ନିରାମୟ ଗଞ୍ଜାମ : ରୋଗମୁକ୍ତ ଗଞ୍ଜାମ ପ୍ରକଳ୍ପର ପ୍ରମୁଖ କାର୍ଯ୍ୟକଳାପ ଓ ସଫଳତା ଉତ୍ସବ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କ୍ୟାମ୍ପସ ପରିସରସ୍ଥ ଜିଲ୍ଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ “ନିରାମୟ ଗଞ୍ଜାମ” ପ୍ରକଳ୍ପ ସଫଳତାର କାର୍ଯ୍ୟକ୍ରମ ଗୁରୁବାର ଆୟୋଜିତ ହୋଇଥିଲା । ଗେଲ୍ ଗ୍ୟାସ୍ ଲିଃ. ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱ ବୋଧ (ସିଏସ୍‌ଆର୍.) ସୌଜନ୍ୟରେ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଗେଲ୍ ଗ୍ୟାସ୍ ଲିଃ. ପକ୍ଷରୁ ମୁଖ୍ୟ ପ୍ରବନ୍ଧକ ଉଦିତ ରଞ୍ଜନ ସୋରେନ ମୁଖ୍ୟପ୍ରବନ୍ଧକ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥିଙ୍କ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ କରି ଅତିଥୀ ମାନଙ୍କୁ ମଞ୍ଚାସୀନ କରାଯାଇଥିଲା । ଶ୍ରୀମତୀ ସୀମା ଗୁପ୍ତା, ଲିଡ୍, ସିକେଡି ଏହି ପ୍ରକଳ୍ପ ସଫଳତାର ବିଷୟରେ ଉପସ୍ଥାପନା କରିଥିଲେ । ସେ ଏକ ସ୍ୱଳ୍ପ ଚଳଚ୍ଚିତ୍ର ମାଧ୍ୟମରେ ପ୍ରକଳ୍ପର ପ୍ରମୁଖ କାର୍ୟ୍ୟକଳାପ ଓ ହିତାଧିକାରୀଙ୍କ ଅନୁଭୂତି ପ୍ରଦର୍ଶନ କରିଥିଲେ । ଉପସ୍ଥାପନାରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶରେ କରାଯାଇଥିବା ତ୍ୱରିତ ଆବଶ୍ୟକତା ମୂଲ୍ୟାଙ୍କନ ଉପରେ ଆଧାରିତ ପ୍ରମାଣଭିତ୍ତିକ ହସ୍ତକ୍ଷେପଗୁଡ଼ିକୁ ଉଲ୍ଲେଖ କରାଯାଇଥିଲା । ଏହି ଅବସରରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ା. ଅଲେଖ ପ୍ରଧାନ ଯୋଗଦେଇ ଛତ୍ରପୁର ଉପଖଣ୍ଡ ସ୍ତରର ସମୁଦାୟ ସ୍ତରରେ ରକ୍ତହୀନତା, ମଧୁମେହ, ଉଚ୍ଚ ରକ୍ତଚାପ, ପୁଷ୍ଟି ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସଚେତନତା ଉପରେ ଆଲୋକପାତ କରି ଏହି ପ୍ରକଳ୍ପର ଅବଦାନକୁ ପ୍ରଶଂସା କରିଥିଲେ । ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ବୁଲାନାଥ ସାହୁ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ତଥା ଛତ୍ରପୁର ବ୍ଲକ ସ୍ଵାସ୍ଥ୍ୟ-ଅଧିକାରୀ ଡା. ସ୍ୱାଧୀନ ରଥ ଏହି କାର୍ଯ୍ୟକ୍ରମରେ ମହତ୍ତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ବିଶେଷକରି ରକ୍ତହୀନତା, ମଧୁମେହ, ଉଚ୍ଚ ରକ୍ତଚାପ ଓ ପୁଷ୍ଟି ସମ୍ପର୍କିତ ସଚେତନତା ସୃଷ୍ଟି ସହିତ ସମୁଦାୟର ସ୍ୱାସ୍ଥ୍ୟ ସେବା ଗ୍ରହଣ ପ୍ରବୃତ୍ତି ବୃଦ୍ଧିରେ ପ୍ରକଳ୍ପର ଅବଦାନକୁ ଅତିଥି ମାନେ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ପ୍ରକଳ୍ପର ହିତାଧିକାରୀମାନଙ୍କ ଅନୁଭୂତି ବାଣ୍ଟିବା ସାଂଗକୁ ସ୍ୱାସ୍ଥ୍ୟ ଶିବିର, ପୃଷ୍ଟି ବଗିଚା, ତ୍ରିରଙ୍ଗା ଥାଳି ପ୍ରଦର୍ଶନ ଏବଂ ବିଦ୍ୟାଳୟ ସଚେତନତା କାର୍ଯ୍ୟକ୍ରମର ଲାଭାର୍ଥୀମାନେ ନିଜ ପରିବାର ଏବଂ ସମୁଦାୟରେ ଘଟିଥିବା ସକାରାତ୍ମକ ପରିବର୍ତ୍ତନ ବିଷୟରେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି କର୍ମୀ, ସମୁଦାୟ ନେତୃବୃନ୍ଦ, ମହିଳା ଏସ୍‌ଏଚ୍‌ଜି ସଦସ୍ୟା ଏବଂ ପ୍ରକଳ୍ପର ପ୍ରମୁଖ ସହଯୋଗୀମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ୨୦ଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ ଏବଂ ୩,୫୦୦ରୁ ଅଧିକ ଲୋକଙ୍କର ରକ୍ତହୀନତା, ମଧୁମେହ ଓ ଉଚ୍ଚ ରକ୍ତଚାପ ପରୀକ୍ଷା, ସଚେତନତା କାର୍ଯ୍ୟକଳାପ ମାଧ୍ୟମରେ ୮,୦୦୦ରୁ ଅଧିକ ସମୁଦାୟ ସଦସ୍ୟଙ୍କ ପାଖରେ ପହଞ୍ଚାଯାଇଛି ।

Leave A Reply

Your email address will not be published.