
କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୪ ଫଳାଫଳରେ କୃତିତ୍ୱ ହାସଲ କରିଥିବା କଳାହାଣ୍ଡି ଜିଲ୍ଲା କେସିଙ୍ଗାର କନକ ଜୈନ ଏବଂ ସଙ୍ଗୀତା ସେଠୀଙ୍କୁ କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ଅପରାହ୍ନରେ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚର ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ପୂର୍ବତନ ନଗରପାଳ ସରିତା ସିନ୍ଦୂର, ରାମଜୀ ମାତଖଣ୍ଡିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଲାଲ ସୁନାନୀ, ପ୍ରମେୟ ସାମ୍ବାଦିକ ଗଜିନ୍ଦ୍ର ସାହୁ, ଚମ୍ପକ ସାହା, ସଚେତନ ନାଗରିକ ମଞ୍ଚର ବରିଷ୍ଠ ସଦସ୍ୟ ନଳୀନ ପଟ୍ଟନାୟକ, ଜାକିର ହୁସେନ, ରଘୁରାଜ ସିଂ, ପ୍ରଶାନ୍ତ ବାନାର୍ଜୀ, ରିଷଭ୍ ଜୈନ୍, ନୀଳମଣି ମହଲା, ଟିକେଚନ ଦୀପ, ବସନ୍ତ ନାଏକ, ପୂର୍ବତନ କାଉନସିଲର ରଞ୍ଜନ ବେହେରା ପ୍ରମୁଖ କନକ ଜୈନ ଏବଂ ସଙ୍ଗୀତା ସେଠୀଙ୍କ ବାସଭବନକୁ ଯାଇ ସଫଳତାର ଶୁଭକାମନା ଜଣାଇ ସମ୍ବର୍ଦ୍ଧନା ଦେଇଥିଲେ । ସୂଚନାଯୋଗ୍ୟ ଯେ, କେସିଙ୍ଗା ସହରର ବ୍ୟବସାୟୀ ସନ୍ତୋଷ ଜୈନ ଏବଂ ନମିତା ଜୈନଙ୍କ ଝିଅ କନକ ଜୈନ ସମଗ୍ର ରାଜ୍ୟରେ ଚତୁର୍ଥ ସ୍ଥାନ ଏବଂ ୱାର୍ଡ ନମ୍ବର ୧୦ ଅନ୍ତର୍ଗତ ମଶାଣିମୁଣ୍ଡା ଅଞ୍ଚଳର ଜଣେ କାଠ ମହାରଣା ଭାବେ ଜଣାଶୁଣା ବଂଶୀଧର ପ୍ରଧାନଙ୍କ ପତ୍ନୀ ସଙ୍ଗୀତା ସେଠୀ ୧୧୩ ନମ୍ବର ସ୍ଥାନରେ ରହି ଓସିଏସ୍ ପ୍ରରୀକ୍ଷାରେ କୃତକାର୍ଯ୍ୟ ହୋଇ କଳାହାଣ୍ଡି ଜିଲ୍ଲା ତଥା କେସିଙ୍ଗା ଅଞ୍ଚଳ ପାଇଁ ଏକ ଗୌରବ ଆଣିଛନ୍ତି । ଦୁଇଜଣଙ୍କ ସଫଳତାକୁ ନେଇ କେସିଙ୍ଗା ଅଞ୍ଚଳରେ ବିଭିନ୍ନ ମହଲରୁ କନକ ଏବଂ ସଙ୍ଗୀତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।
