
- ଆନ୍ଦୋଳନ ପାଇଁ ଯାଇଥିଲେ ବିଜୟ ଉତ୍ସବ ପାଳିଲେ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ପ୍ରଥମକରି ବିଶାଖାପାଟଣାରୁ ନୂଆଦିଲ୍ଲୀକୁ ସିଧାସଳଖ ଟ୍ରେନ ସେବା ଆରମ୍ଭ ହେଲା । କିନ୍ତୁ ବଲାଙ୍ଗିର ଷ୍ଟେସନରେ ଏହି ଟ୍ରେନର ଷ୍ଟୋପେଜ ନଥିଲା । ତେଣୁ କରି ଏହାକୁ ନେଇ ବଲାଙ୍ଗିରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ବିଭିନ୍ନ ସଂଗଠନ ପକ୍ଷରୁ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଦୃଷ୍ଟି ଆକର୍ଷଣ କଲାପରେ ବିଧାୟକ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ରଲେଖି ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । ବଲାଙ୍ଗିରରେ ବିଶାଖାପାଟଣା-ନୂଆଦିଲ୍ଲୀ (୦୮୫୧୭) ଓ ନୂଆଦିଲ୍ଲୀ-ବିଶାଖାପାଟଣା (୦୮୫୧୮) ରହଣୀ ଦାବିନେଇ ଆଜି ଶହଶହ ସଂଖ୍ୟାରେ ଲୋକ ରେଳରୋକୋ କରିବାକୁ ରେଳ ଷ୍ଟେସନରେ ରୁଣ୍ଡ ହୋଇଥିଲେ । ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ସମେତ ବଲାଙ୍ଗିର ରେଳ ଉପଭୋକ୍ତା ସଂଘ, ବଲାଙ୍ଗିର ନାଗରିକ କମିଟି, ବଲାଙ୍ଗିର ବ୍ରାହ୍ମଣ ସମାଜ, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ସମଲେଶ୍ୱରୀ ଆଳତି କମିଟି, କର୍ତ୍ତବ୍ୟ ଫାଉଣ୍ଡେସନ, ବସ ୟୁନିଅନ ଏସୋସିଏସନ ସମେତ ରୁଗୁଡିପଡା ଦୁର୍ଗା ପୂଜା କମିଟି ଇତ୍ୟାଦିର ଶହଶହ କର୍ମକର୍ତ୍ତା ଆନ୍ଦୋଳନ ପାଇଁ ବଲାଙ୍ଗିର ରେଳ ଷ୍ଟେସନରେ ପହଞ୍ଚିଲା ବେଳେ ରେଳ ବିଭାଗର ଅଧିକାରୀମାନେ ଏହି ଟ୍ରେନ ବଲାଙ୍ଗିର ରେଳଷ୍ଟେସନରେ ୨ମିନିଟର ରହଣୀ ପାଇଁ ଅନୁମତି ପାଇଥିବା ସୂଚନା ଦେଇଥିଲେ । ଗତକାଲି ରାତିରେ ବିଧାୟକ କଳିକେଶଙ୍କ ପତ୍ରପାଇ ରେଳ ବିଭାଗ ଉପରମହଲାକୁ ଯୋଗାଯୋଗ କରିଥିଲେ । ଶେଷରେ ଦୁଇମିନିଟ୍ର ଷ୍ଟୋପେଜ ପାଇଁ ଅନୁମତି ମିଳିଥିଲା । ଫଳରେ ଆନ୍ଦୋଳନ ପାଇଁ ଯାଇଥିବା ସଂଗଠନମାନେ ମିଳିତ ଭାବରେ ବିଜୟ ଉତ୍ସବ ପାଳିଥିଲେ । ବାଜାବଜାଇ, ନାଚି ଉତ୍ସବ ପାଳିଥିଲେ । ବଲାଙ୍ଗିରବାସୀଙ୍କ ମିଳିତଦାବିକୁ ରେଳବିଭାଗ ସମ୍ମାନ ଜଣାଇଥିବାରୁ କୃତଜ୍ଞତା ଜଣାଇଥିଲେ । ତେବେ ବିଶାଖାପାଟଣା-ନୂଆଦିଲ୍ଲୀ (୦୮୫୧୭/୦୮୫୧୮) ଟ୍ରେନକୁ ନିୟମିତ ଚଲାଇବା ଓ ବଲାଙ୍ଗିର ରେଳଷ୍ଟେସନରେ ଅନ୍ୟୁନ ୫ମିନିଟ୍ ରହଣୀ କରିବା ଓ ଦୈନନ୍ଦିନ ଇସ୍ପାତ ଟ୍ରେନର ସମୟ ସାରିଣୀକୁ ଉପଯୁକ୍ତ ସମୟରେ ଚଲେଇବାକୁ ଦାବି କରି ବଲାଙ୍ଗିର ଷ୍ଟେସନ ମ୍ୟାନେଜର ପି.