
କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜନସେବାକୁ ପାଥେୟ କରି ବିଗତ ଚାରି ବର୍ଷ ଧରି ଫୁଲବାଣୀ ତଥା କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଜର ନିରବଚ୍ଛିନ୍ନ ସେବା ଜାରି ରଖିଛି ସ୍ବେଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି କନ୍ଧମାଳ । ଆବାହକ ଭି.ଲୋକନାଥ ରାଜୁଙ୍କ ନେତୃତ୍ୱରେ ଗଠନ ହେଇଥିବା ଏହି ଟିମ୍ ମୁଖ୍ୟତଃ ରକ୍ତଦାନ ଶିବିର ଆୟୋଜନ, ସଡ଼କ ଦୁର୍ଘଟଣା, ଦୈବି ଦୁର୍ବିପାକ , ଅସହାୟ ମୃତବ୍ୟକ୍ତିଙ୍କ ଶବ ସତ୍କାର, ବିଷାକ୍ତ ସାପଗୁଡ଼ିକର ଉଦ୍ଧାର ଭଳି ଅନେକ କାର୍ଯ୍ୟକ୍ରମ କରି ଆସୁଛି । ତତ୍ ମଧ୍ୟରେ ସାପ ଉଦ୍ଧାର କରିବା ପାଇଁ ଟିମ୍ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ନେକ ହେଲ୍ପଲାଇନ ଟିମ୍ ମଧ୍ୟ ଗଠନ କରାଯାଇଛି । ବିଗତ ଚାରିବର୍ଷ ମଧ୍ୟରେ ଫୁଲବାଣୀ ସହର ତଥା ଆଖପାଖ ଅଂଚଳରୁ ପ୍ରାୟ ୪୦୦୦ରୁ ଅଧିକ ବିଭିନ୍ନ ପ୍ରଜାତିର ସାପ ଏବଂ କେତେଗୋଟି ଗୋଧି ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ଟିମ୍ ସ୍ନେକ ହେଲ୍ପଲାଇନ ବିଭିନ୍ନ ପ୍ରଜାତି ତଥା ପାଣି ଧଣ୍ଡ , ଢମଣା, ନାଗ, ଚିତି, କଉଡିଆ ଚିତି, ରଣା, ଟ୍ରିଙ୍କେଟ, କୁ୍କ୍ରି, ଡାଳୁଆ ବଡ଼ା, ଅଜଗର, ବାଲିବଡା, ଲାଉ ଡଙ୍କିଆ, ପାହାଡିଆ ଚିତି ଏବଂ ମାଟି ବିରାଡି ଭଳି ବିଭିନ୍ନ ପ୍ରଜାତିର ସାପ ସୁରକ୍ଷିତ ଭାବେ ଉଦ୍ଧାର କରି ପୁନର୍ବାର ଜଙ୍ଗଲରେ ଛାଡ଼ିଛି । ଯେ କୌଣସି ବ୍ୟକ୍ତି ଯଦି ସାପ ଉଦ୍ଧାର ପାଇଁ ଫୋନ୍ କରନ୍ତି ଟିମ୍ ସଦସ୍ୟ ଭି.ଜଗନ୍ନାଥ ରାଜୁ, ଅନୁପ ପାତ୍ର, ଅବଦୁଲ ସାକିର, ଆଲୋକ ବିଶୋଇ, ପ୍ରଫୁଲ୍ଲ କୁମାର ପୃଷ୍ଟି ପ୍ରମୁଖ ଦିନ ହେଉକି ରାତି ତୁରନ୍ତ ଉକ୍ତ ସ୍ଥାନକୁ ପହଞ୍ଚି ଯାଆନ୍ତି ଏବଂ ସାପ ଗୁଡିକୁ ସୁରକ୍ଷିତ ଉଦ୍ଧାର କରି ପୁନର୍ବାର ଜଙ୍ଗଲରେ ଛାଡ଼ି ଆସନ୍ତି । ବିଗତ ବର୍ଷଠାରୁ କନ୍ଧମାଳ ଜିଲ୍ଲା ଜଙ୍ଗଲ ଅଧିକାରୀ ଟିମ୍ର କାର୍ଯ୍ୟକ୍ରମ ଉପରେ ଅନୁଧ୍ୟାନ କରି ଟିମ୍ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ଏବଂ ଟିମ୍ର ଏଭଳି ପଦକ୍ଷେପକୁ ଆହୁରି ପ୍ରୋତ୍ସାହନ ଦେବା ପାଇଁ ଟିମ୍ର କାର୍ଯ୍ୟକ୍ରମକୁ ରାଜ୍ୟସ୍ତରୀୟ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ବର୍ଷର ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନରେ ସମ୍ମାନିତ କରାଯାଇଛି ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନକୁ । ୬ ତାରିଖ ଶୁକ୍ରବାର ଫୁଲବାଣୀ ସଦର ମହକୁମା କନ୍ଧମାଳ ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟରେ ହୋଇଥିବା ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ସମ୍ମାନିତ କରାଯାଇଛି । ଆୟୋଜିତ ଉତ୍ସବରେ ଡିଏଫଓ ପ୍ରଶାନ୍ତ ପଟେଲ, ଏସିଏଫ ମଳୟ ରଞ୍ଜନ କୋଲ, ବାଲିଗୁଡା ଏସିଏଫ ଫୁଲବାଣୀ ସିଡିଭିଓ, ଆଇନଜୀବୀ ବିଜୟ ପଟ୍ଟନାୟକ, କୌଶିକ ସାହୁ ଏବଂ ଫୁଲବାଣୀ ରେଞ୍ଜର ଶିବାନନ୍ଦ ଲେଙ୍କାଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।