csstore

ବ୍ଲକ ସଭାପତି ସୂର୍ଯ୍ୟକାନ୍ତି ଛତ୍ରିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

  • ନାରୀଙ୍କୁ ସମ୍ମାନ ଓ ସୁରକ୍ଷା ନଦେଲେ କ୍ରାନ୍ତି ହେବ : ନରସିଂହ

ଦେଓଗାଁ /ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉଭୟ କେନ୍ଦ୍ର ଓ ରାଜ୍ୟ ଆମ ନାରୀ ସମାଜର ଭାବାବେଗ ସହ ଖେଳୁଛନ୍ତି । ପୂର୍ବରୁ ମହିଳା ସଂରକ୍ଷଣ ବିଲ ପାରିତ ହୋଇସାରିଥିଲେ ହେଁ କଂଗ୍ରେସ ଦଳକୁ ବଦନାମ କରିବାପାଇଁ ଡବଲ ଇଂଜିନ ବିଜେପି ସରକାର ମିଥ୍ୟା ପ୍ରଚାର କରୁଛି । କିନ୍ତୁ ଦେଶ ତଥା ନାରୀ ସମାଜ ଏମାନଙ୍କ କୁମ୍ଭୀର କାନ୍ଦଣାକୁ ଠିକ୍‌ ବୁଝିସାରିଛନ୍ତି । ନାରୀ ସଶକ୍ତିକରଣର ଦ୍ୱାହି ଦେଉଥିବା ବିଜେପି ସରକାର ଖୋଦ ନାରୀଙ୍କୁ ନିର୍ଯ୍ୟାତନା ଦେଉଛି । ରାଜ୍ୟରେ ୨ ବର୍ଷର ବିଜେପି ସରକାରରେ ମହିଳାଙ୍କୁ ସମ୍ମାନ ଦେବା ବଦଳରେ ନାରୀ ନିର୍ଯ୍ୟାତନା ସୀମା ଟପିଗଲାଣି । ତେଣୁ ରାଜ୍ୟ ବିଜେପି ସରକାର ନାରୀଙ୍କୁ ସମ୍ମାନ ଓ ସୁରକ୍ଷା ପ୍ରଦାନରେ ଅବହେଳା ଜାରୀ ରହିଲେ ଆଗାମୀ ଦିନରେ ଏକ ବଡ ଧରଣର କ୍ରାନ୍ତି ନିଶ୍ଚିତ ହେବ ବୋଲି ଆଜି ଦେଓଗାଁ ବ୍ଲକ ଭୀମ ଡୁଙ୍ଗୁରି ଠାରେ ଆୟୋଜିତ ନବ ନିଯୁକ୍ତ ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ସୁଶ୍ରୀ ସୂର୍ଯ୍ୟକାନ୍ତି ଛତ୍ରିଆଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସମାବେଶରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଦେଓଗାଁ ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ, ଏହି ବିଜେପି ସରକାର ଅମଳରେ ମହିଳାଙ୍କ ସମେତ ଛାତ୍ର ଯୁବକ କୃଷକ ଶ୍ରମିକ ସମସ୍ତେ ଅବହେଳିତ ଓ ନିର୍ଯ୍ୟାତିତ । ଯଦି ସମାଜରେ ଶାନ୍ତି ଓ ପ୍ରଗତି ଦରକାର ତେବେ ନାରୀ ସମାଜ ଏକତ୍ରିତ ହୋଇ କ୍ରାନ୍ତି ମାଧ୍ୟମରେ ଏହି ଲୋକ ବିରୋଧୀ ଉଭୟ ସରକାରଙ୍କୁ ଉଚିତ ଜବାବ ଦିଅନ୍ତୁ ବୋଲି କହିଥିଲେ । ମଂଚାସୀନ ଥିବା ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବ୍ଲକ କଂଗ୍ରେସ ସଭାନେତ୍ରୀ ସୂର୍ଯ୍ୟକାନ୍ତି ଛତ୍ରିଆଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ କହିଥିଲେ, ଭଉଣୀ ସୂର୍ଯ୍ୟକାନ୍ତି ଏ ଅଂଚଳର ଅବହେଳିତ ଓ ମହିଳାଙ୍କ ସ୍ୱାର୍ଥ ପାଇଁ ଜାରୀ ରଖିଥିବା ଲଢେଇ ସମଗ୍ର ଅଂଚଳବାସୀଙ୍କୁ ଜଣା । ତାଙ୍କ ନେତୃତ୍ୱରେ ଦେଓଗାଁ ଅଞ୍ଚଳର ମା’ ମାନେ ନିଶ୍ଚିତ ଭାବେ ସୁରକ୍ଷିତ ରହିବା ସହ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ବିକାଶରେ ଏକ ଦୃଷ୍ଟାନ୍ତ ମୂଳକ ଭାଗିଦାରୀ ରଖିବେ । ସମ୍ବର୍ଦ୍ଧନାର ପ୍ରତ୍ୟୁତରରେ ସୁଶ୍ରୀ ସୂର୍ଯ୍ୟକାନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା, ରାଜ୍ୟ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜିଲ୍ଲା ମହିଳା ସଭାନେତ୍ରୀ ଜୟନ୍ତୀ ପଟେଲ ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ଉପରେ ଭରସା କରି ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ଉପସ୍ଥିତ ମହିଳା ଓ କଂଗ୍ରେସ କର୍ମୀଙ୍କୁ କହିଥିଲେ ଯେ, ନାରୀ ନିର୍ଯ୍ୟାତନା ବହୁତ ହୋଇଗଲା । ବର୍ତ୍ତମାନ ନାରୀ ନିର୍ଯ୍ୟାତନାକାରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବାର ସମୟ ଆସି ଯାଇଛି । ମା’ ଭଉଣୀମାନେ ନିଜ ଭିତରେ ଏକତା ରଖନ୍ତୁ । ଏହି ଅଂଚଳର ହକ ପାଇଁ ପ୍ରତ୍ୟେକ ଲଢେଇର ନେତୃତ୍ୱ ଆମେ ନେବା ଏବଂ ଯେ ପର୍ଯ୍ୟନ୍ତ ମା’ମାନେ ସାମାଜିକ ସ୍ତରରେ ସୁରକ୍ଷିତ ନ ରହିବେ । ଅର୍ଥନୈତିକ ସ୍ତରରେ ସ୍ୱାବଲମ୍ବୀ ନହେବେ ସେ ପର୍ଯ୍ୟନ୍ତ ଆମ ଲଢେଇର ଅନ୍ତହେବ ନାହିଁ ବୋଲି କହିଥିଲେ । ମଂଚାସୀନ ସମିତି ସଭ୍ୟ ସଂକୀର୍ତ୍ତନ ବାଗ, ପପୁ ପାତ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହିଳା ବିରୋଧି ଅଭିମୁଖ୍ୟକୁ ନିଜ ବକ୍ତବ୍ୟରେ କଟୁ ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ଯଥା – ମନମୋହନ ପଟେଲ, ମନୀଷ ମିଶ୍ର, ଅସିତ ମିଶ୍ର, ଶ୍ରୀଧର ବାରିକ, ସୌମିତ୍ରୀ ଭୋଇ ଚନ୍ଦ୍ରମା ଧରୁଆ, ଚିତ୍ତ ସାହୁ, ଜଗବନ୍ଧୁ ମେହେର, ଉମାକାନ୍ତ ପଣ୍ଡା, ରାମ ମିଶ୍ର, ତାରାକାନ୍ତ ବାଗ, ବିକାଶ ଭୋଇ, ସାନନ୍ଦ ମିଶ୍ର, ମନବୋଧ ହରପାଲ, ଜ୍ୟୋତିଷ ମୁଗ୍ରୀ ମଂଚାସୀନ ଥିବାବେଳେ ଦଳିତ ନେତା ମୟ ପଧାନୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.