ଆଦିବାସୀ ଅନାଥ ଚାରି ଭାଇଭଉଣୀଙ୍କୁ ସାହାଯ୍ୟର ହାତ ବଢାଇଲା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାପା ମା’ ହେଉଛନ୍ତି ଭଗବାନ ।ଯେତେବେଳେ ଗୋଟେ ଶିଶୁ ଜନ୍ମ ହୁଏ, ଏ ସଂସାରକୁ ଆସେ ତାର ଅଧିକରୁ ଅଧିକ ଯତ୍ନ ମା’ ବାପା ନେଇଥାନ୍ତି । ପିଲାଟି ଯେତେବେଳେ କଥା କହିବା ଆରମ୍ଭ କରେ ସେତେବେଳେ ତା ପାଟିରେ ମାବାପାର ଶବ୍ଦ ପ୍ରଥମେ ଶୁଣିବାକୁ ମିଳିଥାଏ । ହେଲେ ଜନ୍ମ ଦେବା ପରେ ଯଦି ସେହି ଶିଶୁର ମା ବାପା ଛାଡ଼ି ଆରପାରିକୁ ଚାଲିଯାଆନ୍ତି, ତ ସେ ପିଲାମାନଙ୍କ କିଭଳି ଦିନ କଟୁଥିବ, କିଭଳି ଭାବେ ଚଲୁଥିବେ ଟିକେ ଚିନ୍ତା କରନ୍ତୁ ତ । ଏମିତି ଏକ କାହାଣୀ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଅନ୍ତର୍ଗତ ମଳମଣ୍ଡା ଗ୍ରାମର ବୁଲୁ ବରିହା ଓ ତାଙ୍କ ତିନି ଭାଇଭଉଣୀ । ଜନ୍ମ ପରଠାରୁ ପ୍ରଥମେ ତାଙ୍କ ମା’ ଚାଲିଗଲେ, ସମସ୍ତଙ୍କୁ ଏକା କରି ପରେ ବାପା । ଏ ଘର ସେ ଘର ହୋଇ ଦିନ କାଟୁଛନ୍ତି ପିଲାମାନେ । ନା ପାଖରେ ଅଛି ଘର ନା ପାଖରେ ଅଛି ରେସନ୍ କାର୍ଡ । ପଡୋଶୀ ଘରେ ଖାଇବାକୁ ଦେଲେ ଖାଆନ୍ତି, ନହେଲେ ସେହିଦିନ ଭୋକରେ କଟିଯାଏ । ଦୁନିଆ କଣ ଜାଣିନଥିବା ବେଳେ ଲାଗୁଛି ଯେମିତି ତାଙ୍କ ମୁଣ୍ଡରେ ସଂସାର ବୋଝ ଛିଣ୍ଡି ପଡ଼ିଛି । । ଏହି ସମୟରେ ଦୁଃଖୀର ଦୁଃଖ ବୁଝୁଥିବା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ଆସି ସାହାଯ୍ୟର ହାତ ବଢ଼ାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା କୀର୍ତ୍ତନ ଦାସ ଗୋଟିଏ ମାସର ଶୁଖିଲା ଖାଦ୍ୟ ସହ ପିଲାମାନଙ୍କ ପାଇଁ ଡ୍ରେସ ଦେଇଛନ୍ତି ଓ ତାଙ୍କ ପାଠ ପଢ଼ାରେ ଟ୍ରଷ୍ଟ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କୀର୍ତ୍ତନ ଦାସ ପଞ୍ଚାୟତ ସରପଞ୍ଚଙ୍କୁ ଅନୁରୋଧ କରିଛନ୍ତି ଯେ ସେ ପିଲାମାନଙ୍କ ପାଇଁ ଘର ଓ ରେସନ କାର୍ଡ ଯୋଗାଇ ଦିଆଯାଉ ।

Leave A Reply

Your email address will not be published.