ବଲାଙ୍ଗିରରେ କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ ଓ ନେତା

  • କଂଗ୍ରେସକୁ ଝଟକା, ଶଙ୍ଖ ଫୁଙ୍କିଲେ ଲୋଇସିଂହାର ନବ ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଶାସକ ବିଜେଡି ଦଳ ୨୩ ବର୍ଷ ଶାସନରେ ରହିଆସିଥିବା ବେଳେ ଦଳର ପତିଆରା ଏବେ ବି ଅକ୍ଷୁର୍ଣ୍ଣ ରହିଛି । ଏବେ ଅନ୍ୟ ଦଳରୁ ନେତା ଓ କର୍ମୀମାନେ ଆସି ବିଜେଡିରେ ସାମିଲ ହେଉଛନ୍ତି । ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବଲାଙ୍ଗିରର ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡର ଚେୟାର୍‌ମେନ ଯୁବନେତା କଳିକେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ଆଜି ଲୋଇସିଂହା, ପାଟଣାଗଡ ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଶହ ଶହ ନେତା ଓ କର୍ମୀ ଆସି ବିଜେଡି ଦଳରେ ଯୋଗଦେଇଛନ୍ତି । ବଲାଙ୍ଗିର ସହରର ଶୈଳେଶ୍ରୀ ପେଲେସଠାରେ ବିଜେଡ଼ିର ଉତ୍ସାହପ୍ରଦ ଏକ ବିରାଟ ମିଶ୍ରଣ ପର୍ବ ଆଜି ଦେଖିବାକୁ ମିଳିଥିବା ବେଳେ ଏଥିରେ ସବୁଠୁ ବଡ ଝଟ୍‌କା ଲାଗିଛି କଂଗ୍ରେସ ଦଳକୁ । କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଜଣେ ଦୃଢ ସମର୍ଥକ ରହି ଆସିଥିବା ତଥା ଗତ ୨୦୧୯ରେ ଲୋଇସିଂହା ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ନବକିଶୋର ନାଏକ ଆଜି କଂଗ୍ରେସ ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେ ତାଙ୍କର ୨ ଶହ ସମର୍ଥକଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ଆସି ବଲାଙ୍ଗିର ଶୈଳେଶ୍ରୀ ପେଲେସରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି ଓ ଆଗାମୀ ଦିନରେ ସେ ବିଜେଡି ଦଳ ପାଇଁ କାମ କରିବେ ବୋଲି କହିଛନ୍ତି । ନବକିଶୋର ଲୋଇସିଂହା ଅଞ୍ଚଳର ଜଣେ ଅମାୟିକ ବ୍ୟକ୍ତିତ୍ୱ ହୋଇଥିବା ବେଳେ ଏବେ ସେ ଲୋଇସିଂହା ପଞ୍ଚାୟତର ସରପଞ୍ଚ ମଧ୍ୟ ରହିଛନ୍ତି । ଆଗାମୀ ଦିନରେ ଲୋଇସିଂହା ଅଞ୍ଚଳର ହଜାର ହଜାର ସମର୍ଥକ ବିଜେଡିରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି । ପାଟଣାଗଡ଼ କଂଗ୍ରେସ ମହିଳା ବ୍ଲକ ସଭାପତି ଶ୍ରୀମତୀ ନନ୍ଦିତା ମେହେର ମଧ୍ୟ ଆଜି ନିଜ ସମର୍ଥକଙ୍କ ସହ ବିଜେଡ଼ିର ହାତ ଧରିଛନ୍ତି । ସେହିପରି ତୁରେକେଲା ବ୍ଲକ୍‌ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେପି ନେତା ପଶୁଧନ ମାଝୀ ଏବଂ ଜିଲ୍ଲାର ବିଭିନ୍ନ ଅଂଚଳର ବହୁ ସରପଞ୍ଚ, ସମିତି ସଭ୍ୟ ତଥା ଟାଣୁଆ ନେତାମାନେ ଯୁବନେତା କଳିକେଶଙ୍କ କର୍ତ୍ତବ୍ୟନିଷ୍ଠ ଜନସେବା ପ୍ରତି ଆକର୍ଷିତ ହୋଇ ବିଜେଡ଼ିରେ ସାମିଲ୍‌ ହୋଇଥିବା ସୂଚନା ମିଳିଛି । ଏହି ଅବସରରେ ଯୁବନେତା କଳିକେଶ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ନିର୍ବାଚିତ ପୌର କାଉନସିଲକୁ ଭାଙ୍ଗି ଦେବାକୁ ଧମକ ଦେଉଥିବା ବେଳେ ବିଜେଡି ଦଳର ଲୋକପ୍ରିୟତାରେ କଂଗ୍ରେସ ଭୟଭୀତ ହୋଇଯାଇଛି ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟକୁ ଗ୍ରହଣ କରିନପାରି ବିଧାୟକ ଏଭଳି ବକ୍ତବ୍ୟ ଦେଉଥିବା କହିଛନ୍ତି ।

Leave A Reply

Your email address will not be published.

four × one =