
ବଲାଙ୍ଗିର, (କେପିଏନ୍ଏସ୍) : “ଉତ୍କଳ ମହିଳା ବିକାଶ ପରିଷଦ”ର ରୌପ୍ୟ ଜୟନ୍ତୀ ସମାରୋହ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଓ ଭାବବିହ୍ୱଳ ପରିବେଶରେ ସୁଶ୍ରୀ ସଂଯୁକ୍ତା ମିଶ୍ରଙ୍କ ସଭାପତିତ୍ୱ ଓ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ମହତ୍ୱପୂର୍ଣ୍ଣ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁନିସିପାଲିଟି ଚେୟାର୍ମେନ ଶ୍ରୀମତୀ ଲିକା ସାହୁ ଯୋଗଦେଇ ମହିଳା ସଶକ୍ତିକରଣ ଓ ସମାଜ ସେବା କ୍ଷେତ୍ରରେ ପରିଷଦର ଦୀର୍ଘ ୨୫ ବର୍ଷର ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ । ସମ୍ମାନୀୟ ଅତିଥି ଭାବେ ସିଡିଏମ୍ଓ ଡା. ପୁଷ୍ପାଞ୍ଜଳି ମିଶ୍ର, ପୂର୍ବତନ ମହିଳା କମିଶନର ଜ୍ୟୋର୍ତିମୟୀ ପାଣିଗ୍ରାହୀ, ସାଇବର ଇନ୍ସପେକ୍ଟର ଭାରତୀୟ ନାଏକ ଓ ପ୍ରଧାନ ଶିକ୍ଷୟତ୍ରୀ ନରେନ୍ଦ୍ର ମିଶ୍ର ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ଗଣେଶ ବନ୍ଦନାରେ ଆରମ୍ଭ ହୋଇଥିବାବେଳେ ସଂସ୍ଥାର ଫାଉଣ୍ଡର ଦୀନବନ୍ଧୁ ମିଶ୍ରଙ୍କୁ ସ୍ୱାଗତ ଜଣାଯାଇଥିଲା । ସମାରୋହର ଏକ ଭାବବିହ୍ୱଳ ମୁହୂର୍ତ୍ତରେ ପରଲୋକଗତ ମଞ୍ଜୁଳା ମିଶ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ତାଙ୍କର ସମାଜସେବା ଓ ନାରୀ ଜାଗରଣ ପ୍ରତି ଅବଦାନକୁ ସ୍ମରଣ କରି ଏକ ସ୍ମୃତିଚାରଣ ପତ୍ର ତାଙ୍କ ସ୍ୱାମୀ ନରେନ୍ଦ୍ର ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ରାମସ୍ୱାମୀ ମହିଳା କମିଟି, ଆଦ୍ୟାଶକ୍ତି ମହିଳା ସଂଗଠନ, କବୟିତ୍ରୀ ଡା. ବାସନ୍ତୀ ହନୁମାନ, ସମାଜସେବୀ ରୋଲିନି ଦାଶ, ପଦ୍ମାବତୀ ମେହେର ଓ ନରେନ୍ଦ୍ର ମିଶ୍ରଙ୍କୁ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ବଲାଙ୍ଗିର ବାର ଆସୋସେସନର ଓକିଲ ସଂଘଙ୍କୁ ସମ୍ମନିତ କରାଯାଇଥିଲା । ସମାରୋହକୁ ଆହୁରି ଆକର୍ଷଣୀୟ କରିଥିଲା ବିଭିନ୍ନ ପ୍ରକାରର ପ୍ରତିଯୋଗିତା । ରଙ୍ଗୋଲି, ଶଙ୍ଖ ଧ୍ୱନି, ହୁଳହୁଳି, ମ୍ୟୁଜିକାଲ ଚେୟାର ଓ ନୃତ୍ୟ ପ୍ରତିଯୋଗିତାରେ ବହୁ ମହିଳା ଓ ଯୁବତୀ ଅଂଶଗ୍ରହଣ କରିଥିଲେ । ଶେଷରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ରୌପ୍ୟ ଜୟନ୍ତୀ ସମାରୋହ ମାଧ୍ୟମରେ “ଉତ୍କଳ ମହିଳା ବିକାଶ ପରିଷଦ” ନାରୀ ସଶକ୍ତିକରଣ, ସାମାଜିକ ସଚେତନତା ଓ ସେବାର ଯେଉଁ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛି, ତାହାକୁ ସମସ୍ତ ଅତିଥି ଓ ଉପସ୍ଥିତ ଜନସାଧାରଣ ଭୁୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ରଂଜିତା ମିଶ୍ର ପରିଚାଳନା କରିଥିଲେ ଓ ସଭାନେତ୍ରୀ ଶ୍ରୀମତୀ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ, ଆଡ଼ଭୋକେଟ ସବିତା ରାଣୀ ମିଶ୍ର, ମାଧୁରୀ ସ୍ୱାଇଁ, ମମତା ମିଶ୍ର, ଦେବବ୍ରତ ମିଶ୍ର, ସଙ୍କଳ୍ପ ପଣ୍ଡା, ରଞ୍ଜନ କୁମାର ମିଶ୍ର, ଆଶାଲତା ସେଠୀ, ସୁବାସିନୀ ମିଶ୍ର ମିଳନ ପଣ୍ଡା, ନିହାରିକା ମିଶ୍ର, ଅନିତା ମିଶ୍ର, ମମତା ସୁନା, ସୁଜାତା ନନ୍ଦ, ସଂଗୀତା ଦେଓ, ସ୍ୱରଣିକା ପଣ୍ଡା ଏବଂ ଉତ୍କଳ ମହିଳା ବିକାଶ ପରିଷଦର ସମସ୍ତ ସଭ୍ୟା ସମ୍ପୂର୍ଣ ସହଯୋଗ କରିଥିଲେ ।