନାରୀ ସୁସ୍ଥ ରହିଲେ ଓ ନାରୀ ଦୃଢ଼ ସଶକ୍ତ ହେଲେ ଏକ ସୁସ୍ଥ ସମାଜ ଓ ସୁସ୍ଥ ରାଷ୍ଟ୍ର ଗଠନ ହୋଇପାରିବ । ଏଥିରେ ଉପ ଜିଲ୍ଲାପାଳ ଡଃ. ସୌମ୍ୟରୂପା ରଥ, ସିଡିଏମ୍‌ପିଏଚ୍‌ଓ ଡାକ୍ତର ଉଷାରାଣୀ ଦାଶ, ମହିଳା କଲେଜ ଅଧ୍ୟକ୍ଷା ରୀତାରାଣୀ ପୂଝାରୀ, ଜିଲ୍ଲା ରେଡ୍‌କ୍ରସ୍ କୋଅର୍ଡିନେଟର ବିଶ୍ୱନାଥ ମିଶ୍ର, ଜିଲ୍ଲା ସମ୍ପାଦକ ଅଧ୍ୟାପକ ଉମାକାନ୍ତ ନାଗ, ସୋନପୁର କଲେଜ ଅଧ୍ୟକ୍ଷ ରାଧାକାନ୍ତ ନାଏକ, ଅଧ୍ୟାପକ ଦେବାଶିଷ୍ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପକ ମଦନ ସୁନ୍ଦର ଖେତୀ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ପୂର୍ଣ୍ଣିମା ମିଶ୍ରଙ୍କ ତତ୍ତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା । ସଭାରେ ରେଡ୍‌କ୍ରସ୍ କାଉନସିଲର ଓ ସ୍ୱେଚ୍ଛାସେବୀ ଛାତ୍ରୀଙ୍କୁ ମାନପତ୍ର ଦିଆଯାଇଥିବା ବେଳେ ରକ୍ତଦାତା ସୁପ୍ରିୟା ହୋତାଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟାପକ ଶ୍ରୀ କ୍ଷେତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.