
ବଲାଙ୍ଗିର (କେପିଏନ୍ଏସ୍) : ଭାରତ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶାନୁସାରେ ସ୍ଵତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇଆର୍) ଓଡ଼ିଶା–୨୦୨୬ ପ୍ରକ୍ରିୟାକୁ ସଫଳ ଓ ସ୍ୱଚ୍ଛ କରିବା ପାଇଁ ଆଜି ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରୱ ଶିୱାଜୀ ଇସଲୱାର ଅଧ୍ୟକ୍ଷତା କରିଥିଲେ । ଯେଉଁଥିରେ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ହୋଇ ଏସ୍ଆଇଆର୍ ପ୍ରକ୍ରିୟାକୁ ସୂଚାରୁ ଓ ସ୍ୱଚ୍ଛ ଭାବରେ କାର୍ଯ୍ୟକାରିତା କରିବା ପାଇଁ ଆଲୋଚନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ନିର୍ଭୁଲ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତିକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ । ୧୮ ବର୍ଷରୁ ଅଧିକ ବୟସର ଯୁବ ଭୋଟରମାନଙ୍କ ନାମ ଶତପ୍ରତିଶତ ପଞ୍ଜୀକୃତ କରିବାକୁ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଭୋଟର ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ବାଦ କରିବା, ତଥା ତ୍ରୁଟିପୂର୍ଣ୍ଣ ନାମ ଓ ଠିକଣା ସଂଶୋଧନ ପାଇଁ ଆସୁଥିବା ଆବେଦନଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମାରେ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ଭୋଟଗ୍ରହଣ କେନ୍ଦ୍ର ପାଇଁ ରାଜନୈତିକ ଦଳମାନଙ୍କୁ ବୁଥ୍ ଲେଭେଲ ଏଜେଣ୍ଟ (ବିଏଲ୍ଏ) ନିଯୁକ୍ତ କରିବାକୁ କୁହାଯାଇଛି । ଏହି ବିଏଲ୍ଏ ମାନଙ୍କର ତାଲିକା ଦାଖଲ କରିବାକୁ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୁଥ୍ ଲେଭେଲ ଏଜେଣ୍ଟମାନେ ବୁଥ୍ ଲେଭେଲ ଅଫିସର (ବିଏଲ୍ଓ) ମାନଙ୍କ ସହ ସମନ୍ୱୟ ରଖି ଖସଡା ଭୋଟର ତାଲିକାରେ ଆବଶ୍ୟକ ସଂଶୋଧନ, ନୂତନ ନାମ ସମ୍ମିଳନ ଓ ବିଲୋପ କାର୍ଯ୍ୟରେ ସହଯୋଗ କରିବେ । ସେହିପରି, ଇଆର୍ଓମାନଙ୍କୁ ସ୍ୱେଚ୍ଛାସେବୀଙ୍କ ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏଲ୍ଓ ଓ ସ୍ୱେଚ୍ଛାସେବୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି ।
ସ୍ଵତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇଆର୍) ଓଡ଼ିଶା-୨୦୨୬ର ଯୋଗ୍ୟତା ତାରିଖ ୦୧ ଜୁଲାଇ ୨୦୨୬ ରହିଥିବାବେଳେ, ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ୨୦ ମେ ରୁ ୨୯ ମେ ପର୍ଯ୍ୟନ୍ତ ସମ୍ପନ୍ନ ହେବ । ୩୦ ମେ ରୁ ୨୮ ଜୁନ ପର୍ଯ୍ୟନ୍ତ ବିଏଲଓମାନେ ଘରେ ଘରେ ଯାଇ ପରିଗଣନା ଫର୍ମ ପୂରଣ ଓ ଯାଞ୍ଚ କାର୍ଯ୍ୟ କରିବେ । ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନଃବିନ୍ୟାସ ୨୮ ଜୁନ ସୁଦ୍ଧା ସମ୍ପନ୍ନ ହେବ । ଖସଡ଼ା ଭୋଟର ତାଲିକା ୦୫ ଜୁଲାଇରେ ପ୍ରକାଶିତ ହେବା ସହ, ଦାବି ଓ ଆପତ୍ତି ଦାଖଲ ସମୟ ୦୫ ଜୁଲାଇରୁ ୦୪ ଅଗଷ୍ଟ ପର୍ଯ୍ୟନ୍ତ ରହିବ । ନୋଟିସ ଜାରି କରିବା ଓ ଦାବି–ଆପତ୍ତିର ନିଷ୍ପତ୍ତି ୦୫ ଜୁଲାଇରୁ ୦୨ ସେପ୍ଟେମ୍ବର ପର୍ଯ୍ୟନ୍ତ କରାଯିବ । ଚୂଡ଼ାନ୍ତ ଭୋଟର ତାଲିକା ୦୬ ସେପ୍ଟେମ୍ବର ୨୦୨୬ରେ ପ୍ରକାଶିତ ହେବ । ବୈଠକ ଶେଷରେ ଡେପୁଟି କଲେକ୍ଟର (ନିର୍ବାଚନ) ସୂର୍ଯ୍ୟକାନ୍ତ ପରିଡା ଧନ୍ୟବାଦ ଜଣାଇଥିଲେ । ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଅଧିକାରୀ ବୃନ୍ଦ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।