jayashree

ପୁରୁଷୋତ୍ତମପୁର ଥାନା କ୍ୱାଟର୍ସରେ ଜଣେ ମହିଳା ଏସ୍‌.ଆଇ.ଙ୍କ ଆତ୍ମହତ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁର ଥାନା ପରିସରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ପୁରୁଷୋତ୍ତମପୁର ଥାନା କ୍ୱାଟର୍ସରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟରଙ୍କ ମୃତଦେହ ସକାଳେ ଉଦ୍ଧାର ହୋଇଛି । ମୃତଦେହ ଉଦ୍ଧାର ପରେ ପୋଲିସ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି । ମୃତକ ମହିଳା ପୋଲିସ ଅଧିକାରୀ ହେଉଛନ୍ତି ୨୦୨୪ ବ୍ୟାଚ୍‌ର ସବ୍‌ଇନ୍ସପେକ୍ଟର ପ୍ରଭାସିନୀ ସାହୁ, ସେ ଗତ ୨୦୨୪ ଜାନୁଆରୀ ୨୯ତାରିଖରେ ପୋଲିସ ଚାକିରୀ ପ୍ରବେଶ ହୋଇଥିଲେ । ସେପ୍ଟେମ୍ବର ୧୩ ତାରିଖରେ ସେ ପୁରୁଷୋତ୍ତମପୁର ଥାନାରେ ନୂତନ ଭାବେ ଯୋଗଦେଇଥିଲେ । ଶନିବାର ସକାଳେ କ୍ୱାର୍ଟରକୁ ପାଣି ଦେବାକୁ ଆସିଥିବା ଜଣେ ବ୍ୟକ୍ତି ତାଙ୍କୁ ଫାଶୀରେ ଝୁଲୁଥିବା ଅବସ୍ଥାରେ ଦେଖି ସେ ଥାନାକୁ ଖବର ଦେଇଥିଲେ । ଖବର ପାଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବି.ସି. ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତ କୁମାର ନାୟକ ଓ ଥାନା ଆଇଆଇସି କୁଳମଣି ସେଠୀ ମଧ୍ୟ ଉପସ୍ଥିତ ଥିଲେ । କେଉଁ କାରଣରୁ ଏଭଳି ଚରମ ପଦକ୍ଷେପ ନେଇଥିଲେ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ । ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବା ପରେ ଏବଂ ପରିବାର ସଦସ୍ୟ ପହଞ୍ଚିବା ପରେ ହିଁ କ୍ୱାଟର୍ସ ଖୋଲାଯାଇ ମୃତଦେହ ବାହାର କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ମୃତ ପ୍ରଭାସିନୀଙ୍କ ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମହନ୍ତପୁର ଗ୍ରାମରେ ବୋଲି କୁହାଯାଏ । ସେ ପୁରୀରେ ବିବାହ କରିଥିବା ଜଣାପଡ଼ିଛି । ଏହି ଦୁଃଖଦ ଘଟଣାରେ ପରିବାରବର୍ଗଙ୍କୁ ଖବର ଦିଆଯାଇଛି । ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସର ତଦନ୍ତ ଜାରୀ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.