jayashree

ଆଦର୍ଶ ଯୁବ ପରିଷଦର ୨୭ତମ ରାଜ୍ୟସ୍ତରୀୟ ଉତ୍ସବ ଓ ଷଷ୍ଠ ଶିଶୁ ମହୋତ୍ସବ ମହାଆଡ଼ମ୍ବରରେ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ଯୁବ ପରିଷଦ, ରାଉରକେଲା ପକ୍ଷରୁ ଆୟୋଜିତ ୨୭ତମ ରାଜ୍ୟସ୍ତରୀୟ ଉତ୍ସବ ଓ ଷଷ୍ଠ ଶିଶୁ ମହୋତ୍ସବ ସେକ୍ଟର-୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ପରିସରରେ ମହାଆଡ଼ମ୍ବରରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବା ଏହି ମହୋତ୍ସବରେ ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଶିଶୁ, ଯୁବକ-ଯୁବତୀ, ମହିଳା ଓ ଅଭିଭାବକ ଯୋଗଦେଇଥିଲେ । ପୁରା ପରିସର ଉତ୍ସବମୁଖର ହୋଇ ଉଠିଥିଲା । ଶିଶୁମାନଙ୍କ କଳରବ, ମହିଳାମାନଙ୍କ ଉତ୍ସାହ ଓ ଦର୍ଶକଙ୍କ କରତାଳିରେ ପରିବେଶ ଜୀବନ୍ତ ହୋଇ ଉଠିଥିଲା । ଏହି ମହୋତ୍ସବରେ ଚିନ୍ମୟ ମିଶନ, ସେକ୍ଟର-୭ର ସ୍ୱାମୀ ଅରୂପାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ସଂସ୍କାର, ଶୃଙ୍ଖଳା ଓ ସଂସ୍କୃତି ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ପିଲାଦିନୁ ହିଁ ଶିଶୁମାନଙ୍କ ମନରେ ନୈତିକ ମୂଲ୍ୟବୋଧ ଓ ଓଡ଼ିଆ ସଂସ୍କୃତି ପ୍ରତି ଶ୍ରଦ୍ଧା ସୃଷ୍ଟି କରିବା ଆବଶ୍ୟକ । ଏଭଳି କାର୍ଯ୍ୟକ୍ରମ ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବାହାର କରିବାରେ ସହାୟକ ହୁଏ । ଦୀପିକା ଇସ୍ପାତ ଶିକ୍ଷା ସଦନର ମୁଖ୍ୟ ଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରିଷଦର ଏହି ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ । ପ୍ରଦୀପ କୁମାର ଦାସ ଓ ପ୍ରଦୀପ ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ମହୋତ୍ସବରେ ଚିତ୍ରାଙ୍କନ, ଫ୍ୟାନ୍ସି ଡ୍ରେସ୍, ଗୀତା ଶ୍ଳୋକ ଆବୃତ୍ତି, ରାଇମ୍ସ, ତର୍କ, ସଙ୍ଗୀତ, ବାଦ୍ୟଯନ୍ତ୍ର, ଝୋଟି, ଓଡ଼ିଆ ଘାଣ୍ଟ ତରକାରୀ ଓ ମେହେନ୍ଦୀ ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରତ୍ୟେକ ବିଭାଗରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ବିଶେଷ କରି ଗୀତା ଶ୍ଳୋକ ଆବୃତ୍ତି ଓ ରାଇମ୍ସ ପ୍ରତିଯୋଗିତାରେ କୁନି କୁନି ଶିଶୁମାନଙ୍କର ବହୁଳ ଅଂଶଗ୍ରହଣ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା । ଛୋଟ ଛୋଟ ପିଲାମାନେ ନିର୍ଭୟରେ ମଞ୍ଚକୁ ଆସି ଶ୍ଳୋକ ଓ ରାଇମ୍ସ ଆବୃତ୍ତି କରି ଦର୍ଶକଙ୍କ ମନ ଜିଣି ନେଇଥିଲେ । ସେମାନଙ୍କ ଆତ୍ମବିଶ୍ୱାସ ଓ ସ୍ମରଣ ଶକ୍ତି ଦେଖି ଅଭିଭାବକମାନେ ବେଶ୍ ଖୁସି ହୋଇଥିଲେ । ଫ୍ୟାନ୍ସି ଡ୍ରେସ୍‌ରେ ପିଲାମାନେ ବିଭିନ୍ନ ମହାପୁରୁଷ, ଦେବାଦେବୀ ଓ ସାମାଜିକ ଚରିତ୍ର ରୂପେ ସଜ ହୋଇ ଆସିଥିଲେ । ଚିତ୍ରାଙ୍କନ ଓ ସଙ୍ଗୀତରେ ମଧ୍ୟ ଶିଶୁମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ସେହିପରି ଝୋଟି, ଘାଣ୍ଟ ତରକାରୀ ଓ ମେହେନ୍ଦୀ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ମହିଳା ଯୋଗଦେଇଥିଲେ । ମହିଳାମାନେ ନିଜ ହାତର କାରିଗରୀରେ ସୁନ୍ଦର ଝୋଟି ପକାଇବା ସହ ପାରମ୍ପରିକ ଓଡ଼ିଆ ଘାଣ୍ଟ ତରକାରୀ ପ୍ରସ୍ତୁତ କରି ଓଡ଼ିଶାର ପାରମ୍ପରିକ କଳା, ସଂସ୍କୃତି ଓ ଖାଦ୍ୟ ପରମ୍ପରାର ସୁନ୍ଦର ପ୍ରଦର୍ଶନ କରିଥିଲେ । ମେହେନ୍ଦୀ ପ୍ରତିଯୋଗିତାରେ ମଧ୍ୟ ଯୁବତୀମାନଙ୍କର ସୃଜନଶୀଳତା ଦେଖିବାକୁ ମିଳିଥିଲା । ତର୍କ ପ୍ରତିଯୋଗିତାରେ ଯୁବକ-ଯୁବତୀମାନେ ବିଭିନ୍ନ ସାମାଜିକ ପ୍ରସଙ୍ଗରେ ନିଜର ମତ ରଖି ନିଜର ଚିନ୍ତାଶକ୍ତି ଓ ବକ୍ତୃତା କୌଶଳ ପ୍ରଦର୍ଶନ କରିଥିଲେ । ବାଦ୍ୟଯନ୍ତ୍ର ଓ ସଙ୍ଗୀତ ପ୍ରତିଯୋଗିତା ମଧ୍ୟ ଦର୍ଶକଙ୍କୁ ବେଶ୍ ଆନନ୍ଦ ଦେଇଥିଲା । ଏହି ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆସନ୍ତା ୧୩ ଡିସେମ୍ବର ୨୦୨୬, ରବିବାର ଦିନ ସିଭିକ୍ ସେଣ୍ଟର, ସେକ୍ଟର-୧୯, ରାଉରକେଲାଠାରେ ଅନୁଷ୍ଠିତ ହେବ । ସେଥିରେ ସମସ୍ତ ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ସମସ୍ତ ପ୍ରତିଯୋଗୀ, ଅଭିଭାବକ ଓ ଶୁଭେଚ୍ଛୁଙ୍କୁ ଉପସ୍ଥିତ ରହିବାକୁ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି । ପରିଷଦର ସଭାପତି ବରଦା ପ୍ରସନ୍ନ ଦାସ ଓ ସମ୍ପାଦକ ସତ୍ୟ ସୁନ୍ଦର ପାତ୍ରଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକାରୀ ସଦସ୍ୟ, ସାଧାରଣ ସଦସ୍ୟ ଓ ସ୍ୱେଚ୍ଛାସେବୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା । ଶେଷରେ ସରୋଜ ଷଡ଼ଙ୍ଗୀ ସମସ୍ତ ଅତିଥି, ବିଚାରକ, ଅଭିଭାବକ, ପ୍ରତିଯୋଗୀ ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାରେ ସୁନନ୍ଦା ପାତ୍ର, ଶୈଳେନ୍ଦ୍ର ରାଉତ, ମନୋଜ କୁମାର ନାୟକ, ସୁସ୍ମିତା ଦାସ, ଅଂଶୁମାନ ପାତ୍ର, ଅର୍ଚ୍ଚନା ସାହୁ, ଉମେଶ ଷଡ଼ଙ୍ଗୀ, ବିଘ୍ନେଶ୍ୱର କବି, ଅଜିତା ପ୍ରଧାନ, ପିଙ୍କି ଦାସ, ବିଜୟଲକ୍ଷ୍ମୀ ମଲ୍ଲିକ, ସୌମ୍ୟ ଭାଲା, ସୁଶ୍ରୀ ନାୟକ, ଧନାଞ୍ଜୟ ଦଣ୍ଡପାଟ, ମନୋଲିସା ଗୌଡ଼ ଏବଂ ଦୈତାରୀ ସାହୁ ସହଯୋଗ କରିଥିଲେ । ବିପୁଳ ଜନସମାଗମ, ଶିଶୁ ଓ ମହିଳାମାନଙ୍କର ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଏବଂ ସମସ୍ତଙ୍କର ସହଯୋଗ ଏହି ୨୭ତମ ରାଜ୍ୟସ୍ତରୀୟ ଉତ୍ସବ ଓ ଷଷ୍ଠ ଶିଶୁ ମହୋତ୍ସବକୁ ଏକ ଭବ୍ୟ ଓ ସଫଳ ଆୟୋଜନରେ ପରିଣତ କରିଥିଲା । ଆୟୋଜକ ପରିଷଦ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛି ।

Leave A Reply

Your email address will not be published.