
ଆଗଲପୁର, (ସୁଶିଳ କୁମାର ମିଶ୍ର) : ସମାବେଶୀ ରାଷ୍ଟ୍ର ଗଠନ ନିମନ୍ତେ ଛାତ୍ରଛାତ୍ରୀ ତଥା ଯୁବ ସମାଜ ସାହିତ୍ୟ ମନସ୍କ ହେବା ଅତ୍ୟନ୍ତ ସୁଖପ୍ରଦ । ଯେଉଁ ସଭ୍ୟତାର ସାହିତ୍ୟ ଯେତେ ସୁଦୃଢ ସେମାନେ ସେତେ ବିକଶିତ । ବିଶ୍ଵ ମାନଚିତ୍ରରେ ପରିପୁଷ୍ଟ ସାହିତ୍ୟର ପ୍ରତିନିଧିତ୍ୱ ଯୁଗେ ଯୁଗେ ମାନବିକତାର ମନ୍ତ୍ରକୁ ଶାନ୍ତି ପଥରେ ଅଗ୍ରସର କରିପାରିଛି । ମାଟି, ମା’, ମଣିଷର ସ୍ୱରକୁ ଲେଖନୀ ମୁନରେ ପରିସ୍ଫୁଟନ ସମୟ ଆହ୍ୱାନ ବୋଲି ମତପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ସଇଁତଲାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଶିକ୍ଷା ସଦନ ପରିସରରେ ସାରସ୍ଵତ ସମାରୋହ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଜୟ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ସମ୍ପାଦକ ସୁଶାନ୍ତ ବାଗ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଉପସଭାପତି ଭିକାରୀ ଚରଣ ମିଶ୍ରଙ୍କ ଆବାହକତ୍ୱରେ ପ୍ରତିଷ୍ଠିତ ଜନବାଦୀ ଗାଳ୍ପିକ ମନୋଜ ମହାନ୍ତି, ଔପନ୍ୟାସିକ ଆଦିତେଶ୍ୱର ମିଶ୍ର, ବିଜୟ ପ୍ରଧାନ, ଯାଜ୍ଞସେନୀ ସାହା ପ୍ରମୁଖ ସ୍ୱରଚିତ ଗଳ୍ପ ପଠନ କରିଥିଲେ । ସାମାଜିକ କାର୍ଯ୍ୟକର୍ତ୍ତା ମୃତ୍ୟୁଞ୍ଜୟ ସାହୁ ଅତିଥି ପରିଚୟ ଦେଇଥିବା ବେଳେ ଶିକ୍ଷାନୁଷ୍ଠାନର ପ୍ରାଚୀର ପତ୍ରିକା ‘ଧାରା’ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ସାହିତ୍ୟ ଘର ସଭାପତି ପ୍ରମୋଦ ବୈଠାରୁ ତଥା ସମ୍ପାଦକ ବରୁଣ ସାହୁ ମଞ୍ଚାସୀନ ଥିବା ବେଳେ ଶିକ୍ଷା ସଦନର ପ୍ରତିଷ୍ଠାତା ଗୌତମ କ୍ଷେତୀ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ କବିତା ଆସରରେ କବି ରସରାଜ ଅଚ୍ୟୁତ ପୁରୋହିତ ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପକ ଦିଲୀପ ପଶାୟତ, ସନ୍ଦୀପ କୁଅଁର, ମଧୁସୂଦନ ଦାଶ ମଞ୍ଚାସୀନ ଥିବାବେଳେ କବି ଅର୍ଜୁନ ସାହୁ, ପୁଷ୍ପାଞ୍ଜଳୀ ମେହେର ଓ ଆଲ୍ଲାଦିନୀ ପାଣିଗ୍ରାହୀ ସଂଯୋଜନା କରିଥିଲେ । ପରିଷଦର ଉପଦେଷ୍ଟା ଶିକ୍ଷାବିତ୍ ସନାତନ ଠାକୁରଙ୍କ ସମେତ କବି ହେମନ୍ତ ଦାସ, ବୃନ୍ଦାବନ କୁମ୍ଭାର, ପଞ୍ଚାନନ ତାଣ୍ଡି, ଲକ୍ଷ୍ମୀକାନ୍ତ ବିଭାର, ଦିଲ୍ଲୀପ କୁମାର ପୁରୋହିତ, ମଳୟ ତ୍ରିପାଠୀ, ବିଜୟ ତ୍ରିପାଠୀ, କବି ସୁଶାନ୍ତ ବାଗ ପ୍ରମୁଖଙ୍କ ସହିତ ୫୦ରୁ ଉର୍ଦ୍ଧ୍ବ କବି ସ୍ୱରଚିତ କବିତା ପାଠ କରିଥିଲେ। ।