ରାଉରକେଲା ଆଇନ ମହାବିଦ୍ୟାଳୟର କେନ୍ଦ୍ର ସାହିତ୍ୟ ଏକାଡେମୀର ଦ୍ୱିଦିବସୀୟ କାର୍ଯ୍ୟକ୍ରମ

  • ବୈଷ୍ଣବ ପାଣି ଗଣ ଜୀବନର ସଫଳ ପ୍ରତିନିଧି

ରାଉରକେଲା, (ସସ୍ମତା ପ୍ରଧାନ) : ସାହିତ୍ୟ ପ୍ରତି ପ୍ରତିବଦ୍ଧତା ରଖି ରାଉରକେଲା ଆଇନ ମହାବିଦ୍ୟାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ କାର୍ଯ୍ୟକ୍ରମ କଲେଜ ପରିସରରେ ଆରମ୍ଭ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ସମାଲୋଚକ ଡଃ ପ୍ରଦୀପ୍ତ କୁମାର ପଣ୍ଡା ଓ ସାହିତ୍ୟ ଏକାଡେମୀର ଆବାହକ ବିଶିଷ୍ଟ ସାହିତ୍ୟିକ ଡଃ ବିଜୟାନନ୍ଦ ସିଂହ ଯୋଗଦେଇ ଗଣକବି ବୈଷ୍ଣବ ପାଣିଙ୍କ ଚୟନିକା ଉପରେ ଆଲୋଚନା କରିଥିଲେ । ପ୍ରଥମ ଦିନରେ ପୁସ୍ତକ ଚର୍ଚ୍ଚା ଆଲୋଚନାଚକ୍ରରେ ଭାଗନେଇ ବିଶିଷ୍ଟ ସାହିତ୍ୟିକ ଡଃ ପଣ୍ଡା ସମୀକ୍ଷା କରି କହିଲେ ଯେ, ଗଣକବି ବୈଷ୍ଣବ ପାଣି ଓଡିଆ ସାହିତ୍ୟର ଲୋକପ୍ରିୟ କବି । ତାଙ୍କ ରଚନାରେ ଲୋକ ଜୀବନର ଚିତ୍ର ଥିବାରୁ ତାହା ପାଠକୀୟ ଆଦୃତି ଲାଭ କରିଛି । ବାସ୍ତବରେ ବୈଷ୍ଣବ ପାଣି ଗଣ ଜୀବନର ସଫଳ ପ୍ରତିନିଧି । ଏହି ପୁସ୍ତକ ରଚନା ହେବା ଫଳରେ ପାଣି କବିଙ୍କର ଦୁଷ୍ପାପ୍ୟ ରଚନା ସୁରକ୍ଷିତ ହୋଇପାରିଛି । ଅନ୍ୟତମ ଅତିଥି ଡଃ ସିଂହ କହିଲେ ଯେ, ଗଣକବି ବୈଷ୍ଣବ ପାଣି ଜାତୀୟ ଜୀବନର ସାର୍ଥକ ରୂପକାର । ସେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଗାନ୍ଧୀ ଚେତନା ବିଚାରର ଅନନ୍ୟ ଭୂମିକା ଗ୍ରହଣ କରିଥିଲେ । ସାହିତ୍ୟ ଏକାଡେମୀ ତରଫରୁ ଏହି କାର୍ଯ୍ୟକ୍ରମରେ ବେଟିଖାଇ ବେରିହାଙ୍କ ଦଳ ବିଶିଷ୍ଟ କଳାଶିଳ୍ସୀ ରବି ରତନ ସାହୁଙ୍କ ନିର୍ଦ୍ଦେଶନାରେ ଡାଲଖାଇ ନୃତ୍ୟ ପରିବେଷଣ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡଃ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କଲିକତା ସାହିତ୍ୟ ଏକାଡେମୀର ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ସ୍ୱାଗତ ଅଭିଭାଷଣ ରଖିଥିଲେ । ପ୍ରାରମ୍ଭିକ ସୂଚନା ଅଧ୍ୟାପିକା ପ୍ରଜ୍ଞା ପରମିତା ପଣ୍ଡା ରଖଥିବା ବେଳେ ଅଧ୍ୟାପିକା ଡଃ ସମ୍ପାଦିକା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ, କବି, ଭାଷା ପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.