ସୁରେନ୍ଦ୍ର ମହାନ୍ତିଙ୍କ ସାହିତ୍ୟରେ ଓଡ଼ିଆ ଜାତିର ସ୍ୱାଭିମାନ ଓ ସଂସ୍କୃତି ପ୍ରତିଫଳିତ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ସାହିତ୍ୟର ଅନନ୍ୟ କଥାକାର, ଐତିହାସିକ ତଥା ରାଜନୀତିଜ୍ଞ ସୁରେନ୍ଦ୍ର ମହାନ୍ତିଙ୍କ ରଚନାବଳୀରେ ଓଡ଼ିଆ ଜାତିର ବିଭବ, ଅସ୍ମିତା, ଐତିହ୍ୟ ଓ ଆତ୍ମ-ପରିଚୟର ଅତି ଜୀବନ୍ତ ତଥା ଗଭୀର ଆଲେଖ୍ୟ ଦେଖିବାକୁ ମିଳେ । ସେ କେବଳ କାହାଣୀ କହିନାହାନ୍ତି, ବରଂ ଓଡ଼ିଆ ଜାତିର ସ୍ୱାଭିମାନ ଓ ସଂସ୍କୃତିକୁ ସାହିତ୍ୟରେ ଅମର କରିଛନ୍ତି । ତାଙ୍କର କାଳଜୟୀ ଉପନ୍ୟାସ -​‘ନୀଳଶୈଳ’ରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଓ ଓଡ଼ିଆ ଅସ୍ମିତାର ପ୍ରତୀକ ଗଜପତି ଦିବ୍ୟସିଂହ ଦେବଙ୍କ ସଂଗ୍ରାମ ବର୍ଣ୍ଣନା ସହ ଶ୍ରୀଜଗନ୍ନାଥ କେବଳ ଜଣେ ଦେବତା ନୁହଁନ୍ତି, ବରଂ ସମଗ୍ର ଓଡ଼ିଆ ଜାତିର ଆତ୍ମା ଓ ଜାତୀୟତାର ସୂତ୍ରଧର ଭାବେ ଚିତ୍ରିତ କରିଛନ୍ତି । ‘ନୀଳାଦ୍ରି ବିଜୟ’ ଓ ‘ଉତ୍ତର ମାର୍ଗ’ ଉପନ୍ୟାସରେ ଓଡ଼ିଶାର ସାଂସ୍କୃତିକ ଓ ରାଜନୈତିକ ସଙ୍କଟ କାଳରେ ଓଡ଼ିଆମାନଙ୍କର ତ୍ୟାଗ, ସାହସ ଓ ନିଜ ମାଟି ପ୍ରତି ଭାଲପାଇବାକୁ ସେ ଅତ୍ୟନ୍ତ ନିପୁଣତାର ସହ ଉପସ୍ଥାପନ କରିଛନ୍ତି । ସୁରେନ୍ଦ୍ର ମହାନ୍ତିଙ୍କ ଦ୍ୱାରା ରଚିତ ‘ଓଡ଼ିଆ ସାହିତ୍ୟର ଆଦିପର୍ବ’, ‘ମଧ୍ୟପର୍ବ’ ଓ ‘ଉତ୍ତରପର୍ବ’ ଓଡ଼ିଆ ଜାତିର ଭାଷା, ସାହିତ୍ୟ ଓ ଆଧ୍ୟାତ୍ମିକତାର ଏକ ମାଇଲଖୁଣ୍ଟ। ସାରଳା ଦାସଙ୍କଠାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଓଡ଼ିଆ ଚିନ୍ତାଚେତନାର ବିକାଶକୁ ସେ ବୈଜ୍ଞାନିକ ତଥା ସାଂସ୍କୃତିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରି ଓଡ଼ିଆ ଜାତିକୁ ତା’ର ସମୃଦ୍ଧ ସାହିତ୍ୟିକ ସମ୍ପଦ ସହ ପରିଚିତ କରାଇଛନ୍ତି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନୀ ଆଧାରିତ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ (ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଆଲେଖ୍ୟ) ମାଧ୍ୟମରେ ସେ ଆଧୁନିକ ଓଡ଼ିଶା ଗଠନର ଇତିହାସ ଓ ଜାତୀୟତାବାଦୀ ଚେତନାକୁ ପୁନର୍ଜୀବିତ କରିଛନ୍ତି । ରାଉରକେଲାର ପ୍ରତିଷ୍ଠିତ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ – ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ୧୦୪ତମ ଜନ୍ମ ବାର୍ଷିକୀ ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ସୁରେନ୍ଦ୍ର