pakka

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ଅନୁଷ୍ଠିତକୁ ନେଇ ସାମ୍ବାଦିକ ସମ୍ମିଳନୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଥିଲେ ଆଧୁନିକ ଓଡ଼ିଶାର ବିନ୍ଧାଣୀ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କ ଅତୁଳନୀୟ ଭୂମିକା ରହିଛି । ପ୍ରବାଦପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକ ଯୁବଗୋଷ୍ଠୀଙ୍କ ଶିଳ୍ପ ପ୍ରତିଷ୍ଠାନରେ ଶିଳ୍ପ ପ୍ରତ୍ସାହନ ଦେବାରେ ପ୍ରଥମ ବ୍ୟକ୍ତି । ତାଙ୍କର ସ୍ଵପ୍ନ ଥିଲା ଶିଳ୍ପର ଓଡ଼ିଶା । ଯେଉଁଠି ଉଦ୍ୟୋଗ ଓ ଉଦ୍ୟୋଗୀ ରହିବେ ସେଠାକାର ଜୀବନ ଜୀବିକାର ଜୀବନ ଉନ୍ନତ ଧରଣର ହେବ । ଓଡ଼ିଶାରେ ‘ଶିଳ୍ପ ଓ ଶିଳ୍ପାୟନ’କୁ ନୂତନ ପରିଚୟ ଦେଇଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିକୁ ଉଦ୍ୟୋଗୀ ସପ୍ତାହ ଭାବେ ମାର୍ଚ୍ଚ ପ୍ରଥମ ସପ୍ତାହକୁ ପାଳନ କରାଯାଇ ଆସୁଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିରରେ ମଧ୍ୟ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ଆୟୋଜିତ ହେବ ।

ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ଅନୁଷ୍ଠିତ ହେବ । ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପଡ଼ିଆରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସପ୍ତାହବ୍ୟାପୀ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ଆୟୋଜିତ ହେବ । ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏବଂ ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ବିଷ୍ଣୁ ପ୍ରସାଦ ଦାଶ ଏହି ସୂଚନା ଦେଇଛନ୍ତି । ଏହି ଅବସରରେ ୮୦ଟି ଷ୍ଟଲ୍ ସ୍ଥାନିତ ହୋଇ ପ୍ରଦର୍ଶିତ ହେବ । ଏହି ଷ୍ଟଲ୍‌ ଗୁଡ଼ିକରେ ୧୦ଟି ହସ୍ତଶିଳ୍ପ, ୧୦ଟି ମିଶନ୍ ଶକ୍ତି, ୨ଟି ବସ୍ତ୍ର (ଟେକ୍ସଟାଇଲ ଷ୍ଟଲ), ୨ଟି ପି.ଏମ.ଏଫ.ଏମ.ଇ, ୧୦ଟି ପି.ଏମ.ଇ.ପି.ଜି, ୩୨ଟି ଏମ.ଏସ.ଏମ.ଇ.ଷ୍ଟଲ୍‌ ପ୍ରଦର୍ଶନୀ ହେବାକୁ ଥିବାବେଳେ ଅଗ୍ନିଶମ, ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ ପାଇଁ ଗୋଟିଏ ଲେଖାଏଁ ଷ୍ଟଲ୍‌ ପ୍ରଦାନ କରାଯାଇଛି । ସେହିପରି କୃଷି ତଥା ଋଣ ପ୍ରଦାନକାରୀ ସଂସ୍ଥା ଯଥା କୃଷି ବିଭାଗ, ଉଦ୍ୟାନ ବିଭାଗ, ନାବାର୍ଡ, ବ୍ୟାଙ୍କ, ବୀମା ସଂସ୍ଥାକୁ ଗୋଟିଏ ଲେଖାଏଁ ଷ୍ଟଲ୍‌ ପ୍ରଦାନ କରାଯାଇଥିବା ବେଳେ ଯନ୍ତ୍ରାଂଶ ଯୋଗାଣକାରୀ ସଂସ୍ଥାମାନଙ୍କ ପାଇଁ ୫ଟି ଷ୍ଟଲ୍‌ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଜିଲ୍ଲାରେ ଥିବା ଉତ୍ସାହି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ଆବଶ୍ୟକ ହେଲେ ସେମାନଙ୍କ ଉତ୍ପାଦର ବଜାରୀକରଣ, ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଏହି