
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ଖରିଫ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି କରିବାକୁ ଦାବି ହୋଇଛି । ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବଙ୍ଗୋମୁଣ୍ଡା ବ୍ଲକ୍ ଅଞ୍ଚଳରେ ଚାଷୀ ପଞ୍ଜୀକରଣ ଚାଲିଛି । ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଚଳିତ ବର୍ଷ ମଧ୍ୟ ପଞ୍ଜୀକରଣରେ ନୂଆ ନିୟମ ଚାଷୀଙ୍କ ପାଇଁ ଅଡୁଆ ସାଜିଥିଲା । ଫଳରେ ଆରମ୍ଭରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ହାତରେ ସମୟ କମ୍ ଥିବା ସହିତ ଆବଶ୍ୟକ କାଗଜପତ୍ର ଯୋଗାଡ଼ କରିବାରେ ପଞ୍ଜୀକରଣ ବିଳମ୍ବ ହେଉଥିବାରୁ ବହୁ ଚାଷୀ ପଞ୍ଜିକରଣ କରିନାହାନ୍ତି । ରାଜସ୍ୱ ନିରୀକ୍ଷକ ଏବଂ ପେକ୍ସରେ କାଗଜପତ୍ର ପାଇଁ ଚାଷୀଙ୍କ ଭିଡ଼ ଲାଗି ରହି ଚଳିତ ବର୍ଷ ଅନ୍ଲାଇନ୍ରେ ପଞ୍ଜୀକରଣ ପାଇଁ ଚାଷୀଙ୍କ ଆଖି ସ୍କାନ ବାଧ୍ୟତାମୂଳକ କରାଯାଇଛି । ଆଜି ବଙ୍ଗୋମୁଣ୍ଡା ବ୍ଳକ ଭାଲୁମୁଣ୍ଡା ପ୍ୟାକ୍ସରେ ଚାଷୀଙ୍କ ଭିଡ଼ ହେଉଥିବା ଦେଖିବାକୁ ମିଳିଛି । ଗତ ୧୦ ଦିନ ହେଲା ଭାଲୁମୁଣ୍ଡା, ବଳଧା, ତୁରେକେଲା ଓ ବିରିପାଲି ପଞ୍ଚାୟତକୁ ନେଇ ଗୋଟିଏ ମାତ୍ର ପ୍ୟାକ୍ସରେ କାମ ହେଉଥିବା ଖବର ପାଇ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରର କୃଷକ ସଙ୍ଗଠନ ସଭାପତି ଅଜିତ କୁମାର ଯୋଶୀ ଭାଲୁମୁଣ୍ଡାକୁ ଆସି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । ଚାଷୀମାନେ ୧୦ ଦିନ ହେଲା ଆସି ପଞ୍ଜିକୃତ ନ କରାଇ ଘରକୁ ଫେରି ଯାଉଥିବାରୁ ଆଜି ଭାଲୁମୁଣ୍ଡା ପ୍ୟାକ୍ସରେ ହୋ ହୋଲ୍ଲା ପରିସ୍ଥିତି ଦେଖିବାକୁ ମିଳିଛି । ଏନେଇ ସଭାପତି ଅଜିତ କୁମାର ଯୋଶୀ ପ୍ୟାକ୍ସ ଡିଇଓ ପ୍ରମୋଦ କୁମ୍ଭାରଙ୍କ ସହ କଥା ହେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଡିଇଓଙ୍କ କହିବା ଅନୁଯାଇ, ସର୍ଭର ସ୍ଲୋ ହେବାରୁ ଦିନକୁ ୨୦ରୁ ୩୦ ଜଣ ଚାଷୀଙ୍କ ପଞ୍ଜିକରଣ ହେଉଛି ବୋଲି କହିଥିଲେ । ଏଭଳି ସ୍ଥିତିରେ ୱେବସାଇଟ୍ ସ୍ଲୋ ରହୁଥିବାରୁ ଚାଷୀମାନେ ପ୍ୟାକ୍ସ ପରିସରରେ ଦୀର୍ଘଦିନ ଧରି ଅପେକ୍ଷା କରୁଛନ୍ତି । ଏନେଇ ଚାଷୀ ସଙ୍ଗଠନର ସଭାପତି ଦାବି କରିଛନ୍ତି ଯେ, ଆସନ୍ତାକାଲି ୩୧ ତାରିଖ ଶେଷ ଦିନ ଥିବାବେଳେ ଅନେକ ଚାଷୀ ପଞ୍ଜିକୃତରୁ ବଞ୍ଚିତ ଆଶଙ୍କା କରି ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ ପାଇଁ ଦାବି କରିଛନ୍ତି ।