ମହାନ୍ତିଙ୍କ କନ୍ୟା ଲୋପାମୁଦ୍ରା ମହାନ୍ତି ଏବଂ ମୁଖ୍ୟ ବକ୍ତା ଭାବେ ଅନ୍ୟତମ ଉପସଭାପତି ଡଃ. ପ୍ରଭାତ କୁମାର ମଲ୍ଲିକ ଯୋଗ ଦେଇ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିବା ସହ କହିଲେ ଯେ, ସୁରେନ୍ଦ୍ର ମହାନ୍ତିଙ୍କ ସାହିତ୍ୟ କେବଳ ଅତୀତର ରୋମାନ୍ଥନ ନୁହେଁ, ବରଂ ଓଡ଼ିଆ ଜାତିର ସ୍ୱାଭିମାନ, ଐତିହ୍ୟ ଓ ଜାତୀୟ ଚେତନାକୁ ଜାଗ୍ରତ କରିବାର ଏକ ସଶକ୍ତ ମାଧ୍ୟମ । ତାଙ୍କ ରଚନା ପ୍ରତ୍ୟେକ ଓଡ଼ିଆ ହୃଦୟରେ ନିଜ ମାଟି, ଭାଷା ଓ ସଂସ୍କୃତି ପ୍ରତି ଗର୍ବ ଅନୁଭବ କରିବାର ପ୍ରେରଣା ଯୋଗାଏ । ପ୍ରାରମ୍ଭରେ ଅତିଥି ତଥା ସଦସ୍ୟମାନେ ସୁରେନ୍ଦ୍ର ମହାନ୍ତିଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ସହ ଧୂପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିବା ବେଳେ ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ପରେଶ କୁମାର ବିଶ୍ଵାଳଙ୍କ ସଭାପତିତ୍ୱରେ ଏବଂ ସ୍ମିତା ମିଶ୍ର ଓ ତ୍ରିଲୋଚନ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଗଳ୍ପ ଓ କବିତାପାଠ କାର୍ଯ୍ୟକ୍ରମରେ ସଞ୍ଜୀବ କୁମାର ଭୋଇ ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ଏକ କ୍ଷୁଦ୍ର ଗଳ୍ପ ପାଠ ପରେ ଅଜୟ କୁମାର ମହାନ୍ତି, ଉପେନ୍ଦ୍ର କୁମାର ବସ୍ତିଆ, ସତ୍ୟ ଦାସ, ଅର୍ଚ୍ଚନା ପାତ୍ର, ବିଜୟିନୀ ଜେନା, ଗୌତମ ଦାସ, ରଶ୍ମି ସାହୁ, ସ୍ମିତା ମିଶ୍ର, ତ୍ରିଲୋଚନ ସ୍ୱାଇଁ ପ୍ରମୁଖ କବିମାନେ ସ୍ୱରଚିତ କବିତାମାନ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ, ସମ୍ପାଦକ ଘନଶ୍ୟାମ ଦଳ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ, ପାଠାଗାର ସମ୍ପାଦକ ଇନ୍ଦ୍ରମଣି ମହାପାତ୍ର, କ୍ରୀଡ଼ା ସମ୍ପାପାଦକ ଅରବିନ୍ଦ ପାତ୍ର, କୁଞ୍ଜବିହାରୀ ରାଉତ, ନାରାୟଣ ଚନ୍ଦ୍ର ମହନ୍ତ,ପରିକ୍ଷୀତ ଗୁରୁ, ରଶ୍ମି ସାହୁ, ଧରଣୀଧର ସାମଲ, ବରୁଣ ନାହାକ, ଶୁଭ୍ରାଂଶୁ ମହାପାତ୍ର ପ୍ରମୁଖ ସହାୟତା କରିଥିବା ବେଳେ ଡାକ୍ତର କୃପାସିନ୍ଧୁ ନାୟକ, ଡଃ. ନଗେନ କୁମାର ଦାସ, ଅକ୍ଷୟ କୁମାର ସାମଲ, ଆଲୋକ ବୋଷ , ପ୍ରମୋଦ କୁମାର ପତି, ବିଜୟ କୁମାର ରାୟ, ପ୍ରମୋଦ କୁମାର ପତି, ଅବନୀ ମହାନ୍ତି, ଜଗନ୍ନାଥ ରାଉତ, ପରେଶ କୁମାର ବିଶ୍ଵାଳ, କାଶୀନାଥ ପାତ୍ର, ଇନ୍ଦୂମତୀ ମହାପାତ୍ର ପ୍ରମୁଖ ସାହିତ୍ୟ ସଂସ୍କୃତି ପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.