ପାପୁନକୁ ଚିକିତ୍ସା ପାଇଁ ମିଳିଲା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା

csstore

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମଉଳିମୁଣ୍ଡା ଗ୍ରାମର ବାସିନ୍ଦା ବାବୁଲାଲ କର୍ଣ୍ଣଙ୍କ ଦ୍ୱିତୀୟ ପୁତ୍ର ପାପୁନ କର୍ଣ୍ଣଙ୍କ ବାସଭବନକୁ ଯାଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ପ୍ରତୀକାତ୍ମକ ଚେକ ପ୍ରଦାନ କରିଛନ୍ତି । ପାପୁନଙ୍କ ବୟସ ୧୯ ବର୍ଷ ଏବଂ ସେ ଡିଏମ୍‌ଡି ନାମକ ଏକ ବିରଳ ରୋଗରେ ପୀଡ଼ିତ । ସେ ଜଣେ ମେଧାବୀ ଛାତ୍ର ଏବଂ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାତ୍ର ଏହି ରୋଗ ତାଙ୍କ ସମ୍ପୂର୍ଣ୍ଣ ଶରୀରକୁ ଅଚଳ କରିଦେଇଛି । ୧୦ ବର୍ଷ ବୟସ ପର୍ଯ୍ୟନ୍ତ ତାଙ୍କ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ଥିଲା । ଏହାପରେ ଧୀରେ ଧୀରେ ଏହି ରୋଗ ତାଙ୍କ ଶରୀରକୁ ଆକ୍ରମଣ କରିଥିଲା ଏବଂ ବର୍ତ୍ତମାନ ସେ ଶଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି । ପାପୁନଙ୍କ ଚିକିତ୍ସା ପାଇଁ ତାଙ୍କ ପିତାମାତା ଓଡ଼ିଶା ଏବଂ ଓଡ଼ିଶା ବାହାରର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ସମସ୍ତ ପ୍ରକାରର ଚେଷ୍ଟା କରିଥିଲେ । ହେଲେ ସବୁଠାରୁ ସେମାନଙ୍କୁ ଗୋଟିଏ ଉତ୍ତର ମିଳିଛି ଯେ, ଏହି ରୋଗର କୌଣସି ସ୍ଥାୟୀ ଔଷଧ ନାହିଁ । ତଥାପି ପାପୁନଙ୍କ ଚିକିତ୍ସା ପାଇଁ ତାଙ୍କ ପିତାମାତାଙ୍କ ପ୍ରୟାସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳିଥିବା ୧୦ ଲକ୍ଷ ଟଙ୍କାର ଏହି ସହାୟତା ରାଶି କୋଲକାତାର ଏକ ଡାକ୍ତରଖାନାରେ ତାଙ୍କ ଚିକିତ୍ସା କରାଇବାରେ ସହାୟକ ହେବ । ପ୍ରତୀକାତ୍ମକ ଚେକ ପ୍ରଦାନ ସମୟରେ ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ ବାଡ଼ା, ଜିଲ୍ଲାର ଭାରପ୍ରାପ୍ତ ଜରୁରୀ ଶାଖା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରୀତି ସୁନା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.