
ଟିଟିଲାଗଡ଼, (କେପିଏନ୍ଏସ୍) : ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ସର୍ଜନା ନିମନ୍ତେ ସାରସ୍ଵତ ସାଧକ ମାନଙ୍କୁ ପ୍ରୋତ୍ସାହିତ କରିବା ସହ ସଂସ୍କୃତି, ପରମ୍ପରା, ଐତିହ୍ୟ ତଥା ସୃଜନଶୀଳତାର ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ଟିଟିଲାଗଡ଼ ଭଳି କଳାପ୍ରେମୀ ମାଟିରେ ଉତ୍ସର୍ଗୀକୃତ ପୃଷ୍ଠପୋଷକତା ଆବଶ୍ୟକ । ଏଥିନିମନ୍ତେ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ଵାରା ଏକ ସଂସ୍କୃତି ଭବନ ନିର୍ମାଣ ସମୟର ଆହ୍ୱାନ ଅଟେ । ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସହଯୋଗ ତଥା ପ୍ରଶାସନିକ ବିଧି ବ୍ୟବସ୍ଥା ଏଥିପାଇଁ ଆଗକୁ ଆସିବା ଦରକାର । ଖୁବ୍ ଶୀଘ୍ର ସଚେତନ ନାଗରିକ ମାନଙ୍କ ଦ୍ଵାରା ବଲାଙ୍ଗିର ଜିଲ୍ଲାପାଳଙ୍କ ଠାରେ ଦାବି ଉପସ୍ଥାପନ ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଆଗତ ପ୍ରକ୍ରିୟା ଆରମ୍ଭ ହେବ । ଟିଟିଲାଗଡ଼ ମହାବୀର ପଞ୍ଚାୟତ ଧର୍ମଶାଳା ଠାରେ ନୂଆଁ ସକାଲ୍ ପ୍ରକାଶନ ଆନୁକୂଲ୍ୟରେ ଅନୁଷ୍ଠିତ ସାରସ୍ଵତ ସମାରୋହରେ ଏଭଳି ମତ ପ୍ରକାଶ ପାଇଛି । ବିଶିଷ୍ଟ ସ୍ତମ୍ଭକାର ଡଃ ଛାୟାକାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଟିଟିଲାଗଡ଼ ଏନ୍ଏସି ଅଧ୍ୟକ୍ଷା ମମତାଦେବୀ ଜୈନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡ୍ରିମ୍ ମେସିନ ସଂସ୍ଥାପକ ବଳଦେବ ଦିକ୍ଷୀତ ମୁଖ୍ୟବକ୍ତା, ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ସୁଶାନ୍ତ ବାଗ, ସମାଜସେବୀ ଶମ୍ଭୁ ପ୍ରସାଦ ଗୋୟଲ୍ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଅତିଥି ବକ୍ତା ମୃତ୍ୟୁଞ୍ଜୟ ସାହୁ, ନିସାର ଅହମ୍ମଦ ନିସାର ଓ ବିଜୟ ଖମାରୀ, ସୁଚିନ୍ତିତ ମତପୋଷଣ କରିଥିଲେ । କଣ୍ଠଶିଳ୍ପୀ ଅଜିତ ପାଣିଗ୍ରାହୀ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ସାହିତ୍ୟିକ ସେବକ ଚରଣ ଦାସଙ୍କୁ ନୂଆଁ ସକାଲ୍ ଜୀବନ ବ୍ୟାପି ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କ ଦ୍ୱାରା କୋଶଲୀ ଭାଷାରେ ରଚିତ କବିତା ପୁସ୍ତକ ‘ଘନାଶାଲ’ ଏବଂ ‘ଆଶାର ଅବଲମ୍ବନ’ ଲୋକାର୍ପିତ ହୋଇଥିଲା । ଅଧ୍ୟାପକ ଦିଲୀପ ପଶାୟତ ଓ ଚିନ୍ତାମଣି ମହାପାତ୍ର ପୁସ୍ତକ ସମୀକ୍ଷା କରିଥିଲେ । ନୂଆସକାଲ ସମ୍ପାଦକ ଗୋରାଙ୍ଗ ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବସରପ୍ରାପ୍ତ ଶିକ୍ଷକ ଜ୍ୟୋତି ପ୍ରକାଶ ଗଡତ୍ୟା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସତ୍ୟବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।