pakka

ବଲାଙ୍ଗିର ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

bbehera

– ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଷ୍ଠୀ ସହଭାଗିତା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଭୀମ ଭୋଇ ମେଡିକାଲ କଲେଜ ପ୍ରେକ୍ଷାଳୟଠାରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଶାକର୍ମୀମାନଙ୍କ ଭୂମିକା ଉଲ୍ଲେଖନୀୟ ବୋଲି ପ୍ରକାଶ କରିବା ସହ ସ୍ୱାସ୍ଥ୍ୟସେବାକୁ ଗୋଷ୍ଠୀ ଓ ପରିବାର ପାଖରେ ପହଞ୍ଚାଇବାରେ ଆଶାକର୍ମୀମାନଙ୍କ ଅକ୍ଲାନ୍ତ ପରଶ୍ରମ ଅଛି ଓ ସେମାନେ ନିଜ କର୍ତ୍ତବ୍ୟ ନିଷ୍ଠା ପ୍ରଦର୍ଶନ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ତଥା ସ୍ୱାସ୍ଥ୍ୟକର୍ମୀମାନେ ବିଭିନ୍ନ ଆହ୍ଵାନକୁ ସାମ୍ନା କରି ନିଷ୍ଠାର ସହ ଉଦ୍ୟମ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ସମ୍ମିଳନୀରେ ଭୀମ ଭୋଇ ମେଡିକାଲ କଲେଜର ଡିନ୍‌ ଓ ଅଧ୍ୟକ୍ଷା ଡା. ସବିତା ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ ଗୁରୁ, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ମେଡିକାଲ ଅଧିକ୍ଷକ ଡା. ମାନସୀ ପଣ୍ଡା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦିବ୍ୟକିଶୋର ପତି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡା. କୁବେର ଚନ୍ଦ୍ର ମହନ୍ତ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା. ନମିତା ମିଶ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା ) ଡା. ସିଦ୍ଧେଶ୍ଵର ମାଝୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସୁଧା ବାର୍ଲା, ନୋଡାଲ ଅଫିସର ଡା. ତୁଷାରକାନ୍ତ ଠାକୁର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରମା ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଷ୍ଠୀ ସହଭାଗିତା ଉପରେ ଗୁରୁତ୍ଵାରୋପ କରିବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । କାରୋନା ସମୟରେ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀଙ୍କ ସହ ମିଶି ଆଶାକର୍ମୀମାନଙ୍କ ଦ୍ଵାରା କରାଯାଇଥିବା ସଚେତନତା କାର୍ଯ୍ୟକ୍ରମ ଓ ନିସ୍ଵାର୍ଥପର ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ ସଭା ପରିଚାଳନା କରିବା ସହ ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ରୂପରେଖ ଓ କାର୍ଯ୍ୟକାରିତା ସମ୍ପର୍କରେ ବିବରଣୀ ଉପସ୍ଥାପନ କରିବା ସହ ଏ ସବୁ କାର୍ଯ୍ୟକ୍ରମରେ ଆଶାକର୍ମୀମାନଙ୍କ ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସମ୍ମିଳନୀରେ ଲୋଇସିଂହା ବ୍ଲକ ହିରାପୁରର ଆଶାକର୍ମୀ ସ୍ଵପ୍ନାରାଣୀ ମିଶ୍ର ଓ ବଲାଙ୍ଗିର ବ୍ଲକ ଝଙ୍କାରପାଲିର ଆଶାକର୍ମୀ ମମତା କଚ୍ଛପ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିଙ୍କୁ ସମ୍ମାନିତ କରାଯାଇଥିଲା । ଏହି କ୍ରମରେ ଖପ୍ରାଖୋଲ ବ୍ଲକର ଆଶାକର୍ମୀ ରଜନୀ ବରିହା ପ୍ରଥମ ସ୍ଥାନ, ଟିଟିଲାଗଡ ବ୍ଲକର ଆଶାକର୍ମୀ ବନ୍ଦନା ନାଗ ଓ ବଲାଙ୍ଗିର ବ୍ଲକର ଆଶାକର୍ମୀ ନୀଳକାନ୍ତି ନାଏକ ଯୁଗ୍ମ ଦ୍ଵିତୀୟ ଏବଂ ପୁଇଁତଲା ବ୍ଲକର ଆଶାକର୍ମୀ ନମିତା ପ୍ରଧାନ ଓ ଗୁଡଭେଲା ବ୍ଲକର ଆଶାକର୍ମୀ ଚନ୍ଦ୍ରକାନ୍ତି ବଗର୍ତ୍ତୀ ଯୁଗ୍ମ ତୃତୀୟ ସ୍ଥାନ ହାସଲ କରି ମୁଖ୍ୟ ଅତିଥି ଜିଲ୍ଲାପାଳଙ୍କଠାରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ । ସେହିପରି ସମ୍ମିଳନୀରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଜିଲ୍ଲାର ୧୪ ଗୋଟି ଗାଁ କଲ୍ୟାଣ ସମିତି ଏବଂ ୨୦ ଗୋଟି ମହିଳା ଆରୋଗ୍ୟ ସମିତିକୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ଶେଷରେ ଜିଲ୍ଲା ପ୍ରୋଗ୍ରାମ ମେନେଜର ଶ୍ରୀ ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମିଳନୀରେ ସହକାରୀ ମେନେଜର (ସିପି) ଗୋପାଳ କୃଷ୍ଣ ସାହୁ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଂଯୋଜକଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳରୁ ଆସିଥିବା ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ସଭ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three × 4 =