jayashree

ପରିବେଶ ସୁରକ୍ଷା ଓ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ନେଇ ଆର୍ଆଇଇ ଭୁବନେଶ୍ୱରରେ ଦୁଇଦିନିଆ ‘ପ୍ରକୃତି ମେଳା

ଭୁବନେଶ୍ୱର, (ପିଆଇବି) : ପରିବେଶ ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ ଓ ସ୍ଥାୟୀ ଜୀବନଶୈଳୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ସେମାନଙ୍କ ମଧ୍ୟରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଲକ୍ଷ୍ୟରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍ଆଇଇ), ଏନ୍ସିଇଆର୍ଟି, ଭୁବନେଶ୍ୱର ପକ୍ଷରୁ ନଭେମ୍ବର ୨୬ ଓ ୨୭ ତାରିଖରେ ଦୁଇଦିନିଆ ‘ପ୍ରକୃତି ମେଳା’ ଆୟୋଜିତ ହୋଇଥିଲା।
ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହ ସମନ୍ୱିତ ଏହି ମେଳାରେ ପରିବେଶ ଶିକ୍ଷାକୁ ଶିକ୍ଷାଦାନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଶିକ୍ଷାର୍ଥୀଙ୍କ ମଧ୍ୟରେ ପ୍ରକୃତି ପ୍ରତି ସମ୍ବେଦନଶୀଳତା ଓ ପରିବେଶ ଅନୁକୂଳ ଜୀବନଶୈଳୀ ଅଭ୍ୟାସ ଗଢ଼ିତୋଳିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଆର୍ଆଇଇ ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀଧର ବେହେରା ମେଳାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ, ବର୍ଜ୍ୟବସ୍ତୁ ପରିଚାଳନା, ଜୈବ ବିବିଧତାର ସୁରକ୍ଷା ଓ ସ୍ଥାୟୀ ବିକାଶ ଭଳି ପ୍ରମୁଖ ପରିବେଶଗତ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଥିଲା। ପାରମ୍ପରିକ ଶ୍ରେଣୀଗୃହ ଶିକ୍ଷା ବାହାରେ ଅନୁଭୂତିଭିତ୍ତିକ, ଆନ୍ତଃକ୍ରିୟାତ୍ମକ ଓ ଅଂଶଗ୍ରହଣମୂଳକ ଶିକ୍ଷଣ ମାଧ୍ୟମରେ ପରିବେଶ ସମ୍ପର୍କିତ ଜ୍ଞାନ ଆହରଣର ସୁଯୋଗ ଏହି ମେଳା ପ୍ରଦାନ କରିଥିଲା।
ଏହି ଦୁଇଦିନିଆ ମେଳାରେ ଭୁବନେଶ୍ୱରର ୧୦ଟି ବିଦ୍ୟାଳୟରୁ ୧,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦେଇଥିଲେ। ମେଳାର ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବୈଜ୍ଞାନିକ ଓ ପରିବେଶଭିତ୍ତିକ ମଡେଲ୍ର ପ୍ରଦର୍ଶନ। ସାଧାରଣତଃ ଏଭଳି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ଦର୍ଶକ ଭାବେ ଯୋଗଦେଉଥିବାବେଳେ ଏଠାରେ ସେମାନଙ୍କୁ ନିଜସ୍ୱ ଚିନ୍ତାଧାରାରୁ ମଡେଲ୍ ପରିକଳ୍ପନା, ନିର୍ମାଣ ଓ ଉପସ୍ଥାପନ କରିବାର ସୁଯୋଗ ମିଳିଥିଲା। ଆର୍ଆଇଇର ଶିକ୍ଷାର୍ଥୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମ ସେମାନଙ୍କ ମଧ୍ୟରେ ସୃଜନଶୀଳତା, ବୈଜ୍ଞାନିକ ମନୋଭାବ, ଦଳଗତ କାର୍ଯ୍ୟ, ପାରସ୍ପରିକ ଶିକ୍ଷଣ ଓ ପ୍ରାୟୋଗିକ ଜ୍ଞାନର ବିକାଶରେ ସହାୟକ ହୋଇଥିଲା।
ପ୍ରଦର୍ଶିତ ବୈଜ୍ଞାନିକ ଓ ପରିବେଶଭିତ୍ତିକ ମଡେଲ୍ଗୁଡ଼ିକର ମୂଲ୍ୟାୟନ ପାଇଁ ଏକ ବିଚାରକମଣ୍ଡଳୀ ଗଠନ କରାଯାଇଥିଲା। ଏଥିରେ ପ୍ରଫେସର ପି. କେ. ମହାନ୍ତି, ଡକ୍ଟର ମୃଦୁଳା ମିଶ୍ର, ପ୍ରଫେସର ଅନିମେଶ କୁମାର ମହାପାତ୍ର, ଶ୍ରୀ ସୁରେନ୍ଦ୍ର ପାଣିଗ୍ରାହୀ, ଶ୍ରୀ ସୁନାରାମ ସିଂହ ଓ ଶ୍ରୀମତୀ ବିନୋଦିନୀ ଶତପଥୀ ସାମିଲ ଥିଲେ। ସେମାନଙ୍କ ମୂଲ୍ୟାୟନ ଓ ଶିକ୍ଷାଗତ ମାର୍ଗଦର୍ଶନ ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ଅନୁସନ୍ଧାନ, ନୂତନ ଚିନ୍ତାଧାରା ଏବଂ ପରିବେଶଗତ ସମସ୍ୟାର ଅଭିନବ ସମାଧାନ ଦିଗରେ ଉତ୍ସାହିତ କରିଥିଲା।
ମେଳା ପରିସରରେ ଶିକ୍ଷା ଓ ଅନୁଭୂତିକୁ ଅଧିକ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଶିକ୍ଷାମୂଳକ ଷ୍ଟଲ୍ ଓ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଓଡ଼ିଶା ମିଲେଟ୍ ମିଶନ ପକ୍ଷରୁ ମାଣ୍ଡିଆ ସମେତ ବିଭିନ୍ନ ମିଲେଟ୍ର ପୁଷ୍ଟିକର ଗୁଣ ଓ ସ୍ଥାୟୀ ଖାଦ୍ୟ ବ୍ୟବସ୍ଥାରେ ସେଗୁଡ଼ିକର ଭୂମିକା ସମ୍ପର୍କରେ ସଚେତନ କରାଯାଇଥିଲା। ମାର୍ଗଦର୍ଶନ ଓ ପରାମର୍ଶ କକ୍ଷ ପକ୍ଷରୁ ଶିକ୍ଷା ଏବଂ ବୃତ୍ତିଗତ କ୍ଷେତ୍ରରେ ଉପଲବ୍ଧ ବିଭିନ୍ନ ସୁଯୋଗ ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। ‘ଯାଦୁଇ ପିଟାରା’ ଷ୍ଟଲ୍ରେ ଖେଳ ମାଧ୍ୟମରେ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ଶିକ୍ଷଣ ସାମଗ୍ରୀ ଓ ଶିଶୁକୈନ୍ଦ୍ରିକ ଶିକ୍ଷା ଉପକରଣ ପ୍ରଦର୍ଶିତ ହୋଇଥିଲା। ସେହିପରି ପ୍ରତିଷ୍ଠାନର ପାଠାଗାର ପକ୍ଷରୁ ଏନ୍ସିଇଆର୍ଟିର ବିଭିନ୍ନ ପ୍ରକାଶନ, ପାଠ୍ୟପୁସ୍ତକ ଓ ଶିକ୍ଷାମୂଳକ ସମ୍ବଳ ପ୍ରଦର୍ଶନ କରାଯାଇଥିଲା।
