
- “ବିଶ୍ୱ ସମସ୍ୟାର ସମାଧାନର ସୂତ୍ର ଦର୍ଶନଶାସ୍ତ୍ର”
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଆୟୋଜିତ ଏହି ସମାରୋହରେ ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା, ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ ସଂଯୁକ୍ତା କୁମାରୀ ନାୟକ ଏବଂ ନିମନ୍ତ୍ରିତ ମୁଖ୍ୟ ବକ୍ତା ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ସୁଶୀଳ ମହାକୁଡ଼ ଯୋଗଦେଇଥିଲେ । ଏଥିସହ ଅତିଥି ଅଧ୍ୟାପକ ରାକେଶ ମଲ୍ଲିକ, ଭାର୍ଗବୀ ଦର୍ଜୀ ଏବଂ ଯୁକ୍ତଦୁଇ ଅଧ୍ୟାପିକା ନିରଦା ରଣା ମଞ୍ଚାସୀନ ଥିଲେ । ମୁଖ୍ୟବକ୍ତା ସୁଶୀଳ ମହାକୁଡ଼ ନିଜ ବକ୍ତବ୍ୟରେ କହିଥିଲେ ଯେ, ସାମ୍ପ୍ରତିକ ବିଶ୍ୱ ଅନେକ ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛି । ଏହାର ପ୍ରଭାବ ମାନବ ସମାଜର ଜୀବନଧାରା ଓ ଚିନ୍ତାଧାରା ଉପରେ ପଡ଼ୁଛି । ଏଭଳି ପରିବର୍ତ୍ତିତ ପରିସ୍ଥିତିରେ ଦର୍ଶନଶାସ୍ତ୍ର ମଣିଷକୁ ଯୁକ୍ତିନିଷ୍ଠ, ବିବେକପୂର୍ଣ୍ଣ ଓ ମାନବିକ ଚିନ୍ତାଧାରାରେ ଅନୁପ୍ରାଣିତ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ମାର୍ଗଦର୍ଶନ କରିପାରିବ । ବିଶ୍ୱଶାନ୍ତି ପ୍ରତିଷ୍ଠାଠାରୁ ଆରମ୍ଭ କରି ସ୍ଥାନୀୟ ସମସ୍ୟାର ସମାଧାନ ଏବଂ ବ୍ୟକ୍ତିର ଚିନ୍ତାଧାରାକୁ ସଠିକ୍ ଦିଗରେ ପରିଚାଳିତ କରିବାରେ ଦର୍ଶନଶାସ୍ତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ । ଅନ୍ୟ ବକ୍ତାମାନେ ମଧ୍ୟ ଦର୍ଶନଶାସ୍ତ୍ରର ମହତ୍ତ୍ୱ ଓ ଏହାର ସାମ୍ପ୍ରତିକ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିବା ସହ ମାନବ ଜୀବନରେ ନୈତିକତା, ବିବେକ ଓ ମାନବିକ ମୂଲ୍ୟବୋଧର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ । ଛାତ୍ରୀ ନନ୍ଦିନୀ ସିଂ ଓ ମନୀଷା ବାଗ ସଭା ସଂଯୋଜନା କରିଥିବାବେଳେ ଅଧ୍ୟାପିକା ନିରଦା ରଣା ଧନ୍ୟବାଦ ଅର୍ପଣ କରିଥିଲେ ।