pakka

ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ : ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ଖରାର ତାତି ସାଙ୍ଗକୁ ନିର୍ବାଚନୀ ତାତି ମୁଣ୍ଡ ଉପରେ । ନେତା ପ୍ରଚାର ଏବଂ ପ୍ରଶାସକ ବ୍ୟସ୍ତ ଏହି ପର୍ବ ଆୟୋଜନରେ । ଅସହାୟ ନିରାଶ୍ରିତଙ୍କ ଜୀବନ ସଂଗ୍ରାମ କଥା ଏହି ମୁହୂର୍ତ୍ତରେ ଅବା ଆଉ କିଏ ପଚାରେ । ସେ ବି ଜଣେ ଭୋଟର କିନ୍ତୁ ତା’ ପାଇଁ କାହାରି ଦରଦ ନାହିଁ । ସହର ଛାତି ଉପରେ ବସବାସ କରୁଥିଲେ ମଧ୍ୟ ଅଳିଏ ଖାଇବା, ଖଣ୍ଡିଏ ଶରୀର ଢାଙ୍କିବା କି ଛାୟାଟିଏ ମୁଣ୍ଡ ଗୁଞ୍ଜିବା ପାଇଁ ତା’ ଭାଗ୍ୟରେ ନାହିଁ । ଏହିପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଆଜି ବଲାଙ୍ଗିର ସହର ମଧ୍ୟରେ ଦେଖିବାକୁ ମିଳିଥିଲା । ରେଲୱେ ଷ୍ଟେସନ – ଖୁଜେନପାଲି, ସାଲେପାଲି ରାସ୍ତା ମଠଖାଇ ଛକ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ପଡି ରହିଥିଲା ଜଣେ ଅସହାୟ ଯୁବକର ଶବ । ୪ / ୫ ଦିନ ହେଇଯାଇଥିବା ଶବଟି ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଟାଉନ୍‌ ପୋଲିସକୁ ଖବର କରିଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ସେହି ଯୁବକଟି ସାଲେପାଲି ନିବାସୀ ୨୭ ବର୍ଷୀୟ ଗଣେଷ ବେହେରା ଅଟେ । ତାର ମାଁଙ୍କର ମୃତ୍ୟୁ ହେଇଯାଇଥିବା ବେଳେ ବାପା ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ଭେଣ୍ଡିଆ ପୁଅଟି କିଛିଦିନ ଶ୍ରମିକ ଭାବରେ ରୋଜଗାର କରି ପେଟପାଟଣା କରୁଥିଲା । ପରେ ଶରୀର ଅସୁସ୍ଥ ହେବାରୁ ସେହି ପରିତ୍ୟକ୍ତ ଘରେ ୧୫ /୨୦ ଦିନ ହେବ ଅଖିଆ ଅପିଆ ନିର୍ବସ୍ତ୍ର ଅବସ୍ଥାରେ ପଡି ରହିଥିଲା । ପରେ ଅନାହାରରେ ତାର ମୃତ୍ୟୁବରଣ ଘଟି ଯାଇଥିଲା । ଖବର ପାଇ ଟାଉନ୍‌ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ର ପୋଲିସ ବିଟ୍‌ ହାଉସ୍‌ ଅଧିକାରୀ ଗିରି ଧାରୀ ରାକ୍ସା, ଲକ୍ଷ୍ମୀଜୋର ଥାନାର ଏ. ଏସ୍. ଆଇ ଅଶ୍ୱିନୀ ଘିବେଲା, ମାଜିଷ୍ଟ୍ରେଟ ଦାୟିତ୍ୱରେ ବଲାଙ୍ଗିର ତହସିଲଦାର ସୁନୀଲ ମେହେରଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶବଟି ପଚା ସଢା ଅବସ୍ଥାରେ ପୋକ ସାଲୁବାଲୁ ହୋଇ ପଡିରହିଥିବା ବେଳେ ଦୁର୍ଗନ୍ଧରେ ସ୍ଥାନୀୟ ଅଞ୍ଚଳ ଫାଟି ପଡୁଥିଲା । ଫଳରେ ପୋଲିସ ଅଧିକାରୀ ଉକ୍ତ ଶବକୁ ଟେକି ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ନେବା ପାଇଁ ପୌର ପ୍ରଶାସନର ସହାୟତା ଲୋଡିଥିଲେ । ପୌର ପ୍ରଶାସନର କର୍ମଚାରୀ ଘଟଣାସ୍ଥଳକୁ ଆସିଥିଲେ ହେଁ ଶବକୁ ଦେଖିବା ପରେ ମାନବ ସମ୍ବଳ ଅଭାବ ଦର୍ଶାଇ ହାତ ଟେକି ଦେଇଥିଲେ । ବଲାଙ୍ଗିର ସହରର ୨୧ ଗୋଟି ୱାର୍ଡ ପରିଚାଳନା ଦାୟିତ୍ୱରେ ଥିବା ପୌର ପରିଷଦର ଏଭଳି ଅପାରଗତା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଅଟେ । ତେଣୁକରି ପୋଲିସ ଅଧିକାରୀ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ଯୋଗାଯୋଗ କରି ସାହାର୍ଯ୍ୟ ଲୋଡିଥିଲେ। ସଂଗଠନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଦେଖିବା ପରେ ଶବକୁ ସାଧାରଣ ଭାବରେ ଉଦ୍ଧାର କରିବା ସହଜସାଧ୍ୟ ନୁହେଁ ବୋଲି ଅନୁଭବ କରିଥିଲେ । ପରେ ୪୦ପ୍ସ ପ୍ରଚଣ୍ଡ ରୌଦ୍ରତାପରେ ପିପିଇ କିଟ୍ ମଗେଇ ଧାରଣ କରିବା ପରେ ସେହି ପରିତ୍ୟକ୍ତ ଘରେ ପ୍ରବେଶ କରି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସୁମିତ ମିଶ୍ର, ରବୀନ୍ଦ୍ର ପ୍ରଧାନ ଓ ଲିଙ୍କନ ସେଠ ଉକ୍ତ ପୋକ ସାଲୁବାଲୁ ପଚା ଶବକୁ ଉଠାଇଥିଲେ । ଶବକୁ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ନିମନ୍ତେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲସ୍ଥିତ ଶବ ସଂରକ୍ଷଣ କେନ୍ଦ୍ରକୁ ପୋଲିସ ଉପସ୍ଥିତିରେ ଆମ୍ବୁଲାନ୍ସ ଯୋଗେ ନେଇ ସଂରକ୍ଷିତ କରି ଫେରିଥିଲେ । ଏଠି ସୂଚନାଯୋଗ୍ୟ ଯେ, ଗତ ୪ ଏପ୍ରିଲରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସେହି ପରିତ୍ୟକ୍ତ ଘରେ ନିର୍ବସ୍ତ୍ର ପଡି ରହିଥିବା ସେହି ଅସହାୟ ଯୁବକକୁ ଉଦ୍ଧାର କରିବା ପରେ ବସ୍ତ୍ର ପରିଧାନ କରାଇ ଖାଇବା ପିଇବା ଦେଇ ଆମ୍ବୁଲାନ୍ସ ଯୋଗେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସେଠାରେ ପ୍ରାଥମିକ ଚିକିତ୍ସା କରାଇବା ସହ ଡାକ୍ତରଙ୍କ ଦ୍ଵାରା ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ସାଲାଇନ, ଔଷଧ, ଇଂଜେକସନ ଦିଆଯାଇଥିଲା । ପରେ ତାକୁ ହସ୍ପିଟାଲରେ ଆଡ୍‌ମିଟ୍‌ କରିଦେବା ପାଇଁ ଡାକ୍ତର ପରାମର୍ଶ କରିବାରୁ ପୁରୁଷ ଭେଷଜ ୱାର୍ଡରେ ଭର୍ତ୍ତି କରାଯାଇଥିଲା ଏବଂ ହସ୍ପିଟାଲସ୍ଥିତ ହେଲ୍ପ ଡେସ୍କକୁ ମଧ୍ୟ ଖବର ଦିଆଯାଇଥିଲା । ଯୁବକଟି ଟିକିଏ ସୁସ୍ଥ ଅନୁଭବ କଲେ ତାର ଆଶ୍ରୟ ବ୍ୟବସ୍ଥା ଦାୟିତ୍ୱ ମଧ୍ୟ ନେଇଥିଲା ସଂଗଠନ ହେଲେ ସେ ହସ୍ପିଟାଲ କର୍ମଚାରୀଙ୍କ ଅଜ୍ଞାତରେ କିପରି ଓ କେବେ ହସ୍ପିଟାଲରୁ ବାହାରି ପୁଣି ସେହି ପରିତ୍ୟକ୍ତ ଘରକୁ ଆସି ପହଞ୍ଚି ଯାଇଥିଲା ତାର କୌଣସି ତଥ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ । ଅସହାୟ ରୋଗୀଟିଏର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ହସ୍ପିଟାଲ କର୍ମଚାରୀ ନେଇ ନପାରିବା ଏକ ଦୁର୍ଭାଗ୍ୟଜନକ ବିଷୟ । ଯାହାକି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ବାରମ୍ବାର ଦାବି କରି ଆସୁଛି । ଏହି ଅସହାୟ ଶବ ଉଦ୍ଧାର କାର୍ଯ୍ୟରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସୁମିତ ମିଶ୍ର, ରବୀନ୍ଦ୍ର ପ୍ରଧାନ, ଲିଙ୍କନ ସେଠ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ଶ୍ୱେତା ସାହୁ ଓ ଚିନ୍ମୟୀ ବୀର ସାମିଲ ରହିଥିଲେ ।

Leave A Reply

Your email address will not be published.

12 − 7 =