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ପ୍ରଦର୍ଶନୀ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବୈଜ୍ଞାନିକ ତଥ୍ୟ ଓ ଧାରଣାକୁ ସହଜରେ ବୁଝିବାର ସୁଯୋଗ ପାଇଥିଲେ। ବିଜ୍ଞାନ ଶିକ୍ଷାରେ ଡିପ୍ଲୋମା କାର୍ଯ୍ୟକ୍ରମର ଷ୍ଟଲ୍ରେ ବିଜ୍ଞାନ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ ଓ ପ୍ରଭାବଶାଳୀ କରିବା ପାଇଁ ବିଭିନ୍ନ ଶିକ୍ଷଣ ସାମଗ୍ରୀ ଓ ଅଭିନବ ପଦ୍ଧତି ପ୍ରଦର୍ଶିତ ହୋଇଥିଲା। ଏଥିସହ ପରିବେଶ ସୁରକ୍ଷାର ବାର୍ତ୍ତାକୁ ସାଧାରଣ ଲୋକଙ୍କ ନିକଟରେ ସରଳ ଓ ଆକର୍ଷଣୀୟ ଢଙ୍ଗରେ ପହଞ୍ଚାଇବା ପାଇଁ ଏକ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା।
ମେଳାର ସଫଳ ଆୟୋଜନରେ ଆର୍ଆଇଇ ଭୁବନେଶ୍ୱରର ଅଧ୍ୟାପକ ଓ କର୍ମଚାରୀଙ୍କ ସହ ଅଂଶଗ୍ରହଣକାରୀ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନେ ସକ୍ରିୟ ସହଯୋଗ କରିଥିଲେ। ଯୋଜନା ପ୍ରସ୍ତୁତି, ସମନ୍ୱୟ, ମାର୍ଗଦର୍ଶନ ଓ ବିଭିନ୍ନ କାର୍ଯ୍ୟକଳାପର ସୁପରିଚାଳନାରେ ସେମାନଙ୍କ ସାମୂହିକ ଅବଦାନ ମେଳାକୁ ଅଧିକ ଫଳପ୍ରଦ ଓ ଶିକ୍ଷଣୀୟ କରିଥିଲା।
ଏହି ମେଳାର ସଂଯୋଜନା ଡକ୍ଟର ଶାଳିନୀ କୌଶିକ ଲଭ୍ କରିଥିବାବେଳେ ଡକ୍ଟର ବେଦ ପ୍ରକାଶ ବର୍ମା, ଡକ୍ଟର କିରଣ ବଲପ୍ପା ଚୌଡ଼ଜ ଓ ଡକ୍ଟର ସିଦ୍ଧାର୍ଥ ଦ୍ୱିବେଦୀ ସହ-ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରଫେସର ରୀତାଞ୍ଜଳି ଦାଶ, ବିଭାଗ ମୁଖ୍ୟ, ଡିଇଇ; ଡକ୍ଟର ଭି. ପି. ବର୍ମା, ବିଭାଗ ମୁଖ୍ୟ, ଡିଇଏସ୍ଏମ୍; ଡକ୍ଟର କଳିଙ୍ଗ କେତକୀ, ବିଭାଗ ମୁଖ୍ୟ, ଡିଇଏସ୍ଏସ୍ଏଚ୍ଙ୍କ ସମେତ ପ୍ରତିଷ୍ଠାନର ଅନ୍ୟ ଅଧ୍ୟାପକମାନେ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଆବଶ୍ୟକ ମାର୍ଗଦର୍ଶନ ଓ ସହଯୋଗ ପ୍ରଦାନ କରିଥିଲେ।
ଏହି ଦୁଇଦିନିଆ ‘ପ୍ରକୃତି ମେଳା’ ପରିବେଶ ସୁରକ୍ଷା କେବଳ ଏକ ଶିକ୍ଷାଗତ ବିଷୟ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଥିଲା। ବିଦ୍ୟାଳୟ ଛାତ୍ରଛାତ୍ରୀ, ଭାବୀ ଶିକ୍ଷକ, ଶିକ୍ଷାବିତ୍ ଓ ବୈଜ୍ଞାନିକ ସଂସ୍ଥାଗୁଡ଼ିକୁ ଏକ ମଞ୍ଚରେ ଏକତ୍ରିତ କରି ଏହା ପରିବେଶ ଶିକ୍ଷା ଓ ପ୍ରାୟୋଗିକ ଜ୍ଞାନ ଆହରଣର ଏକ ଅନନ୍ୟ ସୁଯୋଗ ସୃଷ୍ଟି କରିଥିଲା। ଏହି ପଦକ୍ଷେପ ପରିବେଶ ସଚେତନ, ସମ୍ବେଦନଶୀଳ ଓ ଦାୟିତ୍ୱବାନ ନାଗରିକ ଗଠନ ସହ ଜାତୀୟ ଶିକ୍ଷା ନୀତି ୨୦୨୦ର ଲକ୍ଷ୍ୟ ପୂରଣ ଦିଗରେ ଏନ୍ସିଇଆର୍ଟିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା ।

Leave A Reply

Your email address will not be published.