ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ଆଜି ଅପରାହ୍ଣ ସମୟରେ ବାପ ଓ ପୁଅଙ୍କ ସମେତ ଗୋଟିଏ ପରିବାରର ୫ ଜଣ ପର୍ଯ୍ୟଟକ ବୁଡ଼ିଯାଇଥିବା ଖବର ମିଳିଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କିନ୍ତୁ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଯାିଥିବା ସୂଚନା ମିଳିଛି । ମୃତ ବ୍ୟକ୍ତିମାନେ ରଂଜନ ଦାସ (୫୦) ଓ ତାଙ୍କର ପୁଅ ଋଷଭ ଦାସ (୧୬) ବୋଲି ଜଣାପଡିଛି ।
ସୂଚନା ଅନୁସାରେ ପଶ୍ଚିମବଙ୍ଗର ହାଓଡା ଅଞ୍ଚଳରୁ ଏକ ପରିବାରର ୫ ଜଣ ଗତକାଲି ପୁରୀ ବୁଲିବାକୁ ଆସିଥିଲେ । ସେମାନେ ପୁରୀର ଏକ ହୋଟେଲରେ ରହୁଥିଲେ । ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ଫ୍ୟାମେଲିଆ ହୋଟେଲ ସାମ୍ନା ସମୁଦ୍ରରେ ପରିବାରର ସମସ୍ତ ସଦସ୍ୟ ଗାଧୋଉଥିଲେ । ଏହି ସମୟରେ ସମୁଦ୍ରର ଲହଡ଼ି ଯୋଗୁଁ ସମସ୍ତେ ବୁଡ଼ି ଯାଇଥିଲେ । ତେବେ ସମୁଦ୍ର କୂଳରେ ମୁତୟନ ଥିବା ଦମକଳବହିନୀର ଲାଇଫ୍ ଗାର୍ଡ କର୍ମୀମାନେ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ବାପ-ପୁଅ ରଂଜନ ଦାସ ଓ ଋଷଭ ଦାସଙ୍କର ମୃତ୍ୟୁ ହୋଇଯାଇଥିଲା । ପୁରୀ ସମୁଦ୍ରକୂଳ ଥାନା ପୁଲିସ ୨ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।