ଅବସରରେ ଜିଲ୍ଲାର ଆଗ୍ରହୀ ଉଦ୍ୟୋଗୀଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରାଯାଇ ଜିଲ୍ଲାର ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରାଯାଇ ଉଦ୍ୟୋଗୀ ସପ୍ତାହ ମଧ୍ୟରେ ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନର ବ୍ୟବସ୍ଥା କରାଯିବ । ସପ୍ତାହର ପ୍ରଥମ ଦିନ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରେ ଉଦ୍ୟୋଗୀମାନଙ୍କୁ ଷ୍ଟାର୍ଟ ଅଫ ଓଡ଼ିଶା, ବ୍ୟାଙ୍କ ସହ ସଂଯୋଗୀକରଣ, ଋଣ ପ୍ରଦାନ ସମ୍ପର୍କିତ ସୂଚନା, ବ୍ୟାଙ୍କ ଅଧିକାରୀଙ୍କ ସହ ଉଦ୍ୟୋଗୀଙ୍କ ଆଲୋଚନା, ସଫଳ ଉଦ୍ୟୋଗୀଙ୍କ ଦ୍ଵାରା ସଫଳତାର ମନ୍ତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଦ୍ଵିତୀୟ ଦିନ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା ଆୟୋଜନ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ କର୍ମ ନିଯୁକ୍ତି ଯୋଜନା ସହ ଅନ୍ୟାନ୍ୟ ବିକାଶମୂଳକ ଯୋଜନା ଉପରେ ସଚେତନ କରାଯିବ । ଏହା ସହ ସରକାରୀ ସହାୟତା ପାଇ ନଥିବା ଆଗ୍ରହୀ ଗୋଷ୍ଠୀଙ୍କୁ ଉଦ୍ୟୋଗୀ ବିକାଶ ଯୋଜନାରେ ସାମିଲ କରାଯିବ । ସେହିପରି ତୃତୀୟ ଦିନ ପ୍ୟାକେଜିଂ, ବ୍ରାଣ୍ଡିଂ, ଜେଡଇଡି ବିଷୟରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ଚତୁର୍ଥ ଦିନ ଜିଲ୍ଲା ତଥା ରାଜ୍ୟର ବଜାର ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ । ଏହି ଦିନ ସବୁଜ ଶକ୍ତିର ଭବିଷ୍ୟତ, ରପ୍ତାନୀ, ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଇ ଥିବା ବିଭିନ୍ନ ଶିଳ୍ପ ସମ୍ବନ୍ଧୀୟ ନୀତି, ସଫଳ ଉଦ୍ୟୋଗୀ, ବିଭିନ୍ନ ଉଦ୍ୟୋଗ କ୍ଷେତ୍ରରେ ସଫଳତା ହାସଲ କରିଥିବା ଉଦ୍ୟୋଗୀଙ୍କ ଦ୍ଵାରା ଅଭିଭାଷଣ, ଜିଲ୍ଲାର ଉଦ୍ୟୋଗ କ୍ଷେତ୍ରରେ ଅତୁଳନୀୟ ଭୂମିକା ତଥା ଯୋଗଦାନ ପାଇଁ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ, ସଂଘ ତଥା ଅନୁଷ୍ଠାନମାନଙ୍କୁ ଆମନ୍ତ୍ରୀତ କରାଯାଇ ‘ଉଦ୍ୟୋଗ ଓ ଉଦ୍ୟୋଗୀ’ ହେବା ନିମନ୍ତେ ସଚେତନତା ସୃଷ୍ଟି କରାଯିବା ସଙ୍ଗେ ସଙ୍ଗେ ବ୍ୟବସ୍ଥିତ ସରକାରୀ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ଏହି ପ୍ରଦର୍ଶନୀ ପଡ଼ିଆରେ ସାମିଲ ହେବାକୁ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏପରିକି ଜିଲ୍ଲାର ବିଭିନ୍ନ ଅଂଚଳରେ କୌଣସି ଲୁକ୍କାୟିତ ଉଦ୍ୟୋଗୀ ଥିଲେ ସେ ସମ୍ପର୍କରେ ତୁରନ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ରରେ ସମ୍ପର୍କ କରିବାକୁ ଅନୁରୋଧ କରାଯାଇଛି । ଆଜି ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀଙ୍କ ସମେତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight − four =