ସି. ମିଶ୍ରଙ୍କ ଜରିଆରେ କେନ୍ଦ୍ର ରେଳବିଭାଗକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆନ୍ଦୋଳନ ପାଇଁ ରେଳବିଭାଗର ଇଞ୍ଜିନିୟର ମନୋଜ ଓଝା, ବଲାଙ୍ଗିର ଆଦର୍ଶଥାନାର ଆଇଆଇସି ଅବନୀ ସାହୁ, ଆରପିଏଫ ପୋଲିସ ଉପସ୍ଥିତ ରହି ଲୋକଙ୍କ ସହିତ ଆଲୋଚନା କରିଥିଲେ । ଆଜିର ଏହି ଆନ୍ଦୋଳନରେ ବଲାଙ୍ଗିର ବିଜୁ ଜନତାଦଳର ରାଜ୍ୟ ସଂପାଦକ ଲକ୍ଷ୍ମଣକୁମାର ମେହେର, ବଲାଙ୍ଗିର ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ, ନଗର ସଭାପତି ଶମ୍ଭୁ ନାଗ, ବିଜେଡିଦଳର ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତି ବାଗ, ବିଧୁଭୂଷଣ ତ୍ରୀପାଠୀ, ନରସିଂହ ବାଗ, ପ୍ରଦ୍ୟୁମ୍ନ ହୋତା, କାଉନସିଲରଗଣ, ଗୋଲାପ ବାଗ, ଶିବ ବେହେରା, ମୁନା ଖାନ, ଲେଙ୍କା ସାହୁ, ଚନ୍ଦ୍ରମଣୀ ତ୍ରିପାଠୀ, ଇରସାଦ ଆରାଖାନ, ଗଙ୍ଗାଧର ଚାନ୍ଦ, ଶତୃଘ୍ନ ବାଗ, ନନ୍ଦୀନି ପୋଢ, ସଞ୍ଜୁଲତା ଦନ୍ତା, ପ୍ରେମଲତା ନାଏକ, ପ୍ରତିମା ଛତ୍ରୀଆ, ପିଙ୍କି କବାଟ, ସନ୍ତୋଷିନୀ କୁଅଁର, ସନ୍ତୋଷ ଦନ୍ତା, ନାଗରିକ କମିଟିର ସଂପାଦକ ମଧୁସୂଦନ ନାଏକ, ଗୋପବନ୍ଧୁ ପୁରୋହିତ, ପର୍ଶୁରାମ ନାଏକ, ବ୍ରାହ୍ମଣସମାଜର ସଭାପତି ପ୍ରାଣ ବଲ୍ଲଭ ତ୍ରୀପାଠୀ, ସଂପାଦକ ନରେନ୍ଦ୍ର ଆଚାର୍ଯ୍ୟ, କିଶୋର ପୁରୋହିତ, ରେଳ ଉପଭୋକ୍ତା ସଂଘର ସଭାପତି ତରୁଣ କୁମାର ମିଶ୍ର, ଦିବାକର ହୋତା, ବିମଲ ଚକ୍ରବତ୍ର୍ତ୍ତେ, ଶିବ ରଥ, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଘର ସଭାପତି ଉପେନ୍ଦ୍ର ନନ୍ଦ, ସଂପାଦକ ଗୋବିନ୍ଦଚନ୍ଦ୍ର ଶତପଥି, କର୍ତ୍ତବ୍ୟ ଅନୁଷ୍ଠାନର କାହ୍ନା ଶତପଥି ଯାଦବ ସମାଜରୁ ସନ୍ଦିବ ବାଗ ଓ ଖୁସିରାମ ଦୀପ ପ୍ରମୁଖଙ୍କ ସହିତ ଶତାଧିକ ପୁରୁଷ/ମହିଳା ସାମିଲ ହୋଇଥିଲେ । ଏହି ଅବସରରେ ବିଜୁ ଜନତାଦଳ ପକ୍ଷରୁ ବିଶାଖାପାଟଣାରୁ ଆସିଥିବା ପାସେଞ୍ଜରମାନଙ୍କୁ ଗ୍ଲୁକୋଜ ପାନୀୟ ବଣ୍ଟନ କରାଯାଇଥିଲା ।